ବଣୁଆ ହାତୀଙ୍କ ଉପଦ୍ରବ ଦୁଇଟି ଘର ଭାଙ୍ଗିବା ସହ ଉଜାଡ଼ି ଦେଲେ ଫସଲ

47

ମୁନିଗୁଡା : ରାୟଗଡା ବନଖଣ୍ଡ ମୁନିଗୁଡା ବନାଞ୍ଚଳ ଓ ଅମ୍ବାଦଳା ସେକ୍ସନରେ ହାତୀ ଉପଦ୍ରବ କମିବାରେ ନା ନେଉନି । ଜଙ୍ଗଲରୁ ବଣୁଆ ହାତୀ ଗାଁ ମୁହାଁ ହୋଇ କେତେବେଳେ ଘର ଭାଙ୍ଗୁଛନ୍ତି ତ କେତେବେଳେ କାହାର ଫସଲ ନଷ୍ଟ କରୁଥିବା ନିତିଦିନିଆ ହୋଇଗଲାଣି । ପୁଣି କିଛି ଦିନର ବିରତି ପରେ ଆଜି ଭୋର ସମୟରେ ଅମ୍ବାଦଳା ଥାନା ଅନ୍ତର୍ଗତ ପାଣିମୁଣ୍ଡା ଗ୍ରାମରେ  ୮ଟି ବଣୁଆ ହାତୀ  ପଶି ଦୁଇ ଜଣଙ୍କ ଘର ଭାଙ୍ଗିଛନ୍ତି । ବିଯାବଣ୍ଡଳୀ ଗ୍ରାମରେ ଥିବା କିଛି ଲୋକଙ୍କ ବାଡ଼ିରେ ପଶି କଦଳୀ ଫସଲ ନଷ୍ଟ କରିବା ସହ ନଳକୂପ ଟିକୁ ଓପାଡି ଫିଙ୍ଗିଦେଇଥିବା ଗ୍ରାମବାସୀ ଜଣାଇଛନ୍ତି । ଖବର ପାଇ ରେଞ୍ଜର ପ୍ରସନ୍ନ କୁମାର ମିଶ୍ର ମୁନିଗୁଡା ବନାଞ୍ଚଳ ଏବଂ ଅମ୍ବାଦଳା କ୍ଷେତ୍ରରୁ ଦୁଇଟି ଟିମ କୁ ପଠାଇଛନ୍ତି । ବନ ବିଭାଗ କର୍ମଚାରୀ  ଉଭୟ ମୁନିଗୁଡା ଅମ୍ବାଦଳା ହାତୀ ସ୍କ୍ୱାର୍ଡ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ଦଳ ଉପରେ ନଜର ରଖିବା ସହ  ୨୪ ଘଣ୍ଟା ଧରି ସେଠାରେ ଉପସ୍ଥିତ ରହି ମନିଟରିଂ କରୁଥିବା ଜଣାପଡିଛି ।

ଘର ଭାଙ୍ଗିଯାଇଥିବା ପରିବାରକୁ  ବନବିଭାଗ ପକ୍ଷରୁ  ବ୍ୟକ୍ତିଗତ ଭାବେ ମାନବିକତାକୁ ଲକ୍ଷ କରି ୧୦୦୦ ଲେଖାଏଁ ଦୁଇ ପରିବାର କୁ ୨୦୦୦ ଟଙ୍କା ସାହାଯ୍ୟ କରିବା ସହ ବର୍ଷା ଦିନକୁ ଲକ୍ଷ କରି ପଲିଥିନ ଯୋଗାଇ ଦିଆଜିବ  ଏବଂ ସରକାରୀ ନିୟମ ଅନୁସାରେ କ୍ଷୟକ୍ଷତି ଆକଳନ ହିସାବରେ  ଯାହା ମିଳିବ ସବୁ କିଛି ଯୋଗାଇ ଦେବା ସହ ଦୁଇଟି ପରିବାରର ସୁବିଧା ଅସୁବିଧା  ଉପରେ ନଜର ରଖିବେ ବୋଲି ରେଞ୍ଜର ପ୍ରସନ୍ନ କୁମାର ମିଶ୍ର କହିଛନ୍ତି । ଏହି ସମୟରେ ମୁନିଗୁଡା ବନପାଳ ଦୀନବନ୍ଧୁ ଶବର ଅମ୍ବାଦଳା ବନପାଳ ସୁରେଶ ଚନ୍ଦ୍ର ପାତ୍ରଙ୍କ ସମେତ ଫରେଷ୍ଟ ଗାର୍ଡ ପୁଷ୍ପାଞ୍ଜଳି ନାୟକ, ଫରେଷ୍ଟ ଗାର୍ଡ ଅହଲ୍ୟା ପାତ୍ର, ଫରେଷ୍ଟ ଗାର୍ଡ ପ୍ରଳୟ କୁମାର ଦଣ୍ଡସେନାଙ୍କ ସହ ମୁନିଗୁଡା ଅମ୍ବାଦଳାର ହାତୀ ସ୍କ୍ୱାର୍ଡ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Comments are closed.