ପ୍ଲାଟୋ ସ୍ଥିତିରେ ଦୈନିକ ସଂକ୍ରମଣ !

75

ଭୁବନେଶ୍ୱର :ଗତ କିଛିଦିନ ହେବ କରୋନାର ଦୈନିକ ସଂକ୍ରମଣ ଏକ ପ୍ରକାର ସ୍ଥିର ହୋଇଯାଇଛି । ଶୀର୍ଷରେ ପହଞ୍ଚିବା ପରେ ତଳକୁ ଖସୁଥିଲେ ମଧ୍ୟ ପ୍ରାୟ ଦୁଇ ସପ୍ତାହ ହେଲା ପ୍ରାୟ ୩ହଜାରରେ ଅଟକି ଯାଇଛି । ଏପରିକି ଜୁନ୍ ମାସ ଶେଷ ସୁଦ୍ଧା ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଯିବ ବୋଲି ବିଶେଷଜ୍ଞମାନେ ଯେଉଁ ଆକଳନ କରିଥିଲେ ତାହା ଭୁଲ ପ୍ରମାଣିତ ହୋଇଛି । ଜୁନ୍ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଯେପରି ଦ୍ରୁତଗତିରେ ସଂକ୍ରମଣ ତଳକୁ ଖସୁଥିଲା, ଏବେ ତାହା ହଠାତ୍ ସ୍ଥିର ହୋଇଯାଇଛି । ଜୁନ୍ ପହିଲାରେ ୮୭୩୫ ନୂଆ ପଜିଟିଭ୍ ମାମଲା ଆସିଥିଲା ବେଳେ ସଂକ୍ରମଣ ହାର ୧୪.୦୨% ଥିଲା ।

ଜୁନ୍ ୭ ତାରିଖରେ ୬୧୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣ ହାର ୯.୧୦%କୁ ହ୍ରାସ ପାଇଥିଲା । ଜୁନ୍ ୧୪ରେ ସଂକ୍ରମଣ ହାର ୬.୩୩%କୁ ଖସିଆସିଥିଲା । ୨୧ତାରିଖରେ ୩୦୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ସଂକ୍ରମଣ ହାର ୪.୯୭%କୁ ହ୍ରାସ ପାଇଥିଲା । ଅର୍ଥାତ୍ ଜୁନ୍ ତୃତୀୟ ସପ୍ତାହରେ ଯେଉଁ ଗତିରେ ସଂକ୍ରମଣ ତଳକୁ ଖସୁଥିଲା ତାହା ଏବେ ଶୀଥିଳ ହୋଇଯାଇଛି । ଜୁନ୍ ଶେଷ ସପ୍ତାହରେ ଦୈନିକ ସଂକ୍ରମଣ ଏକ ପ୍ରକାର ସ୍ଥିର ହୋଇଯାଇଛି ।

ଗୋଟିଏ ଦିନ ସଂକ୍ରମଣ ସାମାନ୍ୟ କମିଲେ ପରଦିନ ସଂକ୍ରମଣ ପୁଣି ବଢ଼ିଯାଉଛି । ପ୍ରଥମ ଦୁଇ ସପ୍ତାହରେ ଯେପରି ହ୍ରାସ ପାଉଥିଲା ସେଥିରେ ଲଗାମ ଲାଗିଯାଇଛି । ଏବେ ପିକ୍ରୁ ଖସିଆସି ସଂକ୍ରମଣ ପ୍ଲାଟୋ ସ୍ଥିତିରେ ପହଞ୍ଚି ଯାଇଛି । ଜୁନ୍ ୨୨ ତାରିଖରେ ଦୈନିକ ସଂକ୍ରମଣ ୩ହଜାର ତଳକୁ ଖସିଥିବା ବେଳେ ସଂକ୍ରମଣ ହାର ଥିଲା ୪.୭୯% । ଆଉ ଜୁନ୍ ୨୮ରେ ୩୩୧୯ ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣ ହାର ୫.୦୨% ରହିଛି । ଜୁନ୍ ଶେଷ ବେଳକୁ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଚାଲିଆସିବ ବୋଲି ବିଶେଷଜ୍ଞମାନେ କରିଥିବା ଆକଳନ ଏବେ ଭୁଲ ପ୍ରମାଣିତ ହେଉଛି । କରୋନାର ପ୍ଲାଟୁ ସ୍ଥିତି ଏବେ ଚିନ୍ତା ବଢ଼ାଇ ଦେଇଛି ।

Comments are closed.