ଭୟଙ୍କର ଡେଲ୍ଟା ଭାଇରସ୍ : ସତର୍କ ନହେଲେ ବିପଦ ବଢ଼ିବ

66

ନୂଆଦିଲ୍ଲୀ : ଅଧିକ ଆକ୍ରମଣାତ୍ମକ ବି.୧.୬୧୭.୨ ଷ୍ଟ୍ରେନ୍ର ପରିବର୍ତ୍ତିତ ସଂସ୍କରଣ ଡେଲଟା ଭାରିଆଣ୍ଟ କେତେ ଭୟଙ୍କର ଥିଲା ତାହା ସାରା ଭାରତ ଦେଖିଛି । କରୋନା ଭୂତାଣୁର ପ୍ରଥମ ଲହର ପରେ ଲୋକେ କଟକଣା ନମାନିବାରୁ କରୋନା ଭୂତାଣୁ ନିଜ ରୂପ ବଦଳାଇ ଅଧିକ ଶକ୍ତିଶାଳୀ ହେବା ସହ ଭାରତରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚିଥିଲା । ଏବେ କରୋନା ଭୂତାଣୁ ପୁଣି ନିଜ ରୂପ ବଦଳାଉଛି । ଯଦି ଏବେ ଲୋକେ ସତର୍କ ନହେବେ ତେବେ ତୃତୀୟ ଲହରରେ ଡେଲଟା ଭାରିଆଣ୍ଟର ପରିବର୍ତ୍ତିତ ସଂସ୍କରଣ ଡେଲଟା ପ୍ଲସ ଭାରିଆଣ୍ଟ ଚିନ୍ତାର କାରଣ ହୋଇପାରେ ବୋଲି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ।

ସେ କହିଛନ୍ତି, ଡେଲଟା ପ୍ଲସ୍ ହେଉଛି ଏକ ପ୍ରକାର ଯାହାକି ଡେଲଟା ଭାରିଆଣ୍ଟର ସହ ପାଖାପାଖି ସମାନ ବଂଶ ଅଟେ । ହେଲେ ସାମାନ୍ୟ ପରିବର୍ତ୍ତନ ସହିତ ଡେଲ୍ଟା ଭାରିଆଣ୍ଟରେ ଆଉ ଏକ ମ୍ୟୁଟେସନ୍ ହୋଇଛି, ଯାହା ଚିନ୍ତାର କାରଣ ହୋଇପାରେ । କାରଣ ମ୍ୟୁଟେସନ୍ ସହିତ ଭୂତାଣୁର ସଂକ୍ରାମକତା ବି ବଦଳେ । ଏବେ ଆମେ କେବଳ ତାହା ଉପରେ ନଜର ରଖିପାରିବା । ଆମକୁ ଏହି ଭୂତାଣୁକୁ ସହଜରେ ନେବା ଉଚିତ ନୁହେଁ । ବଞ୍ଚିବା ତଥା ଅଧିକରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିବା ପାଇଁ ଏହି ଭୂତାଣୁ ନିଜର ରୂପ ବଦଳାଉଛି । ତେଣୁ ଆମକୁ ସତର୍କ ହେବାକୁ ପଡିବ ଏବଂ ଏହି ଭୂତାଣୁଠାରୁ ଆଗରେ ରହିବାକୁ ପଡିବ ।

ବ୍ରିଟେନ୍ ମାସ ମାସ ଧରି ଲକ୍ଡାଉନ୍ କରି ପରେ କୋହଳ କରିବା ପରେ ଡେଲଟା ଭାରିଆଣ୍ଟ ପୁଣି ସଂକ୍ରମଣ ବଢ଼ାଇଦେଲା । ଏହାର ଅର୍ଥ ଆମେ ମଧ୍ୟ ସମାନ ଅସୁରକ୍ଷିତ ଅବସ୍ଥାରେ ଅଛୁ ଏବଂ ଯଦି ଆମେ ବର୍ତ୍ତମାନଠାରୁ ସାବଧାନ ନହେବା ତେବେ ଆମର ମଧ୍ୟ ପୁନର୍ବାର ସମାନ ପରିସ୍ଥିତି ହେବ । ସେଥିପାଇଁ ଆମକୁ ଅତ୍ୟଧିକ ସତର୍କ ହେବା ଆବଶ୍ୟକ ଏବଂ କରୋନା କଟକଣା ମାନିବା ଆବଶ୍ୟକ । ଏହା ପୂର୍ବରୁ ୬ ରୁ ୮ ସପ୍ତାହ ମଧ୍ୟରେ ତୃତୀୟ ଲହର ଆସିବା ନେଇ ଚେତାଇ ଦେଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ କେ୪୧୭ଏନ୍ ମ୍ୟୁଟାଣ୍ଟକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ।

Comments are closed.