ବର୍ଷା, ତେଲ ଦରବୃଦ୍ଧି ଯୋଗୁଁ ରାଜଧାନୀରେ ପରିବା ଦର ଆକାଶଛୁଆଁ

76

ଭୁବନେଶ୍ୱର : ଲଗାତାର ତେଲ ଦର ବୃଦ୍ଧି ଓ ବର୍ଷା କାରଣରୁ ରାଜଧାନୀ ଭୁବନେଶ୍ୱରରେ ପରିବା ଦର ଏବେ ଅକାଶଛୁଆଁ ହୋଇଛି । ଗତ କିଛିଦିନ ଧରି ବର୍ଷା ଲାଗି ରହିଥିବା ହେତୁ ଏକେତ ରାଜଧାନୀକୁ ପରିବା ଟ୍ରକ ଆସୁନାହିଁ । ତେଣେ ଦୈନନ୍ଦିନ ଡିଜେଲ ଦାମ ବୃଦ୍ଧି ପାଇବା କାରଣରୁ ଚାଷୀମାନେ ଅଧିକ କ୍ଷତି ସହିବା ପାଇଁ ପ୍ରସ୍ତୁତ ନୁହଁନ୍ତି । ଏଭଳି ସ୍ଥିତି ହୋଇଛି ଯେ ପନିପରିବାରେ ହାତ ମାରି ହେଉନାହିଁ । ମଙ୍ଗଳବାର ଦିନ ଭୁବନେଶ୍ୱରରେ ସଜନା ଛୁଇଁ କିଲୋ ପ୍ରତି ୧୬୦ ଟଙ୍କା ହୋଇଥିବା ବେଳେ ବିନ ଛୁଇଁ ୧୩୦ ଟଙ୍କା ଓ କାପସିକମ୍ ଶହେ ଟଙ୍କାରେ ବିକ୍ରି ହେଉଥିଲା ।

ପରିବା ଅପେକ୍ଷା ମାଛ ମାଂସ ଶସ୍ତା ଭଳି ଲାଗୁଛି ବୋଲି କହିଛନ୍ତି ଜଣେ ଗ୍ରାହକ ଭାରତୀ ପରିଡ଼ା । ପରିବା କିଣିବା ପାଇଁ ଥରେ ବଜାରକୁ ଗଲେ ୫୦୦ ଟଙ୍କା ବି ନିଅଣ୍ଟ ବୋଲି ସେ କହିଛନ୍ତି । ପରିବା କେବଳ ନୁହେଁ ଇତିମଧ୍ୟରେ ଆଳୁ,ପିଆଜ ଦାମ ମଧ୍ୟ ବୃଦ୍ଧି ପାଇଛି । ଗତ ସପ୍ତାହରେ ଟମାଟୋ କେଜି ପିଛା ୨୦ ଟଙ୍କା ବିକ୍ରି ହେଉଥିବା ବେଳେ ଏବେ ଏହା ୩୦ଟଙ୍କା ହୋଇଛି । ସେହିଭଳି ଆଳୁ କେଜି ପିଛା ୨୦ ଟଙ୍କା ହୋଇଥିବା ବେଳେ ପିଆଜ ୩୦ ଟଙ୍କା ଛୁଇଁଛି । ପୋଟଳ, ଭେଣ୍ଡି, କଲରା ଦାମ ମଧ୍ୟ ସେହି ଅନୁପାତରେ ବଢ଼ିଛି ।

ରାଜଧାନୀର ପରିବା ବ୍ୟବସାୟୀଙ୍କ କହିବା କଥା ଯେ ତେଲ ଦର ବୃଦ୍ଧି ସହିତ ବର୍ଷା ଲାଗି ରହିଥିବା ଯୋଗୁଁ ଦୈନିକ ଯେତିକି ପରିବା ଆସିବା କଥା ତାହା ଆସିପାରୁନାହିଁ । ଆହୁରିମଧ୍ୟ ନିକଟରେ ଆସିଥିବା ୟାସ ବାତ୍ୟା ଯୋଗୁଁ ପରିବା ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ଯଥେଷ୍ଟ ପରିମାଣରେ ପରିବା ଆସି ପାରୁନଥିବାରୁ ସ୍ୱାଭାବିକ ଭାବରେ ଦାମ ବଢୁଛି ବୋଲି କହିଛନ୍ତି ୟୁନିଟ ୧ ହାଟର ପରିବା ବ୍ୟବସାୟୀ ଶରତ ସାହୁ । ୟାସ ବାତ୍ୟା ଯୋଗୁଁ ପରିବା ଉତ୍ପାଦନ ମାଡ଼
ଖାଇଥିବା ବେଳେ ଡିଜେଲ ଦାମ ବୃଦ୍ଧି କାରଣରୁ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ତେଲେଙ୍ଗାନାରୁ ପରିବା ଟ୍ରକ ଆସୁନାହିଁ ବୋଲି କହିଛନ୍ତି ଚାରି ନମ୍ବର ମାର୍କେଟର ଜଣେ ବ୍ୟବସାୟୀ ରାମକୃଷ୍ଣ ସାବତ ।

Comments are closed.