ନବୀନଙ୍କ ପ୍ରୋତ୍ସାହନ ଶିଳ୍ପୀଙ୍କ ତୂଳୀରେ ଭରିଛି ନୂଆ ପ୍ରାଣ : ରଘୁରାଜପୁରର ପ୍ରତି ପରିବାରକୁ ୧୦ହଜାର

79

ପୁରୀ : ବିଶ୍ୱ ଐତିହ୍ୟ ଗ୍ରାମ ରଘୁରାଜପୁରରେ ପାରମ୍ପରିକ ଭିତ୍ତିଚିତ୍ର,ସପ୍ତରଙ୍ଗ ବୃତ୍ତଚିତ୍ର ଶିବିରକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂକ୍ରମଣ ସଂକଟରେ ଅଟକିନି ଶିଳ୍ପୀଙ୍କ ହାତ । ପୁରୀ ରଘୁରାଜପୁରର ଶୋଭା ବଢ଼ାଉଛି ଚିତ୍ରକଳା । ସଜେଇ ହୋଇଛି ଶିଳ୍ପୀ ଗାଁ । ପୁରାଣ ପୃଷ୍ଠାରୁ ଗାଁ ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ଅନେକ ଚରିତ୍ର । ଦୁଆର ମୁହଁରେ ପୁରାଣ, ଐତିହ୍ୟ ଓ ସଂସ୍କୃତିର କଥା, କାନ୍ଥ କହୁଛି ସମୃଦ୍ଧ ଅତୀତର କାହାଣୀ । ରଘୁରାଜପୁରର ରୋଜଗାର ଛଡ଼େଇ ନେଇଥିଲା କରୋନା । ଝାଉଁଳି ପଡ଼ିଥିଲା ଶିଳ୍ପୀଙ୍କ ମୁହଁ । ନା ଗ୍ରାହକ ଆସୁଥିଲେ ନା ରୋଜଗାର ଥିଲା । ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଶିଳ୍ପୀଙ୍କ ରଙ୍ଗତୂଳୀରେ ଭରିଛି ନୂଆ ପ୍ରାଣ । ଚମକିଛି ଦାଣ୍ଡ, ସୁନ୍ଦର ହୋଇଛି
ଶିଳ୍ପୀ ଗାଁ ।

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବକଳେବର, ନାଗାର୍ଜୁନ ବେଶ ସମେତ କୃଷ୍ଣଲୀଳା, ନାଟ ଗଣେଶ ଭଳି କଳାକୃତି ଶିଳ୍ପୀଙ୍କ ଯାଦୁଗରୀ ଛୁଆଁରେ ଜୀବନ୍ତ ହୋଇଛି । ଏହାର ପ୍ରାମାଣିକ ଚିତ୍ର, ସପ୍ତରଙ୍ଗକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଖଣି ନିଗମ ପକ୍ଷରୁ ରଘୁରାଜପୁରରେ ପାରମ୍ପରିକ ଭିତ୍ତିଚିତ୍ର କଳା ଶିବିର ଆୟୋଜିତ କରାଯାଇଥିଲା । ଏଥିରେ ୧୫୦ ପରିବାରର ସଦସ୍ୟ ସାମିଲ ହୋଇଥିଲେ । ପ୍ରତି ପରିବାର ୫୦ ବର୍ଗଫୁଟର ଚିତ୍ରକଳା କରିବା ସହ ସମୁଦାୟ ୭୫୦୦ ବର୍ଗଫୁଟର ଚିତ୍ର କଳା ପ୍ରଦର୍ଶିତ ହୋଇଛି । ପ୍ରତି କଳାକାର ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଉଛି । ମହାମାରୀ ବେଳେ ବି ଝଲସୁଛି ରଘୁରାଜପୁର । ପୁରାଣରୁ ଐତିହ୍ୟ, ସାତରଙ୍ଗରେ ଜୀବନ ପାଇଛି ଶିଳ୍ପୀର କଳ୍ପନା । ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ କଳାକୁ ମିଳିଛି ନୂଆ ଦିଗନ୍ତ । ଲକ୍ଡାଉନ୍ରେ ବି ବଦଳିଛି ରଘୁରାଜପୁରର ଦୃଶ୍ୟପଟ୍ଟ ।

ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ୮,୫୦୦ କୋଟି :

ନବନିଯୁକ୍ତ ୭୮୬ ଡାକ୍ତରଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ଲଢ଼େଇରେ ଡାକ୍ତରଙ୍କ ଭୂମିକାକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରୟାସ ଯୋଗୁ ରାଜ୍ୟରେ କରୋନା କରାଗତ ହୋଇଛନ୍ତି । ଏହି ଲଢ଼େଇରେ ଡାକ୍ତର ଯୋଦ୍ଧା ଭାବେ କାମ କରୁଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟଭୂମି ବିକାଶ ପାଇଁ ୮ହଜାର ୫୦୦ କୋଟି ଖର୍ଚ୍ଚ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.