ହାଇକୋର୍ଟରେ କରୋନା ମୃତ୍ୟୁ ମାମଲା : ସ୍ୱତନ୍ତ୍ର ଅଡିଟ୍ ପାଇଁ ଦାବି

0 75

ଭୁବନେଶ୍ୱର : ହାଇକୋର୍ଟ ଗଲା କରୋନା ମୃତ୍ୟୁ ପ୍ରସଙ୍ଗ । ରାଜ୍ୟରେ କରୋନା ଜନିତ ମୃତ୍ୟୁ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ମୃତ୍ୟୁର ସଂଖ୍ୟାର ସ୍ୱତନ୍ତ୍ର ଭାବେ ଅଡିଟ୍ କରିବା ପାଇଁ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ପକ୍ଷରୁ ଏହି ମାମଲା ଦାୟର ହୋଇଛି । ଏଥିରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ପକ୍ଷଭୁକ୍ତ କରାଯାଇଛି । ମୃତ୍ୟୁ ସଂଖ୍ୟା ନେଇ ବିଭିନ୍ନ ଜିଲ୍ଲା ଚିକିତ୍ସାଧିକାରୀଙ୍କ ରିପୋର୍ଟ ସହ ସ୍ୱାସ୍ଥ୍ୟ ବିଭାଗ ପୋର୍ଟାଲର ତଥ୍ୟରେ ତାଳମେଳ ରହୁନଥିବା ଆବେଦନକାରୀ ଦର୍ଶାଇଛନ୍ତି । ଏହାଛଡ଼ା ଗ୍ରାମାଞ୍ଚଳରେ ରାପିଡ୍ ଟେଷ୍ଟିଂ ଓ ଟିକାକରଣକୁ ବ୍ୟାପକ କରିବା ପାଇଁ ଆବେଦନ କରାଯାଇଛି ।

ଅନ୍ୟପକ୍ଷରେ କରୋନା ମୃତ୍ୟୁ ଅଡିଟ୍କୁ ତ୍ୱରାନ୍ୱିତ କରିବାକୁ ଗତ ମେ ୨୭ରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହପାତ୍ର ସବୁ ଜିଲ୍ଲାପାଳ,ସିଡିଏମ୍ଓ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଥିଲେ । କରୋନା କିମ୍ବା ସନ୍ଦିଗ୍ଧ କରୋନା ରୋଗୀର ସମସ୍ତ ମେଡିକାଲ ରେକର୍ଡ ଯାଞ୍ଚ କରି ଜିଲ୍ଲାସ୍ତରୀୟ କମିଟି ପ୍ରତିଦିନ କିମ୍ବା ଦିନେ ଛା଼ଡ଼ି ଦିନେ ରିପୋର୍ଟ ଦେବାକୁ କୁହାଯାଇଥିଲା । ଏହାଦ୍ୱାରା ୪୮ ଘଣ୍ଟା ଭିତରେ ତାର ସମୀକ୍ଷା କରାଯାଇପାରିବ । କିଛିଦିନ ତଳେ ବିହାରରେ ମଧ୍ୟ କୋଭିଡ୍ ମୃତ୍ୟୁକୁ ନେଇ ବିବାଦ ହୋଇଥିଲା । ନିକଟରେ ପାଟନା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବିହାର ସରକାର କୋଭିଡ୍ ମୃତ୍ୟୁ ସଂଖ୍ୟା ଅଡିଟ୍ କରିବା ପରେ ସେଠାରେ ୩, ୯୫୧ଟି ନୂଆ ମୃତ୍ୟୁ ମାମଲା ଯୋଡ଼ାଯାଇଥିଲା । ସେହିରି ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ସଂଶୋଧନ କରାଯାଇଛି । ଅଡିଟ୍ ପରେ କୋଭିଡ୍ ମୃତ୍ୟୁ ତାଲିକାରେ ଆଉ ୮ ହଜାର ୮୦୦ ଜଣଙ୍କୁ ସାମିଲ୍ କରାଯାଇଛି । ଦିଲ୍ଲୀ ଏମ୍ଏସ୍ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ମଧ୍ୟ କରୋନା ମୃତ୍ୟୁ ସଂଖ୍ୟା ନ ଲୁଚାଇ, ସଠିକ୍ ଅଡିଟ୍ କରିବାକୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.