ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ ଟୁର ରବିବାର ଦିନ ଜୁଆଙ୍ଗ ଘର ଦର୍ଶକମାନେ ଦେଖିପାରିବେ

0 72

ଭୁବନେଶ୍ୱର : ମହାମାରୀ କରୋନା ସଂକ୍ରମଣ ଭୟଙ୍କର ରୂପ ନେଇଛି । ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସ୍‌ସିଏସ୍‌ଟିଆରଟିଆଇ ପରିସରରେ ଥିବା ଜନଜାତି ସଂଗ୍ରହାଳୟ ପର୍ଯ୍ୟଟକମାନଙ୍କ ନିମନ୍ତେ ବନ୍ଦ ରହିଛି । ବିଭାଗ ପକ୍ଷରୁ ଭର୍ଚୁଆଲ ମୋଡ୍‌ରେ ପ୍ରତି ରବିବାର ଦିନ ସଂଗ୍ରହାଳୟକୁ ବୁଲିବାର ବ୍ୟବସ୍ଥା କରାଯାଇଛି । ରବିବାର ଅର୍ଥାତ୍ ଜୁନ୍ ୨୦ ତାରିଖ ଦିନ ଦର୍ଶକମାନେ ଫେସବୁକ୍ ଓ ଟୁଇଟର ପେଜ୍ ଖୋଲି ଜୁଆଙ୍ଗ ଘର ଦେଖିପାରିବେ ବୋଲି ଏସ୍‌ସିଏସ୍‌ଟିଆରଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡଃ) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ଜୁଆଙ୍ଗମାନେ ସାଧାରଣତଃ କେଉଁଝରର ପାର୍ବତ୍ୟ ଉପତ୍ୟକା ଓ ଅନୁଗୋଳ ଏବଂ ଢେଙ୍କାନାଳ ଜିଲ୍ଲାର ସମତଳ ଅଂଚଳରେ ବାସ କରିଥା’ନ୍ତି । କୃଷି, ପୋଡ଼ୁଚାଷ, ଶିକାର, ଜଙ୍ଗଲରୁ ଖାଦ୍ୟ ସଂଗ୍ରହ ସେମାନଙ୍କର ମୁଖ୍ୟ ଜୀବିକା ।ଝରକା ନଥିବା ଏକ ବଖରିଆ ଘରେ ଜୁଆଙ୍ଗମାନେ ବସବାସ କରନ୍ତି । ଏହି ଘର ମଧ୍ୟରେ କାଠର ଚଉତରା ଥାଏ । ସେଥିରେ ଶସ୍ୟ ସଂରକ୍ଷିତ ରଖାଯାଏ । କବାଟ ପାଖରେ ଏକ ମୋରଟାର ବା ହେମଦସ୍ତା ଆକୃତିର ପଥର ରଖାଯାଇଥାଏ । ଜୁଆଙ୍ଗ ଘର ଭିତରେ ଏକ ଚୁଲା ଥାଏ । ଜୁଆଙ୍ଗମାନଙ୍କ ଡରମିଟୋରି ବା ସୁପ୍ରଶସ୍ତ ବୈଠକ ଗୃହକୁ ‘ମଣ୍ଡଘର’ କୁହାଯାଏ । ଅବିବାହିତ ଯୁବକମାନେ ‘ମଣ୍ଡଘର’ ମଧ୍ୟରେ ରାତ୍ରିଯାପନ କରିଥା’ନ୍ତି । ଦିନବେଳା ଏହି ‘ମଣ୍ଡଘର’ରେ ଗ୍ରାମର ସଭା ଅନୁଷ୍ଠିତ ହୋଇଥାଏ । ବର୍ଷସାରା ଏଠାରେ ଏକ କୋଣରେ ନିଆଁ ଜଳାଇ ରଖାଯାଇଥାଏ । ‘ମଣ୍ଡଘର’ ମଧ୍ୟରେ ଶସ୍ୟର ବିହନ କାଠରେ ତିଆରି ଏକ ଭାଡ଼ି ଉପରେ ରଖାଯାଇଥାଏ ।

Leave A Reply

Your email address will not be published.