ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର

69

-ସ୍ନାନପୂର୍ଣ୍ଣିମା ପାଇଁ ୧୪୪ ଧାରା
-ପୁରୀକୁ ଜଗିବେ ୩୫ ପ୍ଲାଟୁନ୍ ଫୋର୍ସ

ପୁରୀ : ଶ୍ରୀକ୍ଷେତ୍ରରେ ହେବାକୁ ଥିବା ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ଲାଗୁ ହେବ ୧୪୪ ଧାରା । ଆସନ୍ତାକାଲି ଅର୍ଥାତ୍ ୨୩ ତାରିଖ ରାତି ୧୦ ଟାରୁ ୧୪୪ ଧାରା ଜାରି ହୋଇ ୨୫ ତାରିଖ ଯାଏଁ ଏହା ବଳବତ୍ତର ରହିବ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବଂ ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଆୟୋଜନ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତି ବିଶେଷଙ୍କୁ ପୁରୀ ପ୍ରବେଶ ପାଇଁ ଅନୁମତି ରହିବ । ଉପଜିଲ୍ଲାପାଳ ଭବତାରଣ ସାହୁ ଏହି ସୂଚନା ଦେଇଛନ୍ତି । ଆଦେଶ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ,ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ୨୪ରେ ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା ପଡୁଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସେପଟେ ରାଘବଦାସ ମଠ ଓ ଗୋପାଳତୀର୍ଥ ମଠ ପକ୍ଷରୁ ହାତୀ ବେଶର ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଦୁଇ ମଠ ପକ୍ଷରୁ ଶ୍ରୀଜୀଉମାନଙ୍କ ହାତୀ ବେଶ ଏବଂ ମହାପ୍ରଭୁଙ୍କ ପହଣ୍ଡି ପାଇଁ ଟାହିଆ ପ୍ରସ୍ତୁତ କରାଯାଇଥାଏ । ଅନ୍ୟପଟେ ଶ୍ରୀଜୀଉଙ୍କ ସ୍ନାନ ଓ ରଥଯାତ୍ରାର ନୀତି ନିର୍ଘଣ୍ଟ କରାଯାଇଛି । ଛତିଶା ନିଯୋଗ ବୈଠକରେ ସ୍ନାନଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ନୀତି ନିର୍ଘଣ୍ଟ ସ୍ଥିର ହୋଇସାରିଛି । କୋଭିଡ୍ ସଂକ୍ରମଣକୁ ଦେଖି ଗତବର୍ଷ ଭଳି ଏବର୍ଷ ବି ଘୋଷଯାତ୍ରା ବିନା ଭକ୍ତରେ ହେବାକୁ ଯାଉଛି । ୧୦୮ ଗରା ପାଣିରେ ଗୋଧୋଇବେ ମହାପ୍ରଭୁ ।

କିନ୍ତୁ ମହାବାହୁଙ୍କ ଏହି ଅପୂର୍ବ ଦୃଶ୍ୟ ଦେଖିବାକୁ ପାଇପାରିବେନି ସାଧାରଣ ଭକ୍ତ । କରୋନା ଭାଇରସ ମହାମାରୀ ଯୋଗୁଁ ଗତବର୍ଷ ଭଳି ଚଳିତ ଥର ମଧ୍ୟ ବିନା ଭକ୍ତରେ ଶ୍ରୀଜୀଉଙ୍କର ଦେବସ୍ନାନ ପୂର୍ଣ୍ଣିମା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆସନ୍ତା ଜୁଲାଇ ୧୨ ତାରିଖରେ ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହେବ । ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ ବୋଲି ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିସାରିଛନ୍ତି । ଅନ୍ୟ ଜଗନ୍ନାଥ ମନ୍ଦିର ଭିତରେ କେବଳ ରଥଯାତ୍ରା ନୀତି ଅନୁଷ୍ଠିତ ହେବ ।

Comments are closed.