ୟୁଏଇରେ ହେବ ଟି-୨୦ ବିଶ୍ୱକପ

75

ନୂଆଦିଲ୍ଲୀ :ଟି-୨୦ ବିଶ୍ୱକପ୍ ଆୟୋଜନକୁ ନେଇ ଚାଲିଥିବା ଆଶା ଓ ଆଶଙ୍କା ଉପରେ ବିରାମ ଲାଗିଛି । ଟି-୨୦ ବିଶ୍ୱକପର ଆୟୋଜନ ଭାରତରେ ହେବ ନାହିଁ । ବିଶ୍ୱକପ୍ ୟୁଏଇରେ ଆୟୋଜନ ହେବ । ଏ ନେଇ ଆନୁଷ୍ଠାନିକ ଘୋଷଣା କରାଯାଇଛି । କରୋନା କାରଣରୁ ପୂର୍ବରୁ ହିଁ ଭାରତରେ ବିଶ୍ୱକପର ଆୟୋଜନକୁ ନେଇ ସନ୍ଦେହ ରହିଥିଲା । ତେବେ ଆଜି ବିସିସିଆଇ ଆଇସିସିକୁ ଆନୁଷ୍ଠାନିକ ଭାବେ ଏହାର ସୂଚନା ଦେଇଛି । ଟୁର୍ଣ୍ଣାମେଣ୍ଟର ତାରିଖ ଏଯାଏ ଘୋଷଣା ହୋଇନାହିଁ । କିନ୍ତୁ ବିଶ୍ୱକପର ଆୟୋଜନ ଅକ୍ଟୋବର-ନଭେମ୍ବର ଭିତରେ ହୋଇପାରେ । ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇପିଏଲର ବାକି ୩୧ ମ୍ୟାଚ୍ ମଧ୍ୟ ୟୁଏଇରେ ହେବ । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହ ଟୁର୍ଣ୍ଣାମେଣ୍ଟ ସ୍ଥାନ୍ତାନ୍ତର ହେବା ନେଇ ସୂଚନା ଦେଇଛନ୍ତି ।

ନ୍ୟୁଜ୍ ଏଜେନ୍ସି ଏଏନଆଇର ରିପୋର୍ଟ ମୁତାବକ, ଜୟ ଶାହ କହିଛନ୍ତି ଯେ “ଆମେ ଆଇସିସିକୁ ଆଜି ଆନୁଷ୍ଠାନିକ ଭାବେ ଟି-୨୦ ବିଶ୍ୱକପକୁ ୟୁଏଇ ସ୍ଥାନାନ୍ତର କରିବା ସମ୍ବନ୍ଧରେ ସୂଚନା ଦେଇ ସାରିଛୁ । ଟୁର୍ଣ୍ଣାମେଣ୍ଟର ତାରିଖ ଆଇସିସି ନିଷ୍ପତ୍ତି ନେବ ।’ ଆଇସିସି ଚଳିତ ମାସ ପ୍ରଥମରୁ ଭାରତରେ ଟି-୨୦ ବିଶ୍ୱକପ୍ ଆୟୋଜନ ଉପରେ ନିଷ୍ପତ୍ତି ନେବା ପାଇଁ ବିସିସିଆଇକୁ ୨୮ ଦିନ ସମୟ ଦେଇଥିଲା । କିନ୍ତୁ କରୋନାର ତୃତୀୟ ଲହର ଆଶଙ୍କା ମଧ୍ୟରେ ଭାରତରେ ବିଶ୍ୱକପ୍
ଆୟୋଜନ କରିବା କଷ୍ଟକର । ଆଇପିଏଲ୍-୧୪ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୧୫ ତାରିଖ ଭିତରେ ୟୁଏଇରେ ଖେଳାଯିବ । ଏହାର ଦୁଇ ଦିନ ପରେ ଅର୍ଥାତ୍ ଅକ୍ଟୋବର ୧୭ ତାରିଖରୁ ଟି-୨୦ ବିଶ୍ୱକପ୍ ଆୟୋଜନ ହୋଇପାରେ । ରିପୋର୍ଟ ମୁତାବକ ୟୁଏଇର ଆବୁ ଧାବି,ଶାରଜା ଓ ଦୁବାଇରେ ଟି-୨୦ ମ୍ୟାଚର ଆୟୋଜନ କରାଯିବ ।

ଅନ୍ୟପକ୍ଷରେ ରାଉଣ୍ଡ-୧ର ମୁକାବିଲା ଓମାନରେ କରାଯିବ । ଗତବର୍ଷ କରୋନା ମହାମାରୀ ଯୋଗୁ ଆଇସିସି ଅଷ୍ଟ୍ରେଲିଆରେ ପ୍ରସ୍ତାବିତ ୨୦୨୦ର ଟି-୨୦ ବିଶ୍ୱକପକୁ ସ୍ଥଗିତ କରିଦେଇଥିଲା । ପରେ ଆଇସିସି ଭାରତରେ ୨୦୨୧ ଏବଂ ଅଷ୍ଟ୍ରେଲିଆରେ ୨୦୨୨ରେ ଟି-୨୦ ବିଶ୍ୱକପ୍ କରାଇବାକୁ ନିଷ୍ପତ୍ତି ନେଇଥିଲା । ୟୁଏଇରେ ବିଶ୍ୱକପର ମୁଖ୍ୟ ରାଉଣ୍ଡ ମ୍ୟାଚ୍ ଗୁଡ଼ିକ ଖେଳାଯିବ । ତେବେ ଓମାନରେ ରାଉଣ୍ଡ-୧ର ୮ଟି ଟିମ୍ ମଧ୍ୟରେ ମୋଟ ୧୨ଟି ମ୍ୟାଚ୍ ଖେଳାଯିବ, ଯେଉଁଥିରୁ ୪ ଟିମ୍ ସୁପର୍-୧୨ ପାଇଁ କ୍ୱାଲିଫାଏ କରିବେ । ଏହି ରାଉଣ୍ଡରେ ବାଂଲାଦେଶ, ଶ୍ରୀଲଙ୍କା, ଆୟର୍ଲ୍ୟାଣ୍ଡ, ନେଦରଲ୍ୟାଣ୍ଡସ, ସ୍କଟଲ୍ୟାଣ୍ଡ, ନାମିବିଆ, ଓମାନ୍,ପାପୁଆ ନ୍ୟୁ ଗିନୀ ଖେଳିବେ । ଅନ୍ୟପକ୍ଷରେ ସୁପର୍ ୧୨ରେ ମୋଟ ୩୦ଟି ମ୍ୟାଚ୍ ଖେଳାଯିବ, ଯାହାର ଶୁଭାରମ୍ଭ ଅକ୍ଟୋବର ୨୪ ତାରିଖରୁ ଆରମ୍ଭ ହୋଇପାରେ । ୧୨ଟି ଟିମକୁ ଦୁଇଟି ଗ୍ରୁପରେ ଭାଗ କରାଯିବ । ଏହି ମ୍ୟାଚ୍ ଗୁଡ଼ିକ ଦୁବାଇ, ଆବୁ ଧାବି ଓ ଶାରଜାରେ ଖେଳାଯିବ । ଏହା ପରେ ଦୁଇଟି ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ଖେଳାଯିବ ।

Comments are closed.