୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ଉଦ୍ଘାଟିତ : କଳାହାଣ୍ଡିର ରୂପାନ୍ତର ଉଲ୍ଲେଖନୀୟ

0 66

ଭୁବନେଶ୍ୱର/ ଭବାନୀପାଟଣା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡିର ଭବାନୀପାଟଣାଠାରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ଏକ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦ୍ଘାଟନ କରିଛନ୍ତି । ଏଥିରେ ୧୬ଟି ଆଇସିୟୁ ଓ ୧୬ଟି ଏଚ୍ଡିୟୁ ଶଯ୍ୟା ସହିତ ଏକ ସ୍ୱତନ୍ତ୍ର ଶିଶୁ ଚିକିତ୍ସା ୱାର୍ଡ ମଧ୍ୟ ରହିଛି । ଏଥିରେ ସମସ୍ତ ପ୍ରକାର ଆଧୁନିକ ଚିକିତ୍ସା ଉପକରଣ ରଖାଯାଇଛି । ଏହାଦ୍ୱାରା କଳାହାଣ୍ଡି ଓ ଆଖପାଖ ଅଞ୍ଚଳର ଲୋକମାନେ ଉନ୍ନତମାନର କୋଭିଡ ଚିକିତ୍ସା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ହସ୍ପିଟାଲ ପାଇଁ ବେଦାନ୍ତ ଗ୍ରୁପ ତଥା ଏହାର ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ହସ୍ପିଟାଲରେ ଚିକିତ୍ସାଠାରୁ ଆରମ୍ଭକରି ରୋଗ ନିରୂଣ, ଔଷଧ, ଖାଦ୍ୟ ଆଦି ସବୁ ମାଗଣାରେ ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଏକବିଂଶ ଶତାଦ୍ଦୀର କଳାହାଣ୍ଡି ବିଂଶ ଶତାଦ୍ଦୀର କଳାହାଣ୍ଡିଠାରୁ ବହୁତ ଆଗକୁ ଯାଇପାରିଛି । ଗତ ଦୁଇ ଦଶକ ମଧ୍ୟରେ ବିକାଶର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି କରିଛି । ଏ ରୂପାନ୍ତର ବାସ୍ତବିକ ଉଲ୍ଲେଖନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କଳାହାଣ୍ଡି ଆଜି ସାରା ଦେଶକୁ ଖାଦ୍ୟ ଯୋଗାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଳାହାଣ୍ଡିର ଏ ରୂପାନ୍ତର, କଳାହାଣ୍ଡି ଜିଲ୍ଲାର ଚାଷୀଭାଇ,ଯୁବସମାଜ ଓ ମା’ମାନଙ୍କ ଉଦ୍ୟମ ଯୋଗୁ ସମ୍ଭବ ହୋଇପାରିଛି ।

କୋଭିଡ ମୁକାବିଲାରେ ରାଜ୍ୟର ପଦକ୍ଷେପ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛିଦିନ ମଧ୍ୟରେ ରାଜ୍ୟରେ ୧୫ଟି ଅକ୍ସିଜେନ ପ୍ଲାଣ୍ଟ ପାଇଁ କାମ ଆରମ୍ଭ ହୋଇଛି । ଆଗାମୀ ଦୁଇ ମାସ ମଧ୍ୟରେ ଏଥିରୁ ଉତ୍ପାଦନ ଆରମ୍ଭ ହେବ । କୋଭିଡର ଦ୍ୱିତୀୟ ଲହରରେ ରୋଗୀମାନଙ୍କୁ ଅକ୍ସିଜେନ ସ୍ତର କମିବା ଯୋଗୁ ସାରା ଦେଶରେ ଅକ୍ସିଜେନ ଯୋଗାଣ ଉପରେ ଅତ୍ୟଧିକ ଚାପ ସୃଷ୍ଟି ହୋଇଥିଲା । ଏଭଳି ସମୟରେ ଓଡିଶା ୧୮ଟି ରାଜ୍ୟକୁ ଅକ୍ସିଜେନ ଯୋଗାଇ ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇପାରିଛି । ଏଭଳି ସଂକଟ ସମୟରେ ମାନବତାର ସେବା ପାଇଁ ସୁଯୋଗ ପାଇବା ଓଡିଶାବାସୀଙ୍କ ପାଇଁ ନିଶ୍ଚିତ ଭାବରେ ସମ୍ମାନର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ମତପ୍ରକାଶ କରିଥିଲେ । କୋଭିଡର ଦ୍ୱିତୀୟ ଲହରର ମୁକାବିଲାରେ କଳାହାଣ୍ଡିବାସୀ ଯେପରି ସାହସ ପ୍ରଦର୍ଶନ କରିଛନ୍ତି ସେଥିାଇଁ ଜିଲ୍ଲାବାସୀଙ୍କୁ ତଥା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ତୃତୀୟ ଲହର ପାଇଁ ଏବେଠାରୁ ପ୍ରସ୍ତୁତ ରହିବାକୁ ପୁଣି ଥରେ ପରାମର୍ଶ ଦେଇ ଜନସାଧାରଣଙ୍କୁ ସମସ୍ତଙ୍କୁ ଡବଲ ମାସ୍କ ପିନ୍ଧିବା ସହିତ ଟିକା ନିଶ୍ଚୟ ନେବା ପାଇଁ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାମାରୀ ହେଉ ବା ପ୍ରାକୃତିକ ବିର୍ଯ୍ୟୟ, ଆମେ ଯଦି ଠିକ୍ ଭାବରେ ଆଗରୁ ପ୍ରସ୍ତୁତ ହୋଇ ରହିବା, ତେବେ ଆମେ ନିଶ୍ଚୟ ବିଜୟଲାଭ କରିବା । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କଳାହାଣ୍ଡିରେ କୋଭିଡ ହସ୍ପିଟାଲ ସହିତ ମେଡିକାଲ କଲେଜ, ଜଳସେଚନର ବିକାଶ ଆଦି ବ୍ୟାପକ ବିକାଶମୂଳକ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଥିଲେ ଯେ କଳାହାଣ୍ଡିରେ କୋଭିଡ ମୁକାବିଲା ପାଇଁ ଦୁଇଟି ଅକ୍ସିଜେନ ପ୍ଲାଣ୍ଟ କରାଯାଇଛି, ହସ୍ପିଟାଲରେ ଭେଣ୍ଟିଲେଟର ବ୍ୟବସ୍ଥା କରାଯାଇଛି । ତେଣୁ କଳାହାଣ୍ଡିବାସୀ ଉନ୍ନତ କୋଭିଡ ଚିକିତ୍ସା ପାଇପାରିବେ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ଧର୍ମଗଡ ଓ ଲାଞ୍ଜିଗଡର ବିଧାୟକ ଯୋଗଦେଇ କୋଭିଡ ହସ୍ପିଟାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଯୋଗଦେଇ ବେଦାନ୍ତ ଗ୍ରୁ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କଳାହାଣ୍ଡିର ବିକାଶ ଓ ଓଡିଶାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚପ୍ରଶଂସା କରିଥିଲେ । ସେ କହିଥିଲେ ଯେ କଳାହାଣ୍ଡି ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ରହିଛି । ମୁଁ ତାଙ୍କୁ ଯେତେବେଳେ ଭେଟିଛି, ସେ ସବୁବେଳେ କଳାହାଣ୍ଡିର ବିକାଶ ସଂପର୍କରେ ମୋ ସହିତ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ସବୁବେଳେ ଲୋକଙ୍କ ଉନ୍ନତି ଓ ରାଜ୍ୟର ବିକାଶ କଥା ଚିନ୍ତା କରନ୍ତି । ବାତ୍ୟା ସମୟରେ ମୁଖ୍ୟମନ୍ତ୍ରୀ ଯେଉଁଭଳି ଭାବରେ ନେତୃତ୍ ନେଇ ମୁକାବିଲା କଲେ ଓ ଲୋକଙ୍କ ଜୀବନର ସୁରକ୍ଷା କଲେ, ତାହା ଆଜି ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି । ଆମେ ଅନେକ ରାଜ୍ୟରେ କାମ କରୁଛୁ,କିନ୍ତୁ ଓଡିଶାରେ କାମ କରିବାର ଅଭିଜ୍ଞତା ମୋତେ ସବୁଠାରୁ ଭଲ ଅନୁଭବ ଦେଇଛି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ.ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କଳାହାଣ୍ଡି ଜିଲ୍ଲାପାଳ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବେଦାନ୍ତର ସିଏଫ୍ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.