ଟିକା ନେବୁନି: ଚେରମୂଳି ଖାଇବୁ

65

ବ୍ରହ୍ମପୁର : କରୋନା ମହାମାରୀରୁ ବଞ୍ଚିବାକୁ ଏବେ ଟିକା ହିଁ ଏକମାତ୍ର ମାଧ୍ୟମ । ତେଣୁ ଦେଶ ଓ ରାଜ୍ୟରେ ଟିକାକରଣକୁ ଜୋରଦାର କରାଯାଉଛି । ହେଲେ ଏହାରି ମଧ୍ୟରେ ଓଡ଼ିଶାର ଏମିତି ଏକ ଗାଁ ରହିଛି ଯେଉଁଠାରେ କି ଲୋକମାନେ ଟିକା ନେବାକୁ ଅମଙ୍ଗ ହେଉଥିବା ଖବର ଆସିଛି । ଗଞ୍ଜାମ ପୋଲସରା ଅଞ୍ଚଳରେ ଟିକା ନେବାକୁ ପୂରାପୁରି ନାରାଜ । ଜଣେ କି ଦୁଇଜଣ ନୁହେଁ ବରଂ ପୂରା ଗାଁ ଟିକା ନେବାକୁ ମନା କରିଦେଇଛି । ଯାହାକୁ ନେଇ ଏବେ ଚିନ୍ତାରେ ପଡିଛି ପ୍ରଶାସନ । ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଗୋଲିଆ ପଞ୍ଚାୟତର ମରେଇପଲ୍ଲି, ଡାହାଣିଲ୍ଲି ଗାଁ ।

ଗତ ୯ ତାରିଖରେ ଗୋଲିଆ, ଚିରିକିଡା, ମରେଇପଲ୍ଲି, ଡାହାଣିଲ୍ଲିରେ ପ୍ରଥମ ଡୋଜ ଟିକାକରଣ ପାଇଁ ପହଞ୍ଚି ଥିଲା ପ୍ରଶାସନ । ହେଲେ ମରେଇପଲ୍ଲି, ଡାହାଣି ଲ୍ଲିର କୌଣସି ଲୋକ ଟିକା ନେବାକୁ ଆସିନଥିଲେ । ପରେ ଏଏନ୍ଏମ୍ ଓ ଆଶା ଲୋକଙ୍କୁ ବୁଝାସୁଝା କରିଥିଲେ । ହେଲେ ଗାଁ ଲୋକେ ତାଙ୍କୁ ଓଲଟା ପ୍ରଶ୍ନ କରିଥିଲେ “ଆମେ ଟିକା ନେଇ ମରିଗଲେ ତୁମେ ଦାୟୀ ହେବ କି?’ ଲୋକଙ୍କ ଏଭଳି ପ୍ରଶ୍ନ ଶୁଣି ଶେଷରେ ଟିକା ନଦେଇ ସ୍ୱାସ୍ଥ୍ୟକର୍ମୀମାନେ ଫେରି ଆସିଥିଲେ । ଏହି ଗାଁରେ ଟିକାକୁ ନେଇ ଏକ ଗୁଜବ ସୃଷ୍ଟି ହୋଇଛି । ଏମାନେ ଭାବୁଛନ୍ତି ଟିକାନେଲେ ପାଶ୍ୱ ପ୍ରତିକ୍ରିୟା ଦେଖାଯାଉଛି । ତେଣୁ ଏଠାକାର ଲୋକମାନେ ଟିକା ନେଉନଥିବା ଜଣାପଡିଛି । ଏହାସହ ଜଙ୍ଗଲର ଚେରମୂଳି ଖାଇ ଆମେ ସୁସ୍ଥ ଅଛୁ, ହେଲେ ଟିକା ନେବୁନି ବୋଲି କହିଛନ୍ତି ଗ୍ରାମବାସୀ ।

ସ୍ୱାସ୍ଥ୍ୟକର୍ମୀମାନେ ଯେତେ ବୁଝାସୁଝା କଲେ ମଧ୍ୟ ଗ୍ରାମବାସୀ ଟିକା ନେଇନଥିଲେ । ସରକାର ରାଜ୍ୟରେ ବୃହତ ଟିକାକରଣ ପାଇଁ ବ୍ୟବସ୍ଥା କରୁଥିବା ବେଳେ ଆଦିବାସୀ ଅଞ୍ଚଳର ଲୋକମାନେ କିନ୍ତୁ ଟିକା ନେବାକୁ ମନା କରୁଛନ୍ତି । ତେବେ ଏଥିରୁ ଜଣାପଡୁଛି ଏଠାକାର ଲୋକମାନେ ଟିକାକୁ ନେଇ ସଚେତନ ନାହାନ୍ତି । ସରକାର କେବଳ ସହରାଞ୍ଚଳକୁ ଟିକାକରଣରେ ଗୁରୁତ୍ୱ ଦେଉଥିବା ବେଳେ ଏହି ଦୁର୍ଗମ ଅଞ୍ଚଳ ଲୋକ କିନ୍ତୁ ଟିକାକରଣଠୁ ଦୂରେଇ ଯାଉଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି କାହିଁକି ଆଦିବାସୀ ଲୋକମାନେ ଟିକା ନେବାକୁ ମନା କରୁଛନ୍ତି ? ଟିକା ପ୍ରତି ସେମାନେ ଯଦି ସଚେତନ ନାହାନ୍ତି ତେବେ ପ୍ରଶାସନ କାହିଁକି ପୂର୍ବରୁ ସେମାନଙ୍କୁ ସଚେତନ କରାଉନଥିଲା । ସହରାଞ୍ଚଳକୁ ଗୁରୁତ୍ୱ ଦେଇ ପ୍ରଶାସନ କେଉଁଠି ନା କେଉଁଠି ଦୁର୍ଗମ ଅଞ୍ଚଳକୁ ଭୁଲି ଯାଉଥିବା ଜଣାପଡୁଛି ।

Comments are closed.