ବୋର୍ଡ ନିଷ୍ପତ୍ତିରେ ହସ୍ତକ୍ଷେପ ପାଇଁ ମନା କଲେ : ସିବିଏସ୍ଇ ଓ ଆଇସିଏସ୍ଇ ନିଷ୍ପତ୍ତି କାଏମ୍

59

ନୂଆଦିଲ୍ଲୀ : ସିବିଏସ୍ଇ ଓ ଆଇସିଏସ୍ଇ ଦ୍ୱାରା ଧାର୍ଯ୍ୟ ବ୍ୟବସ୍ଥାରେ ହିଁ ଦ୍ୱାଦଶ ପରୀକ୍ଷାର ମୂଲ୍ୟାୟନ ହେବ । ପରୀକ୍ଷା ରଦ୍ଦ ନିଷ୍ପତ୍ତି ପରେ ଆଭ୍ୟନ୍ତରୀୟ ମୂଲ୍ୟାୟନ ଫର୍ମୁଲା ବାହାର କରିଥିଲେ ଉଭୟ ବୋର୍ଡ । ଏହି ବ୍ୟବସ୍ଥା ପାଇଁ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଅଫ୍ଲାଇନ୍ ରେ ପରୀକ୍ଷା ଦେଇପାରିବେ ବୋଲି ନିଷ୍ପତ୍ତି ହୋଇଥିଲା । ଏହାକୁ ବିରୋଧ କରି କିଛି ଛାତ୍ରଛାତ୍ରୀ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ଏହାକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।
ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ଲାଗି ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ମଧ୍ୟରେ ଇଚ୍ଛାଧୀନ ଅଫଲାଇନ୍ ପରୀକ୍ଷା ହୋଇପାରେ । ସିବିଏସ୍ଇ ଓ ଆଇସିଏସ୍ଇ ମୂଲ୍ୟାୟନ ପଦ୍ଧତିକୁ ଆଜି ଅନୁମତି ଦେଇଛନ୍ତି ସୁପ୍ରିମ୍କୋର୍ଟ ।

ସିବିଏସ୍ଇ ଓ ଆଇସିଏସ୍ଇର ମୂଲ୍ୟାୟନ ପଦ୍ଧତିକୁ ନେଇ ପୂର୍ବରୁ ଅସନ୍ତୋଷ ତେଜିଥିଲା । ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କିଛି ଛାତ୍ରଛାତ୍ରୀ । ଆବେଦନକାରୀ ଛାତ୍ରଛାତ୍ରୀମାନେ ଅସନ୍ତୋଷ ଜାହିର କରିବା ସହ କେତେକ ପ୍ରସ୍ତାବ ଦେଇଥିଲେ । ମୂଲ୍ୟାୟନରେ କମ୍ପାର୍ଟମେଣ୍ଟ, ଫେଲ ହୋଇ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ, ଡ୍ରପ୍ଆଉଟ ଓ ଘରୋଇ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା କରିବାକୁ ଆବେଦନକାରୀ ଦାବି କରିଥିଲେ । ସିବିଏସ୍ଇର ନିଷ୍ପତ୍ତି ସମ୍ବିଧାନ ଦେଇଥିବା ଅଧିକାରକୁ କ୍ଷୁଣ୍ଣ କରୁଛି ବୋଲି ଦର୍ଶାଇଥିଲେ ଆବେଦନକାରୀ ।

ଏଥିସହ ପରୀକ୍ଷାର୍ଥୀ, ଅଭିଭାବକ, ଶିକ୍ଷକ ପାଇଁ ସ୍ୱାସ୍ଥ୍ୟ ସମ୍ପର୍କୀତ ସମସ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ଆବେଦନରେ ଦର୍ଶାଇଥିଲେ । ଆଇନଜୀବୀ ମଞ୍ଜୁ ଜେଠଲିଙ୍କ ଜରିଆରେ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ଦ୍ୱାଦଶ ଛାତ୍ରଛାତ୍ରୀଙ୍କର କେମିତି ମୂଲ୍ୟାୟନ କେଉଁ ଆଧାରରେ ହେବ ସେ ନେଇ ୧୭ ତାରିଖରେ ସୁପ୍ରିମ୍କୋର୍ଟଙ୍କୁ ବିସ୍ତୃତ ତଥ୍ୟ ଦେଇଥିଲେ ସିବିଏସ୍ଇ କର୍ତ୍ତୃପକ୍ଷ । ସିବିଏସ୍ଇର ଏହି ଫର୍ମୁଲାକୁ ଗ୍ରହଣ କରିଥିଲେ ସୁପ୍ରିମକୋର୍ଟ । ତେବେ ଆଜି ଏହି ମାମଲାର ଶୁଣାଣୀ କରି ସିବିଏସ୍ଇ ଓ ଆଇସିଏସ୍ଇର ମୂଲ୍ୟାୟନ ପଦ୍ଧତିକୁ ସୁପ୍ରିମ୍କୋର୍ଟ ଅନୁମତି ଦେଇଛନ୍ତି । ଅର୍ଥାତ ପୂର୍ବ ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ମୂଲ୍ୟାୟନ କରାଯିବ ।

Comments are closed.