ନକଲିକୁ ସାଲ୍ୟୁଟ୍ ମାରୁଥିଲେ ଅସଲି ପୋଲିସ

72

ଭୁବନେଶ୍ୱର : ଖାଲି ଫେସ୍ବୁକ୍ ପୋଷ୍ଟ ନୁହେଁ, ଚାରିଆଡ଼େ ନିଜକୁ ଡିଏସ୍ପି ର୍ୟାଙ୍କ ପୋଲିସ ପରିଚୟରେ ବୁଲୁଥିଲା । ଏକ କଳାରଙ୍ଗର ସ୍କର୍ପିଓରେ ନାଲିବତୀ ଲଗାଇ ରାଜଧାନୀରେ ଚକ୍କର କାଟୁଥିଲା । ଲକ୍ଡାଉନ, ସଟ୍ଡାଉନ୍ର ନାକା ପଏଣ୍ଟ ଚେକିଂ କଥା ଛାଡନ୍ତୁ । ବଡ଼ ବଡ଼ ପୋଲିସ ଅଧିକାରୀଙ୍କୁ ବି ଚକ୍ମା ଦେଇଯାଉଥିଲା । କମିଶନରେଟ୍ ପୋଲିସ୍ ଏମିତି ଏକ ନକଲି ଡିଏସ୍ପି ସାଜିଥିବା ଯୁବକକୁ ଅଟକ ରଖିଛି । ସପ୍ତାହନ୍ତ ସଟ୍ଡାଉନରେ ରାଜଧାନୀର ରାଜରାସ୍ତାରେ ମଦ ପିଇବା ବେଳେ ପୋଲିସ ତାକୁ ଧରିଛି । ସୂଚନାଯୋଗ୍ୟ ଯେ, ଯୁବକର ନାଁ ଜାକେଶ କୁମାର ମହାନ୍ତି । ଘର କୋରାପୁଟ ଅଞ୍ଚଳରେ । ତା’ ବାପା ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ।

କିଛି ଦିନ ହେଲା ଜାକେଶ ଏକ ସ୍କର୍ପିଓ କାର (ଓଡି୦୨ଜି ୩୨୬୫)ରେ ନାଲିବତୀ ଲଗାଇ ବୁଲୁଥିଲା । ନାକା ପଏଣ୍ଟରେ ଚେକିଂ ବେଳେ ବଡ଼ ଅଫିସର ଭାବି ପୋଲିସ କର୍ମଚାରୀ ଉକ୍ତ ଗାଡି଼କୁ ଛାଡି଼ ଦେଉଥିଲେ । ଏମିତିକି ସ୍କର୍ପିଓଟି ବାରିକେଡ୍ ଡେଇଁବା ବେଳେ ପୋଲିସମାନେ ତାକୁ ସ୍ୟାଲୁଟ୍ ମାରୁଥିଲେ । ରବିବାର ୟୁନିଟ୍-୯ ଅଞ୍ଚଳର ଏକ ଗଳିରେ ଉକ୍ତ ସ୍କର୍ପିଓଟି ରାସ୍ତା ମଝିରେ ଅଟକିଥିଲା । ୨-୩ଜଣ ସାଙ୍ଗ ସହ ସେ ସ୍କର୍ପିଓ ଭିତରେ ମଦ ପିଉଥିଲେ । ସେମାନେ ନିଶାରେ ଚୁର୍ ହୋଇ ହୋହାଲ୍ଲା କରୁଥିଲେ । ସେଠାକାର ଜଣେ ବାସିନ୍ଦା ଏନେଇ ପୋଲିସ କଣ୍ଟ୍ରୋଲ ରୁମ୍କୁ ଜଣାଇଥିଲେ । ଘଟଣାସ୍ଥଳକୁ ପିସିଆର ଭ୍ୟାନ୍ ପହଞ୍ଚିବା ଦେଖି ଯୁବକମାନେ ଆହୁରି ଚିଲ୍ଲାଇଥିଲେ ।

ନିଜକୁ ଆଇପିଏସ୍ ଅଧିକାରୀ ବୋଲି କହିବା ସହ ସେଠାରୁ ଯିବାକୁ ଧମକ ଦେଇଥିଲେ । ତେବେ ଜାକେଶର ଚାଲିଚଳଣ ଉପରେ ପିସିଆର ଭ୍ୟାନ୍ କର୍ମଚାରୀଙ୍କ ସନ୍ଦେହ ଉପୁଜିଥିଲା । ଏନେଇ ସେମାନେ କଣ୍ଟ୍ରୋଲ ରୁମ୍କୁ ଖବର ଦେବା ପରେ ଅନ୍ୟ ପୋଲିସ୍ ଅଧିକାରୀମାନେ ସେଠାକୁ ଯାଇ ଯୁବକଙ୍କ ପରିଚୟ ପଚାରିଥିଲେ । ଜାକେଶ କୌଣସି ପ୍ରକାର ପୋଲିସ୍ ଆଇ-କାର୍ଡ ଦେଖାଇ ପାରିନଥିଲେ । ପୋଲିସର ସନ୍ଦେହ ଉପୁଜିବାରୁ ତାକୁ ସହିଦନଗର ଥାନାକୁ ଅଣାଯାଇଥିଲା । ଜେରାବେଳେ ଜାକେଶର କଳାକରାନାମା ସମ୍ପର୍କରେ ପୋଲିସ୍ ଜାଣିବାକୁ ପାଇଲା । ପୋଲିସ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।

Comments are closed.