ଅନାଥ ଶିଶୁଙ୍କ ପାଇଁ “ଆଶୀର୍ବାଦ’

68

-କୌଣସି ଅସହାୟ ବାଦ୍ ନପଡ଼ିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
-ବାପା-ମା’ଙ୍କୁ ହରାଇଥିବା ପିଲାଙ୍କୁ ମାସକୁ ୨୫୦୦ ଟଙ୍କା
-ବାପା-ମା’ଙ୍କ ମଧ୍ୟରୁ ଜଣଙ୍କୁ ହରାଇଲେ ବି ମିଳିବ ୧୫୦୦ ଟଙ୍କା
-୧୮ବର୍ଷ ହେବା ପର୍ଯ୍ୟନ୍ତ ସହାୟତା ଜାରି ରହିବ

ଭୁବନେଶ୍ୱର : ଅନାଥ ପିଲାଙ୍କ ଭରଣପୋଷଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ନୂଆ ଯୋଜନା “ଆଶୀର୍ବାଦ’ ଘୋଷଣା କରିଛନ୍ତି । ଏହି ଯୋଜନାରେ ଉଭୟ ପିତାମାତା ତଥା ଏକକ ଅଭିଭାବକଙ୍କୁ ହରାଇଥିବା ପିଲାଙ୍କୁ ମାସିକ ୨୫୦୦ ଟଙ୍କା ଏବଂ କେବଳ ମୁଖ୍ୟ ଉପାର୍ଜନକାରୀ ବାପା କିମ୍ବା ମା’ଙ୍କୁ ହରାଇଥିବା ପିଲାଙ୍କୁ ମାସିକ ୧୫୦୦ ଟଙ୍କା ମିଳିବ । ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଏହି ଟଙ୍କା ମିଳିବ । ୨୦୨୦ ଏପ୍ରିଲ୍ ୧ ରୁ ଅନାଥ ହୋଇଥିବା ପିଲାଙ୍କ ପାଇଁ ଏହି ଯୋଜନା ଲାଗୁ ହେବ ।

ଏହି ଯୋଜନାରୁ ଜଣେ ବି ଅସହାୟ ଶିଶୁ ଯେପରି ବାଦ ନପଡ଼େ ସେଥି ପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ଯୋଜନା ପାଇଁ ଯୋଗ୍ୟ ପିଲାମାନଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି । ବାପା, ମା’ ଉଭୟଙ୍କୁ ହରାଇଥିବା ପିଲା,ସିଙ୍ଗଲ୍ ପ୍ୟାରେଣ୍ଟଙ୍କୁ ହରାଇଥିବା ପିଲା ଏବଂ ଉପାର୍ଜନକାରୀ ବାପା କିମ୍ବା ମା’ଙ୍କ ମଧ୍ୟରୁ ଜଣକୁ ହରାଇଥିବା ପିଲା । ବାପା, ମା’ଉଭୟଙ୍କୁ ହରାଇ ଅସୁବିଧା ମଧ୍ୟରେ ଥିବା ପିଲାମାନଙ୍କ ଦାୟିତ୍ୱ ନେଇ ଥିବା ଆତ୍ମୀୟଙ୍କ ବ୍ୟାଙ୍କ ଖାତାରେ ପିଲାର ଭରଣପୋଷଣ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ମାସିକ ୨୫୦୦ଟଙ୍କା ଇଲେକ୍ଟ୍ରୋନିକାଲି ଜମା କରାଯିବ । ପିଲାକୂ ୧୮ ବର୍ଷ ହେବା ପର୍ଯନ୍ତ ଏହି ସହାୟତା ଜାରି ରହିବ । ତା ପୂର୍ବରୁ ଯଦି ପିଲାକୁ କେହି ପୋଷ୍ୟ ଭାବରେ ଗ୍ରହଣ କରେ ତେବେ ଆଉ ସହାୟତା ଦିଆଯିବ ନାହିଁ ।

ଯେଉଁ କ୍ଷେତ୍ରରେ ପିଲାର ରୋଜଗାର କରୁଥିବା ବାପା ବା ମାଆଙ୍କ ମୃତ୍ୟୁ ଘଟିଥିବ ଏବଂ ସେ ବଞ୍ଚି ରହିଥିବା ବାପା ବା ମା’ ପାଖରେ ରହୁଥିବ ସେ ଷେତ୍ରରେ ପିଲାକୁ ୧୮ବର୍ଷ ହେବା ପର୍ଯ୍ୟନ୍ତ । ତାର ଭରଣପୋଷଣ ପାଇଁ ବଞ୍ଚି ଥିବା ମା’ ବା ବାପା କିମ୍ବା ପିଲାର ବ୍ୟାଙ୍କ ଖାତାରେ ମାସିକ ୧୫୦୦ ଟଙ୍କା ଜମା କରାଯିବ । ପିଲାକୁ ଯଦି କେହି ପୋଷ୍ୟସନ୍ତାନ ଭାବରେ ଗ୍ରହଣ କରନ୍ତି ସେ କ୍ଷେତ୍ରରେ ଆଉ ସହାୟତା ମିଳିବ ନାହିଁ । ଉପରୋକ୍ତ ଦୁଇ ବର୍ଗର ପିଲା ଯଦି ଆତ୍ମୀୟଙ୍କ ପାଖରେ ନରହି କୌଣସି ଚାଇଲ୍ଡ କେୟାର ଇନ୍ଷ୍ଟଚ୍ୟୁସନ୍ରେ ରୁହନ୍ତି ତେବେ ସେ ଷେତ୍ରରେ ପିଲାଙ୍କ ବ୍ୟାଙ୍କଖାତାରେ ମାସିକ ଏକହଜାର ଟଙ୍କା ରିକରିଂ ଡିପୋଜିଟ୍ ଭାବରେ ପ୍ରତି ମାସରେ ପିଲାକୁ ୧୮ବର୍ଷ ହେବା ପର୍ଯ୍ୟନ୍ତ ଜମା କରାଯିବ । ପିଲାର ମାଗଣା ଯତ୍ନ ଓ ଅନ୍ୟ ଦାୟିତ୍ୱ ଅନୁଷ୍ଠାନ ବହନ କରିବ ।

ଆଶୀର୍ବାଦ ଯୋଜନାରେ ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲାମାନେ ସେମାନଙ୍କ ପରିବାର ଓ ଆତ୍ମୀୟସ୍ୱଜନ ମାନଙ୍କ ଗହଣରେ ହିଁ ରହିବେ ଏବଂ ସେମାନଙ୍କ ଦାୟିତ୍ୱ ନେଉଥିବା ଅଭିଭାବକମାନେ ଯେପରି ଠିକ୍ ଭାବରେ ଏ ପିଲାଙ୍କ ଯତ୍ନ ନେଇପାରିବେ ସେଥିପାଇଁ ସେମାନଙ୍କୁ ଉତ୍ସାହିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ପିଲାମାନେ ମାଗଣା ଚିକିତ୍ସା ସୁବିଧା ପାଇପାରିବେ । ଏହି ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲାମାନଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ । ବାପା, ମା’ଙ୍କ ମୃତ୍ୟୁ ପୂର୍ବରୁ ପିଲା ଯେଉଁ ସ୍କୁଲରେ ପଢୁଥିଲେ ସେହି ସ୍କୁଲରେ ପଢ଼ା ଜାରି ରଖି ପାରିବେ । ତାଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟ ଅନ୍ୟ ସ୍ଥାନରେ ରହୁଥାନ୍ତି, ତେବେ ସେଠାରେ ପିଲାର ପଢ଼ିବା ବ୍ୟବସ୍ଥା କରାଯିବ ।

ଯଦି ଆବଶ୍ୟକ ପଡେ ତେବେ ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ବା ସେହି ମାନର ବିଦ୍ୟାଳୟରେ ପିଲା ପଢ଼ିବା ପାଇଁ ସାହାଯ୍ୟ ମଧ୍ୟ କରାଯିବ । ପିଲାଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟ ଯଦି ଚାହିଁବେ ତେବେ ପିଲାକୁ ଅନ୍ୟ ସ୍କୁଲରେ ପଢାଇବା ପାଇଁ ଶିଷା ଅଧିକାର ଆଇନ ଅନୁସାରେ ଜିଲ୍ଲାପାଳ ସହଯୋଗ ଯୋଗାଇ ଦେବେ । ଉଚ୍ଚଶିଷା ପାଇଁ ପିଲାକୁ ରାଜ୍ୟ ସରକାରଙ୍କ ଗ୍ରୀନ୍ ପ୍ୟାସେଜ୍ ଯୋଜନାରେ ସହଯୋଗ ଯୋଗାଇ ଦିଆଯିବ । ଦାୟିତ୍ୱ ନେଇଥିବା ଆତ୍ମୀୟ ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବା ବିଜୁ ପକ୍କା ଘର ପାଇଁ ଯୋଗ୍ୟ ହୋଇଥାନ୍ତି ତେବେ ପିଲାର ମଙ୍ଗଳକୁ ଦୃଷ୍ଟିରେ ରଖି ତାଙ୍କୁ ଘର ମଞୁର କରାଯିବ । ଏହି ପିଲାଙ୍କ ଯତ୍ନ ନେଉଥିବା ଆତ୍ମୀୟ ଯଦି ଅନ୍ୟ କୌଣସି ସରକାରୀ ଯୋଜନା ପାଇଁ ଯୋଗ୍ୟ ହୋଇଥାନ୍ତି ତେବେ, ଆଉଟ୍ ଅଫ୍ ଟର୍ଣ୍ଣରେ ତାଙ୍କୁ ସେ ସୁବିଧା ଯୋଗାଇ ଦିଆଯିବ ।

ପିଲାଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ଶିଶୁ ମଙ୍ଗଳ ସମିତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ,ତହସିଲଦାର ଓ ପୋଲିସ ସହ ସମନ୍ୱୟ ରଖି ଆବଶ୍ୟକ ପଦକ୍ଷେପ ନେବେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପିଲାର ଦାୟିତ୍ୱ ନେଇଥିବା ଆତ୍ମୀୟଙ୍କ ସହ ନିୟମିତ ଯୋଗାଯୋଗରେ ରହି ପିଲାର ଭଲ ମନ୍ଦ ଉପରେ ନଜର୍ ରଖବେ । ବିଜୁ ଶିଶୁ ସୁରକ୍ଷା ଯୋଜନା ଓ ଜୁଭେନାଇଲ୍ ଜଷ୍ଟିସ୍ ଫଣ୍ଡରୁ ଆବଶ୍ୟକ ସ୍ଥଳେ ଏ ପିଲାମାନଙ୍କୁ ସହାୟତା ମିଳିପାରିବ । ପିଲାର ମା’ ଯଦି ମଧୁବାବୁ ପେନସନ୍ ପାଇଁ ଯୋଗ୍ୟ ହୋଇଥାନ୍ତି ତେବେ ତାଙ୍କ ପାଇଁ ବିଧବା ଭତ୍ତା ମଞ୍ଜୁର କରାଯିବ । ଏହା ସହିତ ଉଭୟଙ୍କୁ ସେମାନଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ମଧ୍ୟ ମିଳିବ । ଡିଷ୍ଟ୍ରିକ୍ଟ ଚାଇଲ୍ଡ ପ୍ରୋଟେକ୍ସନ୍ ୟୁନିଟ୍ ତଥା ପଞ୍ଚାୟତସ୍ତରୀୟ କମିଟି ବ୍ଲକ କମିଟି ଫ୍ରଣ୍ଟଲାଇନ୍ ୱାର୍କର ସିଭିଳ୍ ସୋସାଇଟି ଜରିଆରେ ପିଲାଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିବେ ।

Comments are closed.