ଖୋଲିବ କରୋନା ଉତ୍ପତ୍ତି ଗୁମର ! : ଆମେରିକା ଶରଣରେ ଚୀନ୍ ମନ୍ତ୍ରୀ

71

ନୂଆଦିଲ୍ଲୀ : ଉହାନ୍ ଲ୍ୟାବ୍କୁ ନେଇ ସାରାବିଶ୍ୱର ଉକ୍ରଣ୍ଠା ବଢ଼ିବାରେ ଲାଗିଛି । କେବେ କରୋନାର ଉତ୍ପତ୍ତି ସ୍ଥଳ ଉପରୁ ସସ୍ପେନ୍ସ ହଟିବ ତାହାକୁ ସମସ୍ତଙ୍କ ନଜର ରହିଛି । ଏଭଳି ସମୟରେ ଏକ ଖବର ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ଉହାନ୍ ଲ୍ୟାବ୍ ର ଗୁଇନ୍ଦା ତଥ୍ୟ ପ୍ରଦାନ କରିଛନ୍ତି ଚୀନ୍ ର ଜଣେ ବରିଷ୍ଠ ମନ୍ତ୍ରୀ ଡୋଙ୍ଗ ଜିନ୍ୱେଇ ସେ ଏବେ ପରିବାର ସହ ଆମେରିକାରେ ଶରଣ ନେଇଛନ୍ତି । ମାର୍କିନ ପ୍ରଶାସନକୁ ଡୋଙ୍ଗ ଉହାନ୍ ଲ୍ୟାବ୍ ତଥ୍ୟ ପ୍ରଦାନ କରିଥିବା ସ୍ପାଇଟକ୍ ରେ ପ୍ରକାଶ ପାଇଛି । ତେଣୁ ଖୁବ୍ଶୀଘ୍ର କରୋନା ଉତ୍ପତ୍ତି ଓ ଉହାନ୍ ଲ୍ୟାବ୍ ଗୁମର ଉପରୁ ପରଦା ଉଠିବ ବୋଲି ଆଶା କରାଯାଉଛି । ଡୋଙ୍ଗ ହେଉଛନ୍ତି ଚୀନ୍ ଉପରାଜ୍ୟ ସୁରକ୍ଷା ମନ୍ତ୍ରୀ । ଫେବ୍ରୁଆରୀ ୧୦ ତାରିଖରୁ ସେ ଆମେରିକାରେ ଆଶ୍ରୟ ନେଇଛନ୍ତି ।ୟୁଏସ୍ ପ୍ରଶାସନକୁ ଡୋଙ୍ଗ ଉହାନ୍ ଲ୍ୟାବ୍ ସହିଜ ଜଡିତ ଗୁପ୍ତ ତଥ୍ୟ ପ୍ରଦାନ କରିଥିବା ସୂଚନା ମିଳିଛି ।

କରୋନା ଭୂତାଣୁର ଉତ୍ପତିସ୍ଥଳ ଉହାନ୍ ଇନ୍ଷ୍ଟିଚ୍ୟୁଟ୍ ଭାଇରୋଲୋଜି ବୋଲି ଅନେକ ବିଶ୍ୱସ୍ତରର ରିପୋର୍ଟରେ ଦାବି କରାଯାଇଛି । ତେବେ ସ୍ପାଇଟକ୍ ର ରିପୋର୍ଟ ଅନୁସାରେ ଫେବ୍ରୁଆରୀ ମଧ୍ୟ ଭାଗରେ ଡୋଙ୍ଗ ନିଜ ଝିଅ ସହ ହଂକଂ ଦେଇ ଆମେରିକା ଚାଲିଯାଇଛନ୍ତି । ୨୦୧୮ ଅପ୍ରେଲରେ ସେ ଚୀନ୍ ଉପରାଜ୍ୟ ସୁରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ । ଖାଲି ସେତିକି ନୁହେଁ, କାଉଣ୍ଟର ଇଣ୍ଟେଲିଜେନ୍ସର ମୁଖ୍ୟ ଏବଂ ଗୁଇନ୍ଦା ସଂସ୍ଥାର ମୁଖ୍ୟ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି । ଏକ ଉଚ୍ଚପଦରେ ଥାଇ ଆମେରିକାକୁ ସେ ଉହାନ୍ ଲ୍ୟାବ୍ ସମ୍ପର୍କିତ ଗୁପ୍ତ ତଥ୍ୟ ପ୍ରଦାନ କରିଛନ୍ତି । ଯଦି ସ୍ପାଇଟକ୍ର ରିପୋର୍ଟ ସତ୍ୟ ହୋଇଥାଏ, ତେବେ ପିପୁଲ୍ସ ରିବ୍ଲିକ୍ ଅଫ୍ ଚାଇନା ଇତିହାସରେ ସର୍ବୋଚ୍ଚ ସ୍ତରରେ କୌଣସି ଅଧିକାରୀ ଗୁଇନ୍ଦା ତଥ୍ୟ ଲିକ୍ କରିବାର ଦୁଃସାହସ କରିଛନ୍ତି ।

ଡୋଙ୍ଗଙ୍କ ସୂଚନା ପରେ ପୁଣି ତେଜିଛି ଉହାନ୍ ଲ୍ୟାବ୍ ଥିଓରି । ତାଙ୍କର ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏକ ଫଟୋକୁ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ପୂର୍ବତନ ଅଧିକାରୀ ଡାକ୍ତର ହାଲ୍ ଲିଆନ୍ ଚ ମଧ୍ୟ ପୋଷ୍ଟ କରିଛନ୍ତି । ହାଲ୍ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, ମାର୍ଚ୍ଚରେ ଚୀନ୍ର କିଛି ଅଧିକାରୀଙ୍କୁ ଆମେରିକା ବୈଦେଶିକ ମନ୍ତ୍ରୀଙ୍କୁ ଦେଖା କରିବା ପାଇଁ ପଠାଯାଇଥିଲା । ଆଲୋଚନା ପରେ ଡୋଙ୍ଗ କିନ୍ତୁ ଚୀନ୍ ଫେରିନଥିଲେ । ତାଙ୍କୁ ଚୀନ୍ ହାତରେ ପ୍ରତ୍ୟର୍ପଣ କରିବାକୁ ବାରମ୍ବାର ଆମେରିକାକୁ କୁହାଯାଉଛି । କରୋନା ଭୂତାଣୁର ଉତ୍ପତ୍ତି କେଉଁଠୁ ହୋଇଛି ଏହାକୁ ନେଇ ଆମେରିକା ଏବେ ତନାଘନା ଚଳାଇଛି । ୯୦ ଦିନରେ ତଦନ୍ତ ସାରି ରିପୋର୍ଟ ଦେବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କଡା ନିର୍ଦ୍ଦେଶ ଦେଇଛନ୍ତି । ଭାଇରସ୍ ପ୍ରାଣୀଙ୍କଠାରୁ ବ୍ୟାପିଛି ନା ପଶୁଙ୍କଠାରୁ ଆସିଛି ତାହାର ତଦନ୍ତ ଚାଲିଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ଉହାନ୍ କରୋନା ଭାଇରସ୍ ଲିକ୍ ହୋଇଥିବା ବାରମ୍ବାର ଦାବି କରିଥିଲେ ।

Comments are closed.