କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନବ ଦାସଙ୍କ ଚିଠି

48

-ସରକାରୀ ଓ ଘରୋଇ ହସ୍ପିଟାଲ ଟିକା ଅନୁପାତ ପରିବର୍ତନ କରାଯାଉ 

ଭୁବନେଶ୍ୱର : ସରକାରୀ ଓ ଘରୋଇ ହସ୍ପିଟାଲ ଟିକା ଅନୁପାତ ପରିବର୍ତନ ପାଇଁ ଦାବି କରିଛି ଓଡିଶା । ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ପରିବର୍ତେ ୫ ପ୍ରତିଶତ ଟିକା ଯୋଗାଣ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଚିଠି ଲେଖିଛନ୍ତି । କେନ୍ଦ୍ର ସରକାର ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ଟିକା ଦେବାକୁ କହିଛନ୍ତି । ଘରୋଇ ହସ୍ପିଟାଲ କମ୍ ଥିବାରୁ ଟିକା ଅନୁପାତକୁ ୯୫:୫ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦାବି କରିଛନ୍ତି । 

ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ପରିବର୍ତିତ କୋଭିଡ ଟିକାକରଣ ଗାଇଡ ଲାଇନ ଅନୁଯାୟୀ, ଘରୋଇ ହସ୍ପିଟାଲଗୁଡ଼ିକ ଟିକା ପ୍ରସ୍ତୁତ କମ୍ପାନି ଠାରୁ ସିଧାସଳଖ ଭାବେ ୨୫ ପ୍ରତିଶତ ଟିକା କିଣିପାରିବେ । ଏବେ ସୁଦ୍ଧା ଓଡ଼ିଶାର ୭ଟି ହସ୍ପିଟାଲ କମ୍ପାନୀଠାରୁ ଟିକା ପାଇଛନ୍ତି । ଓଡ଼ିଶାରେ ଲୋକସଂଖ୍ୟା ଅନୁପାତରେ ଘରୋଇ ହସ୍ପିଟାଲ ସଂଖ୍ୟା ବହୁତ କମ୍ । ଏହା ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ମାତ୍ର ୫ ପ୍ରତିଶତ ।ଏଥିରୁ ଆଶଙ୍କା କରାଯାଉଛି ଯେ ପ୍ରଚଳିତ ଗାଇଡଲାଇନ ଅନୁସାରେ ରାଜ୍ୟ ତାର ୨୫ ପ୍ରତିଶତ ଟିକା ଅନୁଦାନକୁ ହରାଇବ ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ସଚିବଙ୍କୁ ଏନେଇ ଅବଗତ କରି ସାରିଛନ୍ତି । ଏହି ୭୫ ଓ ୨୫ ଅନୁପାତକୁ ପରିବର୍ତନ କରି ୯୫ ଓ ୫ ପ୍ରତିଶତ କରିବା ପାଇଁ ସେ ଦାବି କରିଛନ୍ତି । ଏହାଫଳରେ ରାଜ୍ୟର ଅନୁପାତ ହାରରେ ଘରୋଇ ହସ୍ପିଟାଲଗୁଡିକ ଆବଶ୍ୟକ ଟିକା କିଣି ପାରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

Comments are closed.