ରଥଯାତ୍ରା ପାଇଁ ଚାରିଥର କରୋନା ଟେଷ୍ଟ

0 75

ଭୁବନେଶ୍ୱର : ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁରୀରେ କଟକଣା ମଧ୍ୟରେ ରଥଯାତ୍ରା ପାଳନ ହେବ । ଏଥିରେ ସଂପୃକ୍ତ ହେବାକୁ ଥିବା ସମସ୍ତ ବ୍ୟକ୍ତିଙ୍କର ୪ ଥର କରୋନା ପରୀକ୍ଷା କରାଯିବ । ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଏଥର ରଥଯାତ୍ରାରେ ସମ୍ପୃକ୍ତ ସମସ୍ତ ସେବାୟତଙ୍କ ଆରଟିପିସିଆର ପରୀକ୍ଷା କରାଯିବ । ରଥ ସହ ସମ୍ପୃକ୍ତ ସମସ୍ତଙ୍କର ୪ ଥର ଆରଟି ପିସିଆର ପରୀକ୍ଷା ହେବ । ସେବାୟତ, ପୋଲିସ କର୍ମଚାରୀ ଏବଂ ମନ୍ଦିର ଅଧିକାରୀଙ୍କର ଆରଟିପିସିଆର ପରୀକ୍ଷା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସ୍ନାନଯାତ୍ରା ପୂର୍ବରୁ ଓ ଗୁଣ୍ଡିଚା ଯାତ୍ରା ପୂର୍ବରୁ ଆରଟିପିସିଆର ପରୀକ୍ଷା କରାଯିବାକୁ ଥିବାବେଳେ ବାହୁଡ଼ା ଯାତ୍ରା ପୂର୍ବରୁ ଏବଂ ନୀଳାଦ୍ରିବିଜେର ୧୫ଦିନ ପରେ କରୋନା ପରୀକ୍ଷା କରାଯିବ । ୪୮ଘଣ୍ଟା ପୂର୍ବରୁ ସମସ୍ତଙ୍କର ଆରଟିପିସିଆର ପରୀକ୍ଷା କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଏହା ସହିତ ସମ୍ପୃକ୍ତ ସମସ୍ତ ସେବାୟତ ଏବଂ ଅଧିକାରୀଙ୍କ ଟିକାକରଣ ଉପରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି । ସେହିପରି ଯୋଗସୂତ୍ର ସ୍ଥାପନ ଲାଗି ଜଣେ ନୋଡାଲ ଅଧିକାରୀ ନିଯୁକ୍ତ ହେବେ । ଶ୍ରୀମନ୍ଦିର ପ୍ରଶାସନ ଓ ସିଡିଏମ୍ଓ ଅଫିସ ମଧ୍ୟରେ ନିଯୁକ୍ତି ପାଇଥିବା ନୋଡାଲ ଅଧିକାରୀ ଯୋଗସୂତ୍ର ରଖିବେ । ସ୍ନାନଯାତ୍ର ଓ ରଥଯାତ୍ରାରେ ସେବାୟତଙ୍କୁ ଆବଶ୍ୟକ ମାସ୍କ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ଚଳିତ ବର୍ଷ ବି ରାଜ୍ୟରେ କେବଳ ପୁରୀରେ ହିଁ ରଥଯାତ୍ରା ଅନୁଷ୍ଠିତ ହେବ । ବିନା ଭକ୍ତରେ ଏହି ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିାଇଁ ଅନେକ କଟକଣା ମଧ୍ୟ ରଖାଯାଇଛି । ରାଜ୍ୟର ଅନ୍ୟ ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିରଗୁଡ଼ିକରେ ରଥଯାତ୍ରା ହେବ ନାହିଁ । ରାଜ୍ୟର ଅନ୍ୟ ମନ୍ଦିରଗୁଡ଼ିକରେ ରଥଯାତ୍ରା ନହେଲେ ବି ନୀତିକାନ୍ତି ଅନୁଷ୍ଠିତ ହୋଇପାରିବ । ତେବେ କେବଳ ମନ୍ଦିର ଭିତରେ ହିଁ ନୀତିକାନ୍ତି ସଂପନ୍ନ କରାଯାଇପାରିବ ।

Leave A Reply

Your email address will not be published.