ସତର୍କତା-ସହଯୋଗ ଆମର ମୂଳ ମନ୍ତ୍ର

61

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ୮ ଜିଲ୍ଲାରେ ଲିକ୍ୟୁଡ ମେଡ଼ିକାଲ ଅକ୍ସିଜେନ ଏବଂ ପିଏସ୍ଏ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଜିଲ୍ଲାଗୁଡିକ ହେଲାବରଗଡ, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, ରାୟଗଡା ଓ ମାଲକାନଗିରି । ଏହାସହିତ ବ୍ରହ୍ମପୁର ସିଟି ହସ୍ପିଟାଲରେ ୧୨ ଶଯ୍ୟା ବିଶିଷ୍ଟ ନବଜାତ ଶିଶୁ ଚିକିତ୍ସା କେନ୍ଦ୍ର, ଭଞ୍ଜନଗରରେ ଡାୟାଲିସିସ୍ ୟୁନିଟ, କୁକୁଡାଖଣ୍ଡି ବ୍ଲକ୍ ରେ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଦିଗପହଣ୍ଡି ବ୍ଲକ୍ ରେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟ କୋଭିଡ ଯୋଦ୍ଧାମାନଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ ଦ୍ୱିତୀୟ ଲହର ସ୍ଥିତିରେ ଉନ୍ନତି ଆସିଥିଲେ ମଧ୍ୟ କେତେକ ଉପକୂଳବର୍ତ୍ତୀ ଜିଲ୍ଲାର ପରିସ୍ଥିତିରେ ସ୍ଥିରତା ରହୁନାହିଁ ।

ସେହିପରି ତୃତୀୟ ଲହର ନେଇ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ରଖୁଛନ୍ତି । ତା ସହିତ କେତେକ ରାଜ୍ୟରେ ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟ ମଧ୍ୟ ଦେଖାଦେଲାଣି । ତେଣୁ କୌଣସି ପରିସ୍ଥିତିରେ ଆମର ପ୍ରସ୍ତୁତିରେ ସାମାନ୍ୟତମ ଅବହେଳା କରାଯାଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ମତପ୍ରକାଶ କରିଛନ୍ତି । ପ୍ରସ୍ତୁତି,ସତର୍କତା ଓ ସହଯୋଗ ଆମର ମୂଳମନ୍ତ୍ର ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ପ୍ରସ୍ତୁତି, ଜନସାଧାରଣଙ୍କ ସତର୍କତା ଓ ସହଯୋଗ ଜରିଆରେ ହିଁ ଆମେ ଏ ଲଢେଇ ଜିତିପାରିବା । କୋଭିଡ ନିୟମ ପାଳନ ସହିତ ଟିକାକରଣ କ୍ଷେତ୍ରରେ ମଧ୍ୟ ଜନସାଧାରଣଙ୍କ ସହଯୋଗ କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ୧ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇସାରିଲାଣି । ଜୀବନ ସହିତ ଜୀବିକା ଉପରେ ସେ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି ବୋଲି ପ୍ରକାଶ କରି ରାଜ୍ୟ ସରକାର ନିକଟରେ ଗରିବ ଲୋକ ଓ ଚାଷୀମାନଙ୍କ ପାଇଁ ୧୬୯୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୂର୍ବରୁ ୧୫ଟି ଜିଲ୍ଲାରେ ଏଲ୍ଏମ୍ଓ ଏବଂ ପିଏସ୍ଏ ପ୍ଲାଣ୍ଟ ପାଇଁ କାମ ଆରମ୍ଭ ହୋଇଥିବା ବେଳେ ଆଜି ଆଉ ୮ ଜିଲ୍ଲାରେ ଏହିସବୁ ଅକ୍ସିଜେନ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ରଖାଗଲା । ଲୋକଙ୍କୁ ଉତ୍ତମସେବା ଯୋଗାଇଦେବାରେ ରାଜ୍ୟ ସରକାରଙ୍କ ଏହି ଉଦ୍ୟମରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବ୍ରହ୍ମପୁରଠାରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଆଜି ଗଞ୍ଜାମ ପାଇଁ ଏକ ସୌଭାଗ୍ୟର ଦିନ । ଗଞ୍ଜାମ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସେ ଆଲୋକପାତ କରିଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ, ବିଜ୍ଞାନ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଅଶୋକ ପଣ୍ଡା, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଅନୁସୂଚିତ ଜନଜାତି, ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ ଓ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ରାଜ୍ୟରେ କୋଭିଡ ଯୁଦ୍ଧରେ ଓଡିଶାର ଉତ୍ତମ ପ୍ରଦର୍ଶନ ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟୀ ଓ ଦକ୍ଷ ନେତୃତ୍ୱର ଉଚ୍ଚପ୍ରଶଂସା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରେ ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ । ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.