ସୁପ୍ରିମ୍କୋର୍ଟରେ ଯୁକ୍ତ ଦୁଇ ମୂଲ୍ୟାୟନ ମାମଲା : ଜୁଲାଇ ୩୧ ସୁଦ୍ଧା ଫଳ ପ୍ରକାଶ କରିବାକୁ ନିର୍ଦ୍ଦେଶ

76

ନୂଆଦିଲ୍ଲୀ : କରୋନା ମହାମାରୀକୁ ନଜରରେ ରଖି ସିବିଏସ୍ଇ ସମେତ ରାଜ୍ୟ ବୋର୍ଡ ମଧ୍ୟ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିଥିଲେ । ଏହାପରେ ମୂଲ୍ୟାୟନକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା । କେଉଁ ଆଧାରରେ ମୂଲ୍ୟାୟନ ହେବ ଏବଂ କେବେ ଫଳ ପ୍ରକାଶ ପାଇବ ଏହାକୁ ନେଇ ଉଭୟ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଚିନ୍ତାରେ ଅଛନ୍ତି । ଏହା ଭିତରେ ସୁପ୍ରିମକୋର୍ଟ ୧୦ ଦିନ ମଧ୍ୟରେ ଦ୍ୱାଦଶ ଶ୍ରେଣୀ ପାଇଁ ମୂଲ୍ୟାୟନ ସ୍କିମ୍ ଜାରି କରିବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସମସ୍ତ ରାଜ୍ୟ ବୋର୍ଡ ସବିଏସ୍ଇ ଏବଂ ଆଇସିଏସ୍ଇ ଭଳି ଧାର୍ଯ୍ୟ ସମୟ ଅବଧି ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରନ୍ତୁ ବୋଲି ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।

ଜଷ୍ଟିସ୍ ଏ.ଏମ୍.ଖାନୱିଲକର ଏବଂ ଦିନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠ ଓକିଲ ଅନୁଭା ସହାୟ ଶ୍ରୀବାସ୍ତବଙ୍କ ପକ୍ଷରୁ ଦାଏର ଆବେଦନ ଉପରେ ଶୁଣାଣି କରିଛନ୍ତି । ଏଥିରେ ରାଜ୍ୟ ବୋର୍ଡ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିବାକୁ ଦାବି କରାଯାଇଥିଲା । ଆନ୍ଧ୍ରପ୍ରଦେଶ ସରକାର ଦ୍ୱାଦଶ ପରୀକ୍ଷା କରାଇବାକୁ ନେଇ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟରେ କହିଛନ୍ତି, ଏନେଇ ରାଜ୍ୟ ସରକାରଙ୍କ ପାଖରେ ସ୍ପଷ୍ଟ ଯୋଜନା ଥିବା ଆବଶ୍ୟକ । ଏମିତି କେମିତି ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ ଖେଳିବେ ? ଏହା ପୂର୍ବରୁ ସିବିଏସ୍ଇ, ସିଆଇଏସ୍ସିଇ, ୟୁପି ବୋର୍ଡ, ଓଡ଼ିଶା ବୋର୍ଡ, ରାଜସ୍ଥାନ ବୋର୍ଡ, ପଞ୍ଜାବ ବୋର୍ଡ, ହରିୟାଣା ବୋର୍ଡ,ମହାରାଷ୍ଟ୍ର ବୋର୍ଡ, ଗୁଜୁରାଟ ବୋର୍ଡ ସମେତ ଦେଶର ଅନେକ ରାଜ୍ୟ ବୋର୍ଡ ନିଜର ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରୋନା ମହାମାରୀ ପାଇଁ ବାତିଲ କରିଛନ୍ତି । କିନ୍ତୁ ଆନ୍ଧ୍ରପ୍ରଦେଶ ସରକାର ପରୀକ୍ଷା ବାତିଲ ନେଇ ଘୋଷଣା କରିନାହାନ୍ତି । ତେବେ ପ୍ରତ୍ୟେକ ରାଜ୍ୟ ବୋର୍ଡର ସମାନ ମୂଲ୍ୟାୟନ ସ୍କିମ୍ ହୋଇପାରିବ ନାହିଁ । ତେଣୁ ଏନେଇ କୌଣସି ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି ।

Comments are closed.