କୋଭିଡ ପ୍ରଭାବିତଙ୍କ ପାଇଁ ୧.୧ ଲକ୍ଷ କୋଟିର ଋଣ ପ୍ୟାକେଜ୍

66

-ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ୫୦ହଜାର କୋଟି
-ଚାଷୀଙ୍କୁ ୧୪,୭୭୫ କୋଟିର ଅତିରିକ୍ତ ସବ୍ସିଡି
-ଭାରତ ଆସିବାକୁ ଥିବା ୫ଲକ୍ଷ ପର୍ଯ୍ୟଟକଙ୍କୁ ଭିସା ଫ୍ରି
-୧୦,୭୦୦ ଟୁରିଷ୍ଟ ଗାଇଡ୍ଙ୍କ ପାଇଁ ସହାୟତା
-ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ମାଗଣା ଟୁରିଷ୍ଟ ଭିସା
-ଆତ୍ମନିର୍ଭର ଭାରତ ଯୋଜନା ଅବଧି ୩୧ ମାର୍ଚ୍ଚ ୨୦୨୨କୁ ବୃଦ୍ଧି
-ସାର ଉପରେ ଅତିରିକ୍ତ ସବ୍ସିଡି ଦିଆଯିବ
-୨୫ଲକ୍ଷ କ୍ଷୁଦ୍ର ବ୍ୟବସାୟୀଙ୍କୁ ୧.୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

ନୂଆଦିଲ୍ଲୀ : କୋଭିଡ-୧୯ର ଦ୍ୱିତୀୟ ଲହରରେ ପ୍ରଭାବିତ ଦେଶର ବିଭିନ୍ନ କ୍ଷେତ୍ରକୁ ସହାୟତା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ସୋମବାର ଋଣ ଗ୍ୟାରେଣ୍ଟି ସହାୟତା ଯୋଜନା ଘୋଷଣା କରିଛନ୍ତି । ପୂର୍ବରୁ ଦେଶର ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେଇଥିବା କେନ୍ଦ୍ର ସରକାର କୌଣସି ନା କୌଣସି ସମୟରେ ଅର୍ଥନୀତିର ପୁନରୁଦ୍ଧାର ପାଇଁ କିଛି ଯୋଜନା ଘୋଷଣା କରିପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା । ଦେଶରେ ସଂପ୍ରତି କୋଭିଡ ସଂକ୍ରମଣ ହାର
ହ୍ରାସ ପାଉଥିବା ଏବଂ ଅନେକ ରାଜ୍ୟରେ ତାଲାବନ୍ଦ କଟକଣା କୋହଳ କରାଯାଉଥିବା ପରିପ୍ରେକ୍ଷୀରେ ଅର୍ଥମନ୍ତ୍ରୀ ଏଭଳି ସହାୟକ ଯୋଜନା ଘୋଷଣା କରିଛନ୍ତି ।

ଏକ ଆଭାସି ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ୮ଟି ଆଶ୍ୱସ୍ତିମୂଳକ ପଦକ୍ଷେପ ଘୋଷଣା କରିଛନ୍ତି । ବିଶେଷକରି କୋଭିଡ ମହାମାରୀ କାରଣରୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା କ୍ଷେତ୍ରଗୁଡିକର ପୁନରୁଦ୍ଧାର ନିମନ୍ତେ ଏହି ଯୋଜନା ଗୁଡିକ ଉଦ୍ଦିଷ୍ଟ । ଏଥିରେ ମୋଟ ୧.୧ ଲକ୍ଷ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ଯୋଜନା ରହିଛି । ତତ୍ ସହିତ ଅର୍ଥମନ୍ତ୍ରୀ ଜରୁରି ଋଣ ଗ୍ୟାରେଣ୍ଟି ଯୋଜନା ନିମନ୍ତେ ଅତିରିକ୍ତ ୧.୫ ଲକ୍ଷ କୋଟି ଟଙ୍କା ଘୋଷଣା କରିଛନ୍ତି । ଏହାଦ୍ୱାରା ଋଣ ଗ୍ୟାରେଣ୍ଟି ଯୋଜନା (ଇସିଏଲ୍ଜିଏସ୍)ର ସୀମାକୁ ୫୦% ବୃଦ୍ଧିକରି ୪.୫ ଲକ୍ଷ କୋଟି ଟଙ୍କା କରାଯାଇଛି । ଅର୍ଥମନ୍ତ୍ରୀ କହିଥିଲେ ଯେ ସରକାର ୮ଟି ଅର୍ଥନୈତିକ ଆଶ୍ୱସ୍ତି ପ୍ରଦାନକାରୀ ପଦକ୍ଷେପ ଘୋଷଣା କରୁଛନ୍ତି, ଯେଉଁଥିରେ ୪ଟି ନୂଆ ଏବଂ ଗୋଟିଏ ସ୍ୱତନ୍ତ୍ର ଭାବରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ପାଇଁ ଉଦ୍ଦିଷ୍ଟ । ଏହି କ୍ରମରେ ସେ ସ୍ୱାସ୍ଥ୍ୟସେବା କ୍ଷେତ୍ର ସମେତ କୋଭିଡ ପ୍ରଭାବିତ କ୍ଷେତ୍ରଗୁଡିକ ପାଇଁ ୧.୧ ଲକ୍ଷ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ଯୋଜନା ଘୋଷଣା କରିଥିଲେ । ସେଥିରେ ପୂର୍ବରୁ ରହିଥିବା ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ସଂପ୍ରସାରଣ ଅଥବା ନୂତନ ଭିତ୍ତିଭୂମି ସୃଷ୍ଟି ନିମନ୍ତେ ଋଣ ଗ୍ୟାରେଣ୍ଟି ଅନ୍ତର୍ଭୁକ୍ତ ।

ଏହାବ୍ୟତୀତ ଜରୁରି ଋଣ ଗ୍ୟାରେଣ୍ଟି ଯୋଜନା ପାଇଁ ଅତିରିକ୍ତ ୧.୫ ଲକ୍ଷ କୋଟି ଟଙ୍କାର ବର୍ଦ୍ଧିତ ସୀମା ସେ ଘୋଷଣା କରିଥିଲେ । ପୂର୍ବରୁ ଏହି ସୀମା ୩ ଲକ୍ଷ କୋଟି ଟଙ୍କା ଥିବାବେଳେ ସଂପ୍ରତି ତାହା ୫୦% ବୃଦ୍ଧି କରାଯାଇ ୪.୫ ଲକ୍ଷ କୋଟି ଟଙ୍କା କରାଯାଇଛି । ସରକାର ୫ ଲକ୍ଷ ପର୍ଯ୍ୟଟକଙ୍କୁ ଭାରତ ଭ୍ରମଣ ପାଇଁ ମାଗଣା ଭିସା ଯୋଗାଇଦେବେ ଏବଂ ଏଥିସହିତ ୧୧ହଜାର ପଞ୍ଜିକୃତ ପର୍ଯ୍ୟଟନ ଗାଇଡ, ଭ୍ରମଣ ଓ ପର୍ଯ୍ୟଟନ ଅଂଶୀଦାରଙ୍କୁ ଆର୍ଥିକ ସମର୍ଥନ ଯୋଗାଇ ଦିଆଯିବ । ଭିତ୍ତିଭୂମି ପାଇଁ ୫୦ ହଜାର କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ଯୋଜନା ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସଂପ୍ରସାରଣ ନିମନ୍ତେ ଏହି ଗ୍ୟାରେଣ୍ଟି ବ୍ୟବସ୍ଥା ୫୦%କୁ ପରିସରଭୁକ୍ତ କରିବ ଏବଂ ନୂଆ ପ୍ରକଳ୍ପ କ୍ଷେତ୍ରରେ ଏହା ୭୫% ଖର୍ଚ୍ଚକୁ ପରିସରଭୁକ୍ତ କରିବ । ଅନୁରୂପ ଭାବେ ଆକାଂକ୍ଷୀ ଜିଲାଗୁଡିକରେ ସ୍ୱ୍ୱାସ୍ଥ୍ୟସେବା ଭିତ୍ତିଭୂମିର ସଂପ୍ରସାରଣ ଏବଂ ନୂଆ ପ୍ରକଳ୍ପ ନିମନ୍ତେ ୫୦% ଗ୍ୟାରେଣ୍ଟି ପ୍ରଦାନ କରାଯିବ । ସ୍ୱାସ୍ଥ୍ୟସେବା କ୍ଷେତ୍ର ପାଇଁ ୭.୯୫% ସୁଧ ହାରରେ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ ।

ସେହିଭଳି ଶିଶୁ ଯତ୍ନ ଅଥବା ଶିଶୁ ଚିକିତ୍ସା କରାଯାଉଥିବା ଡାକ୍ତରଖାନାଗୁଡିକରେ ଶଯ୍ୟା ନମନ୍ତେ ୨୩,୨୨୦ କୋଟି ଟଙ୍କା ଯୋଗାଇ ଦିଆଯିବ । ଋଣ ଗ୍ୟାରେଣ୍ଟି ଯୋଜନା (ଇସିଏଲଜିଏସ) ଅଧୀନରେ ୨୫ ଲକ୍ଷ ଲୋକ ଉପକୃତ ହେବେ । କ୍ଷୁଦ୍ରଋଣକାରୀଙ୍କୁ ଅଣୁ ଅର୍ଥଲଗାଣକାରୀ ସଂସ୍ଥା ଦ୍ୱାରା ସର୍ବାଧିକ ୧.୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ । ପୁରାତନ ଋଣ ପରିଶୋଧ ପରିବର୍ତ୍ତେ ନୂଆ ଋଣ ଯୋଗାଣ ଉପରେ ଗୁରୁତ୍ୱ ଦିଆଯିବ । ସରକାର ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ ଅବସର ପରବର୍ତ୍ତୀ ଫାଇଦା ପ୍ରଦାନ, ଘରୋଇ କମ୍ପାନୀଗୁଡିକ ଦ୍ୱାରା ନୂତନ ନିଯୁକ୍ତି ଆଦି କ୍ଷେତ୍ରକୁ ପରିବର୍ଦ୍ଧିତ କରାଯିବ । ସରକାର ପୂର୍ବରୁ ଦରିଦ୍ର ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଣ ଚଳିତବର୍ଷ ନଭେମ୍ବର ପର୍ଯ୍ୟନ୍ତ ଜାରି ରଖିବାକୁ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଏ ବାବଦରେ ମୋଟ ୨.୨୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିସହିତ ଅତିରିକ୍ତ ୧୪,୭୭୫ କୋଟି ଟଙ୍କା ସାର ସବସିଡି ଯୋଗାଇ ଦିଆଯିବ । ବଜେଟରେ ଏ ବାବଦରେ ଘୋଷଣା କରାଯାଇଥିବା ୮୫,୪୧୩ କୋଟି ଟଙ୍କା ସବସିଡି ବାଦ୍ ଏହି ସବସିଡି ପ୍ରଦାନ କରାଯିବ ।

Comments are closed.