‘ଏଣିକି କମ୍ପାନୀଠାରୁ ସିଧାସଳଖ ଟିକା କିଣିପାରିବେ ଘରୋଇ ହସ୍ପିଟାଲ’

68

ଭୁବନେଶ୍ୱର : ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଛି କରୋନା ସଂକ୍ରମଣ । ତୃତୀୟ ଲହର ଆସୁ କି ନ ଆସୁ ଟିକାକରଣକୁ ଜୋରଦାର କରିବାକୁ ଜାରି ରହିବ ଉଦ୍ୟମ । କରୋନା କଟକଣା ପାଳନରେ ଢିଲା ନଦେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଭୁତାଣୁକୁ ଦୂରେଇବା ପାଇଁ ସମସ୍ତେ ଟିକା ନେବା ଦରକାର । ତୃତୀୟ ଲହରର ପ୍ରଭାବ କଣ ରହିବ ଏବେଠୁ କହିହେବନି । ଭୁତାଣୁର ମ୍ୟୁଟେସନ ହେଉଛି । ତେଣୁ ତା ପାଇଁ ଆଶଙ୍କା ରହୁଛି । ଦ୍ୱିତୀୟ ଲହରରେ ଯେମିତି ଅସୁବିଧାରେ ପଡିଲେ ତୃତୀୟ ଲହରରେ ବି ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ତେବେ ଆମେ ସମସ୍ତେ ମିଳିମିଶି କାମକଲେ ଏହାର କିଛି ପ୍ରଭାବ ପଡ଼ିବନି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ପରିବାର କଲ୍ୟାଣ ନିର୍ଦ୍ଦେଶକ ମଧ୍ୟ ଟିକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ତୃତୀୟ ଲହର ଆସିବା ପୂର୍ବରୁ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ଏବେ ସୁଦ୍ଧା ୧ କୋଟିରୁ ଅଧିକ ଡୋଜ୍ ଟିକାକରଣ ହୋଇସାରିଛି । ଘରୋଇ ହସ୍ପିଟାଲ ଗୁଡିକ ଚାହିଁଲେ ଆଜିଠୁ ସିଧାସଳଖ ଭ୍ୟାକ୍ସିନ ପ୍ରସ୍ତୁତକାରୀ କମ୍ପାନିଠାରୁ ଟିକାକିଣି ଦେଇପାରିବେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ସୂଚନାଥାଉ କି ଦେଶରେ ବର୍ତ୍ତମାନ ୨୮ କୋଟି ୮୭ ଲକ୍ଷ ୬୬ ହଜାର ୨୦୧ ଡୋଜ୍ ଟିକାକରଣ ହୋଇଛି । ତେବେ ଦେଶରେ ଚିନ୍ତା ବଢ଼ାଉଛି କରୋନା ଭୂତାଣୁର ଡେଲ୍ଟା ପ୍ଲସ୍ ଭାରିଆଣ୍ଟ । କାରଣ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଚିହ୍ନଟ ହେଉଥିବାବେଳେ ମହାରାଷ୍ଟ୍ରରେ ୨୧ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏନେଇ ସ୍ପଷ୍ଟ କରିଛନ୍ତି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ । ଏହା ଏବେ ମହାରାଷ୍ଟ୍ର ସରକାରଙ୍କର ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । ଦେଶରେ ବିଶେଷ କରି ମହାରାଷ୍ଟ୍ର ଏବଂ କେରଳରେ ଏକାଧିକ ମାମଲା ସାମ୍ନାକୁ ଆସିଲାଣି । ରାଜ୍ୟରେ ଏହି ମ୍ୟୁଟାଣ୍ଟ ରୋଗୀ ଦେଖିବାକୁ ମିଳି ନ ଥିଲେ ହେଁ, ମୃତ୍ୟୁ ସଂଖ୍ୟା ଚିନ୍ତା ବଢଉଛି । ସଂକ୍ରମଣ ହାର କମୁଥିଲେ ହଁ ମୃତ୍ୟୁ ସଂଖ୍ୟା କମୁନାହିଁ । ଆଜି ୩୮ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୩୬୭୧କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୨୯୫୭ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ୨୪ ଘଣ୍ଟା ମଧ୍ୟରେ ୪୫୮୭ ଜଣ କରୋନାମୁକ୍ତ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ପଜିଟିଭ ସଂଖ୍ୟା ୮,୮୩,୪୯୦ ଥିବାବେଳେ ସୁସ୍ଥ ହୋଇଛନ୍ତି ୮,୪୪,୮୦୧ । ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ କେସ
ରହିଛି ୩୪,୯୬୫ ।

Comments are closed.