ପ୍ରଥମରୁ ଅଷ୍ଟମ ୟୁଟ୍ୟୁବ୍ ରେ ପଢ଼ିବେ ପାଠ

85

ଭୁବନେଶ୍ୱର : ମହାମାରୀ କରୋନା ପାଇଁ ପିଲାମାନେ ସ୍କୁଲ ଯାଇପାରୁ ନାହାନ୍ତି । ଘରେ ରହି ପାଠ ପୁଛନ୍ତି । ସ୍କୁଲ ଖୋଲିବାରେ ବିଳମ୍ବ ହେଉଥିବାରୁ ପ୍ରଥମରୁ ୮ମ ଶ୍ରେଣୀ ପିଲାଙ୍କ ପାଇଁ ୟୁଟ୍ୟୁବ୍ ରେ ପାଠ ପଢ଼ାଇବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି । ଆସନ୍ତା ୨୧ ତାରିଖରୁ ଜୁଲାଇ ୨ ଯାଏ ୟୁ ଟ୍ୟୁବ୍ ଲାଇଭ୍ କ୍ଲାସ୍ ମାଧ୍ୟମରେ ପାଠ ପଢ଼ାଯିବ । ସେଥିପାଇଁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ।

ପ୍ରଥମରୁ ତୃତୀୟ ଶ୍ରେଣୀ ଯାଏ ଗଣିତ ଓ ଓଡ଼ିଆ ଭାଷା ବିଷୟରେ ସକାଳ ୯ରୁ ୧୦ଟା ଯାଏ ଅଧ ଘଣ୍ଟାଏ ଲେଖା କ୍ଲାସ ହେବ । ସେହିପରି ଚତୁର୍ଥରୁ ୮ମ ଯାଏ ଇଂରାଜୀ, ଗଣିତ ଓ ଓଡ଼ିଆ ଭାଷା ବିଷୟରେ ସକାଳ ୯ରୁ ୧୦.୩୦ ଯାଏ କ୍ଲାସ ହେବ । ପ୍ରତି କ୍ଲାସ ଅଧଘଣ୍ଟା ଲେଖାଏଁ ଚାଲିବ । ୟୁ ଟ୍ୟୁବ୍ କ୍ଲାସ୍ ଲାଗି ୮ଟି ଜିଲ୍ଲାକୁ ଦାୟିତ୍ୱ ଦିଆଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀମାନେ କମିଟି ଗଠନ କରି ଦକ୍ଷ ଶିକ୍ଷକମାନଙ୍କୁ ୟୁ ଟ୍ୟୁବ୍ ଲାଇଭ୍ କ୍ଲାସ୍ ପାଇଁ ଚୟନ କରିବେ । କେତେ ସଂଖ୍ୟକ ପିଲା ଲାଇଭ୍ କ୍ଲାସ୍ରେ ଉପସ୍ଥିତ ରହୁଛନ୍ତି, ତାର ମଧ୍ୟ ଡାଟା ରଖିବାକୁ ନିର୍ଦ୍ଦେଶ ରହିଛି ।

ସେପଟେ ଆଜିଠୁ ଦୂରଦର୍ଶନ ମାଧ୍ୟମରେ ଯୁକ୍ତ ଦୁଇ ଶେଷ ବର୍ଷ ଲାଗି ଫିଜିକ୍ସ ଓ କେମିଷ୍ଟ୍ରି ବିଷୟରେ ଭିଡିଓ କ୍ଲାସ ଅନୁଷ୍ଠିତ ହେବ । ରାତି ୯ରୁ ୧୦ଟା ଯାଏ ଭିଡ଼ିଓ କ୍ଲାସର ପ୍ରସାରଣ ହେବ । ସୂଚନାରୁ ପ୍ରକାଶ, ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ରାଜ୍ୟ ସରକାର ଅନ୍ଲାଇନ୍ ରେ ପାଠ ପଢ଼ାଉଥିଲେ । ଏଥିପାଇଁ ନେଟ୍ୱର୍କ ପ୍ରତିବନ୍ଧକ ସାଜିଥିଲା । ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଠିକ୍ ଭାବେ ନେଟ୍ୱର୍କ ପାଉନଥିବାରୁ ପିଲାମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ । ପିଲାମାନେ କେଉଁ ଗଛରେ ମଞ୍ଚା ବାନ୍ଧି ବସି ପାଠ ପଢ଼ୁଥିଲେ ତ ଆଉ କେଉଁ ବହୁ ଗାଁ ମୁଣ୍ଡ ମୁଣ୍ଡିଆକୁ ଯାଉଥିବା ଦେଖିବାକୁ ମିଳିଥିଲା ।

Comments are closed.