କୋଭାକ୍ସିନ୍ ୭୭.୮% ପ୍ରଭାବୀ

64

ନୂଆଦିଲ୍ଲୀ : ଭାରତର ସ୍ୱଦେଶୀ ଭ୍ୟାକସିନ୍ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲର ରେଜଲ୍ଟ ମଙ୍ଗଳବାର ସାମ୍ନାକୁ ଆସିଛି । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଭ୍ୟାକସିନ୍ “କୋଭାକ୍ସିନ’ ୭୭.୮ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି । ନ୍ୟୁଜ୍ ଏଜେନ୍ସି ଏଏନଆଇ ସୂତ୍ରରେ କୁହାଯାଇଛି ଯେ ଡିଜିସିଆଇର ସବଜେକ୍ଟ ଏକ୍ସପର୍ଟ କମିଟି (ଏସଇସି) ଦ୍ୱାରା ଅନୁମୋଦିତ କରାଯାଇଥିବା ଫେଜ୍-୩ ଟ୍ରାଏଲ୍ ଡାଟା ମୁତାବକ କୋଭାକ୍ସିନ୍ କରୋନା ବିରୋଧରେ ୭୭.୮% ପ୍ରଭାବଶାଳୀ । ଭାରତ ବାୟୋଟେକ୍ ପକ୍ଷରୁ କେନ୍ଦ୍ର ସରକାରଙ୍କ କମିଟିକୁ ଏହି ରିପୋର୍ଟ ହସ୍ତାନ୍ତର କରି ଦିଆଯାଇଛି ।

ତୃତୀୟ ପର୍ଯ୍ୟାୟର ଡାଟା ମିଳିବା ପରେ ଏସଇସି ମଙ୍ଗଳବାର ବୈଠକ କରିଥିଲା । ଫେଜ୍-୩ ଟ୍ରାଏଲ୍ ୨୫,୮୦୦ ଲୋକଙ୍କ ଉପରେ କରାଯାଇଥିଲା । କରୋନାରେ ଆକ୍ରାନ୍ତ ହେବା ପରେ ଏହି ଭ୍ୟାକସିନ୍ କେତେ ପ୍ରଭାବଶାଳୀ ତାହା ଏହି ଟ୍ରାଏଲରେ ପରୀକ୍ଷଣ ହୋଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତ ବାୟୋଟେକର କୋଭିଡ୍ ଭ୍ୟାକସିନ୍ ପାଇଁ ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟର ପ୍ରସ୍ତାବକୁ ସ୍ୱୀକାର କରିଛି ଏବଂ ଟିକାକୁ ମଞ୍ଜୁରୀ ଦେବା ସମ୍ବନ୍ଧିତ ଡକ୍ୟୁମେଣ୍ଟ ପ୍ରଦାନ କରିବା ପୂର୍ବରୁ ଜୁନ୍ ୨୩ ତାରିଖରେ ଡବ୍ଲୁଏଚଓ ସହ ବୈଠକ ହେବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଏହି ବୈଠକରେ ଉତ୍ପାଦର ସବିଶେଷ ସମୀକ୍ଷା କରାଯିବ ନାହିଁ, କିନ୍ତୁ ଟିକା ଉତ୍ପାଦନକାରୀଙ୍କ ନିକଟରେ ଟିକାର ଗୁଣବତ୍ତାକୁ ନେଇ ସଂକ୍ଷିପ୍ତ ବିବରଣୀ ଉପସ୍ଥାପନ କରିବା ପାଇଁ ସୁଯୋଗ ମିଳିବ ।

ସୂଚନାଯୋଗ୍ୟ, ଭାରତ ବାୟୋଟେକ୍ ଗତ ମାସରେ କହିଥିଲା ଯେ ଜୁଲାଇ-ସେପ୍ଟେମ୍ବର ସୁଦ୍ଧା କୋଭାକ୍ସିନ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ହୁ’ରୁ ଅନୁମୋଦନ ମିଳିଯିବ । ଭାରତରେ ବର୍ତ୍ତମାନ ଦୁଇଟି କରୋନା ଟିକା ଦ୍ୱାରା ଟିକାକରଣ ଅଭିଯାନ ଚାଲିଛି । ପ୍ରଥମଟି ହେଉଛି ଆଷ୍ଟ୍ରାଜେନେକାର କରୋନା ଟିକା, ଯାହାକୁ ସେରମ ଇନଷ୍ଟିଚ୍ୟୁଟ୍ କୋଭିଶିଲ୍ଡ ନାମରେ ପ୍ରସ୍ତୁତ କରିଛି । ଦ୍ୱିତୀୟଟି ଭାରତ ବାୟୋଟେକର କୋଭାକ୍ସିନ୍ । ଏହା ସମ୍ପୂର୍ଣ୍ଣ ରୂପେ ସ୍ୱଦେଶୀ ଟିକା । କରୋନା ଯେଉଁ ସମୟରେ ପିକରେ ଥିଲା ଓ ଟିକାକରଣ ଅଭିଯାନକୁ ଶୀଘ୍ର ଆରମ୍ଭ କରିବାର ଥିଲା, ସେତେବେଳେ କୋଭିଶିଲ୍ଡ ଓ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିଲା । ସେତେବେଳେ ତୃତୀୟ ପର୍ଯ୍ୟାୟ ଟ୍ରାଏଲର ରେଜଲ୍ଟ ବିନା କୋଭାକ୍ସିନକୁ ମଞ୍ଜୁରୀ ମିଳିବା ନେଇ ଅନେକ ବିବାଦ ହୋଇଥିଲା । ହେଲେ ଟିକାକରଣ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ କୋଭାକ୍ସିନରେ କେହିବି ଗୁରୁତର ହୋଇଥିବା ଖବର ସାମ୍ନାକୁ ଆସିନାହିଁ । ଭାରତ ବାୟୋଟେକ କହିଛି ଯେ ସେମାନେ ଟିକାର ଚତୁର୍ଥ ଟ୍ରାଏଲ୍ ମଧ୍ୟ କରୁଛନ୍ତି । ବର୍ତ୍ତମାନ କୋଭାକ୍ସିନକୁ ଡବ୍ଲୁଏଚଓ ଦ୍ୱାରା ଜରୁରୀକାଳୀନ ବ୍ୟବହାର ଭ୍ୟାକସିନ୍ ତାଲିକାରେ ସ୍ଥାନ ମିଳିନାହିଁ । ଏହାକୁ ନେଇ ପ୍ରୟାସ ଜାରି ରହିଛି ।

Comments are closed.