ହାତଗଣ୍ଠି ପୂର୍ବରୁ ଉଠିଲା କୋକେଇ

0 79

ଭଦ୍ରକ : ପୁଅର ବିବାହ ପାଇଁ ଘରେ ବନ୍ଧୁବାନ୍ଧବଙ୍କ କୋଳାହଳ, ଲଗ୍ନ ସରିଛି, ନିମନ୍ତ୍ରଣ ପତ୍ର ବଣ୍ଟା ସରିଛି । ଟେଣ୍ଟରୁ ଆରମ୍ଭ କରି ରୋଷେୟା ପର୍ଯ୍ୟନ୍ତ ସବୁକିଛି ବରାଦ ଦିଆଯିବା ସହ ସମସ୍ତ ବିବାହ ସାମଗ୍ରୀ ମଧ୍ୟ କିଣା ସରିଥିଲା । ଏପରିକି ଟେଣ୍ଟ ବାନ୍ଧିବା ପାଇଁ ଘର ଆଗରେ ବାଉଁଶ ରଖା ଯାଇଥିଲା । ହେଲେ ବିଧିର ବିଧାନ ଥିଲା ଆଉ କିଛି । ହୋମ ନିଆଁକୁ ସାକ୍ଷୀ ରଖି ଯିଏ ସଂସାର କରିଥାନ୍ତେ, ମଶାଣୀ ଜୁଇରେ ଜଳିଲା ତାଙ୍କର ଶବ । ବର ବେଶ ସାଜି ବିବାହ ବେଦୀରେ ସାଥୀ ମଥାରେ ଆଜି ସିନ୍ଦୂର ପିନ୍ଧାଇ ଥାନ୍ତେ । ନୀତି ନିର୍ଘଣ୍ଟ ସରିଥିଲା, ଶୁଭ ବେଳାରେ ପଡ଼ିଥାନ୍ତା ହାତଗଣ୍ଠି, ହେଲେ ହୋମନିଆଁ ବଦଳରେ ଜଳିଲା ଜୁଇ ନିଆଁ । ହୋମ ନିଆଁ ନୁହେଁ ଭାଗ୍ୟରେ ଥିଲା ଜୁଇ ନିଆଁ । ଯେଉଁଠି ବନ୍ଧୁବାନ୍ଧବଙ୍କ କୋଳାହଳରେ ଘର ଉଠୁଥିଲା ପଡ଼ୁଥିଲା ଏବେ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଘର । ମହାମାରୀ କରୋନା କାଳରେ ଏଭଳି ଏକ କରୁଣ କାହାଣୀ ଆସିଛି ଭଦ୍ରକ ଜିଲ୍ଲାରୁ ।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଅସୁରାଳୀ ଅଞ୍ଚଳ ନାଥ ସାହିର ପ୍ରାଣବନ୍ଧୁ ନାଥଙ୍କ ପୁଅ ଚନ୍ଦ୍ରମଣି(୨୮)ଙ୍କ ଆଜି ବିବାହ ଅନୁଷ୍ଠିତ ହେବାର ଥିଲା । ଗତ ୧୧ ତାରିଖରେ ବିବାହ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ହଠାତ ଚନ୍ଦ୍ରମଣିଙ୍କ ଜ୍ୱର ଓ ଥଣ୍ଡା ହେବାରୁ ସେ କରୋନା ଟେଷ୍ଟ କରିଥିଲେ । ପ୍ରଥମେ ରିପୋର୍ଟ ନେଗେଟିଭ୍ ଆସିଥିଲା । ପରେ ପୁଣିଥରେ ଟେଷ୍ଟ୍ କରାଇ ଥିଲେ ଓ ୧୦ ତାରିଖ ଦିନ ରିପୋର୍ଟ ପଜିଟିଭ୍ ଆସିଥିଲା । ଫଳରେ ବିବାହ ଘୁଞ୍ଚାଇ ଆସନ୍ତା ଜୁନ ୧୮ ତାରିଖ ଦିନ ଧାର୍ଯ୍ୟ କରିଥିଲେ ଉଭୟ ପରିବାର । ବିବାହ ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ହଠାତ୍ ଚନ୍ଦ୍ରମଣିଙ୍କ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେଲା ଓ ଧୀରେ ଧୀରେ ଶରୀରରେ ଅକ୍ସିଜେନ୍ ଲେଭଲ୍ କମିବାରେ ଲାଗିଲା । ଚନ୍ଦ୍ରମଣିଙ୍କୁ ମେଡିକାଲ ନେବାକୁ ପରିବାର ଲୋକ ପ୍ରସ୍ତୁତ ହେଉଥିବା ବେଳେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ସବୁଠୁ ବଡ଼ ଦୁଃଖର କଥା, ଚନ୍ଦ୍ରମଣିଙ୍କ ମୃତ୍ୟୁରେ ଶବସକ୍ରାର ପାଇଁ ଗ୍ରାମବାସୀ ସହଯୋଗ କରିନଥିଲେ । ଫଳରେ ସ୍ଥାନୀୟ ସରପଞ୍ଚ, ବ୍ଲକ ପ୍ରଶାସନ ଓ ମେଡ଼ିକାଲ କର୍ମଚାରୀଙ୍କ ସହଯୋଗରେ ଶବ ସକ୍ରାର କରାଯାଇଥିଲା ।

Leave A Reply

Your email address will not be published.