ଲକ୍ଡାଉନ୍କୁ ପୂରିଲା ୫୦ଦିନ : ସଂକ୍ରମଣ କମୁଛି, ମୃତ୍ୟୁସଂଖ୍ୟା ବେକାବୁ

76

ଭୁବନେଶ୍ୱର: କରୋନା ସେକେଣ୍ଟ ୱେଭ୍କୁ ଚେକ୍ ଦେବା ପାଇଁ କରାଯାଇଥିବା ଲକ୍ଡାଉନ୍କୁ ୫୦ ଦିନ ପୂରିଛି । କରୋନା ଚେନ୍ ଭାଙ୍ଗିବା ପାଇଁ ୩ଟି ପର୍ଯ୍ୟାୟରେ ତାଲାବନ୍ଦ କରାଯାଇଥିଲା । ଜୁନ୍ ୧୭ରୁ ଆଂଶିକ ଲକ୍ଡାଉନ୍ ବଳବତ୍ତର ରହିଛି । ମେ’ ୫ ତାରିଖରେ ରାଜ୍ୟରେ ସଂକ୍ରମଣ ୧୦ହଜାର ମୁହାଁ ହୋଇଥିଲା । ଉକ୍ତ ଦିନ ରାଜ୍ୟରୁ ୯ହଜାର ୮୮୯ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆକ୍ଟିଭ୍ କେସ୍ ମଧ୍ୟ ଥିଲା ୭୭ହଜାର ୨୫୭ । ଖାଲି ଏତିକି ନୁହେଁ, ମେ’ ୫ରେ ମୋଟ୍ ପଜିଟିଭିଟି କେସ୍ ଥିଲା ୪ଲକ୍ଷ ୮୯ହଜାର ୬୪୧ । ଏହି ସଂଖ୍ୟା ଏବେ ୮ଲକ୍ଷ ୯୦ହଜାର ୫୯୬କୁ ବୃଦ୍ଧି ପାଇଛି । ଅର୍ଥାତ୍ ୫୦ ଦିନ ଭିତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣ କମିଛି । ଲକ୍ଡାଉନ୍ ପରେ ଦୈନିକ ସଂକ୍ରମଣ ଓ ଆକ୍ଟିଭ୍ କେସ୍ କମିଛି ।

କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ମେ’ ୫ରେ ୧୯ଜଣ ପ୍ରାଣ ହରାଇଥିବା ବେଳେ ଆଜି ଏହି ସଂଖ୍ୟା ରହିଛି ୪୪ । ଅର୍ଥାତ୍ ଦୈନିକ ମୃତ୍ୟୁସଂଖ୍ୟା ଅଢ଼େଇ ଗୁଣ ବଢ଼ିଛି । ମେ’ ୫ରୁ ୧୯ ଯାଏ ପ୍ରଥମେ ୧୪ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଥିଲା । ଜରୁରିକାଳୀନ ସେବାକୁ ଛାଡ଼ି ଆଉ ସବୁ ବନ୍ଦ ଥିଲା । ମେ’ ୧୯ରୁ ଜୁନ୍ ୧ ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ
ହୋଇଥିଲା । ତଥାପି ନିୟନ୍ତ୍ରଣକୁ ଆସିନଥିଲା କରୋନା କାୟା । ଏହାପରେ ଜୁନ୍ ପହିଲାରୁ ଆଉ ୧୬ ଦିନ ଲକ୍ଡାଉନ୍ ବଢ଼ିଥିଲା । ଜୁନ୍ ୧୭ ଯାଏ ବଳବତ୍ତର ରହିଥିଲା ତୃତୀୟ ପର୍ଯ୍ୟାୟ ତାଲାବନ୍ଦ । ତିନୋଟି ପର୍ଯ୍ୟାୟ ଲକ୍ଡାଉନ୍ ପରେ ସଫଳତା ମିଳିଥିଲା । ଜୁନ୍ ୧୭ରୁ ଆଂଶିକ ଲକ୍ଡାଉନ୍ରେ ଅଛି ସାରା ରାଜ୍ୟ । ମେ’ ୫ରେ ୨୩ ଜିଲ୍ଲା ରେଡ୍ ଜୋନ୍ରେ ଥିବାବେଳେ ଏବେ ସବୁଜ ହେଉଛି ଓଡ଼ିଶା । ୧୯ ଜିଲ୍ଲା ଗ୍ରୀନ୍ ଜୋନ୍ରେ ରହିଛି ।

ରାଜ୍ୟରେ କରୋନା ସଂକ୍ରମଣ ପ୍ରଭାବ ଧୀରେ ଧୀରେ କମୁଥିଲେ ହେଁ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୪ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ କରୋନା ମୃତ୍ୟୁ ସଂଖ୍ୟା ୩, ୭୬୧ରେ ପହଞ୍ଚିଛି । ଗତ କିଛି ଦିନ ହେଲେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୦ ଉପରେ ରହୁଛି । ସଂକ୍ରମଣ ପ୍ରଭାବ କମୁଥିଲେ ହେଁ ମୃତ୍ୟୁ ହାର କମୁନି । ଏ ନେଇ ଗତ ୭ ତାରିଖରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ମୃତ୍ୟୁ ସଂଖ୍ୟ ବୃଦ୍ଧିକୁ ନେଇ କହିଥିଲେ, ୬୦ ପ୍ରତିଶତ ଲୋକ ଏବେ ମଧ୍ୟ ଗୁରୁତର ହୋଇ ଆଇସିୟୁରେ ଅଛନ୍ତି, ତେଣୁ ମୃତ୍ୟୁ ସଂଖ୍ୟା କମୁନି । ଗତକାଲି ରାଜ୍ୟରେ ୪୬ ଜଣ କରୋନା ରୋଗୀ ଆଖି ବୁଜିଥିବା ବେଳେ ଆଜି ୪୪ ଜଣ ଆଖି ବୁଜିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସବୁଠାରୁ ଅଧିକ ରହିଛି । ସଂକ୍ରମିତଙ୍କ ତାଲିକାରେ ଏହି ଜିଲ୍ଲା ଉପରେ ରହିଥିବା ବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ଉପରେ ରହିଛି । ଏହି ଜିଲ୍ଲାରୁ ସର୍ବାଧିକ ୯ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ।

ଡେଲଟା ପ୍ଲସ୍ ଭୟ, ସତର୍କ କଲା ଡବ୍ଲ୍ୟୁଏଚ୍ଓ :

ଡେଲଟା ପ୍ଲସ୍କୁ ନେଇ ବଢୁଛି ଭୟ । ଏବେ ସୁଦ୍ଧା ବିଶ୍ୱର ୮୫ ଦେଶରେ କରୋନାର ଏହି ନୂଆ ରୂପ ତଥା ଡେଲ୍ଟା ପ୍ଲସ୍ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଭାରତରେ ତୃତୀୟ ଲହର ପାଇଁ ଡେଲ୍ଟା ପ୍ଲସ୍ ଖୋରାକ ଯୋଗାଇବ ବୋଲି ଆକଳନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଦେଶର ୮ଟି ରାଜ୍ୟରେ ଡେଲଟା ପ୍ଲସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସବୁଠୁ ଅଧିକ କେସ୍ ମହାରାଷ୍ଟ୍ରରୁ ଆସିଛି । ମହାରାଷ୍ଟ୍ର ବ୍ୟତୀତ କେରଳ, ମଧ୍ୟପ୍ରଦେଶ, ତାମିଲନାଡୁ, ପଞ୍ଜାବ, ଜମ୍ମୁ-କଶ୍ମୀର, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ଡେଲଟା ପ୍ଲସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ମଧ୍ୟପ୍ରଦେଶର ଉଜ୍ଜୟିନୀ ଜେଲରେ ଡେଲଟା ପ୍ଲସ୍ ଆକ୍ରାନ୍ତ ଜଣେ ମହିଳାଙ୍କର ଗତ ୨୩ ତାରିଖରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଡେଲଟା ଭ୍ୟାରିଆଣ୍ଟ ଯୋଗୁ ଦ୍ୱିତୀୟ ଲହରରେ ଭାରତ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ଡେଲଟା ପ୍ଲସ୍ ଏହାଠାରୁ ବି ଅଧିକ ମାରାତ୍ମକ ବୋଲି ଅନୁମାନ ଲଗାଇଛନ୍ତି ବିଶେଷଜ୍ଞ । ଏହା ଅଧିକ ସଂକ୍ରାମକ ଓ ଅଧିକ କ୍ଷତିକାରକ ବୋଲି ଆଶଙ୍କା କରାଯାଉଛି । ଏଭଳି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ଯଦି ସାମ୍ପ୍ରତିକ ଧାରା ଅବ୍ୟାହତ ରହେ ତେବେ କରୋନାର ଅନ୍ୟ ଭ୍ୟାରିଏଣ୍ଟ ତୁଳନାରେ ଡେଲଟା ସର୍ବାଧିକ ପ୍ରଭାବିତ କରିବାର ସମ୍ଭାବନା ଅଛି । ଆଲଫା, ବିଟା, ଗାମା ଏବଂ ଡେଲଟା ଭ୍ୟାରିଏଣ୍ଟ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅଧିନସ୍ଥ ସମସ୍ତ ଅଞ୍ଚଳରେ ଚିହ୍ନଟ ହୋଇଛି । ଏଥିରେ କୁହାଯାଇଛି ଯେ ଆଲଫା ତୁଳନାରେ ଡେଲ୍ଟା ଅଧିକ ସଂକ୍ରାମକ ଏବଂ ଏଭଳି ସ୍ଥିତି ରହିଲେ ଅଧିକ ପ୍ରଭାବିତ କରାଇବାର ଆଶଙ୍କା ରହିଛି ।

Comments are closed.