ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥ ନିର୍ମାଣ କାର୍ଯ୍ୟ ଜାରୀ ରଖିବାକୁ ଜିଲ୍ଲାପାଳଙ୍କୁ ସେବାୟତଙ୍କ ଦାବିପତ୍ର

68

ବାରିପଦା : ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥ ନିର୍ମାଣ ଜାରୀ ରଖିବା ନିମନ୍ତେ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୁଙ୍କ ସେବାୟତ ଓ ରଥ ନିର୍ମାଣରେ ନିୟୋଜିତ ରଥ ମହାପାତ୍ରଙ୍କ ସହିତ ମହାରଣାମାନେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ଏ ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । 

ସୂଚନାଯୋଗ୍ୟ, ଗତ ମଇ ୩ ରେ ବାରିପଦା ଉପଜିଲ୍ଲାପାଳ ତଥା ଦେବୋତର ନିର୍ବାହୀ ଅଧିକାରୀଙ୍କ ପକ୍ଷରୁ ରଥ ନିର୍ମାଣ ନିମନ୍ତେ ପତ୍ର ସଂଖ୍ୟା ୨୨୭ ଅନୁସାରେ ଏକ ନିର୍ଦ୍ଦେଶନାମା ବା ଆଦେଶନାମା ଜାରୀ କରାଯାଇଥିଲା । ମାତ୍ର ଓଡ଼ିଶା ସ୍ୱତନ୍ତ୍ର ରଲିଫ୍ ଆୟୋଗଙ୍କ ପକ୍ଷରୁ ପୁରୀ ବ୍ୟତୀତ ଅନ୍ୟ ସମସ୍ତ ଅଂଚଳରେ ରଥଟଣା ବନ୍ଦ କରାଯିବା ନେଇ ନିଷ୍ପତି ପରେ ବାରିପଦା ଉପଜିଲ୍ଲାପାଳ ତଥା ଦେବୋତର ନିର୍ବାହୀ ଅଧିକାରୀ ପି. ଅନ୍ୱେଷା ରେଡ୍ଡି ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ପାଇଁ ରଥ ମହାପାତ୍ରଙ୍କୁ ମୌଖିକ ନିର୍ଦ୍ଦେଶ ଦେଇଥିଲେ ।

ବର୍ତମାନ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଟଣାକୁ ଅନୁମତି ଦେବା ନେଇ ଭଞ୍ଜ ସେନା ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଆଜି ଏକ ପିଟିସନ୍ ଦାୟର୍ କରାଯାଇଥିବା ସମୟରେ ଉଚ୍ଚ ନ୍ୟାୟାଳୟରେ ମଧ୍ୟ ମାମଲା ଶୁଣାଣି ପାଇଁ ପଡି ରହିଛି । ଏହି ସମୟରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଟଣା ଅନିଶ୍ଚିତତା ମଧ୍ୟରେ ରହିଥିବା ବେଳେ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ପାଇଁ ରଥ ମହାପାତ୍ର ମୃତ୍ୟୁଞ୍ଜୟ ମହାପାତ୍ର ଦେବୋତର ନିର୍ବାହୀ ଅଧିକାରୀ ବାରିପଦା ଉପଜିଲ୍ଲାପାଳଙ୍କୁ ଗତ ୨୦ ତାରିଖରେ ଭେଟି ଲିଖିତ ନିର୍ଦ୍ଦେଶନାମା ଦେବାକୁ ଦାବି କରିଥିଲେ । କିନ୍ତୁ, ନିର୍ବାହୀ ଅଧିକାରୀ ଗତ ମଙ୍ଗଳବାର ଏହି ଲିଖିତ ନିର୍ଦ୍ଦେଶନାମା ଦେବେ ବୋଲି କହିଥିଲେ । ଏହା ମଧ୍ୟରେ ୮ ଦିନ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ଏନେଇ ଲିଖିତ ନିର୍ଦ୍ଦେଶନାମା ମିଳିପାରିନାହିଁ ବୋଲି ରଥ ମହାପାତ୍ର ପ୍ରକାଶ କରିଛନ୍ତି ।

 ସେହିପରି ଓଡ଼ିଶା ମନ୍ଦିର ସେବାୟତ ସଂଘର ସଭାପତି କାମେଶ୍ୱର ତ୍ରିପାଠୀ ନିଜ ପ୍ରତିକ୍ରିୟାରେ ଓଡ଼ିଶା ସ୍ୱତନ୍ତ୍ର ରିଲିଫ୍ ଆୟୋଗ ରଥଟଣା ବନ୍ଦ ରଖିବାକୁ ନିଷ୍ପତି ନେଇଥିବା ବେଳେ ରଥ ନିର୍ମାଣକୁ ନୁହେଁ । ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଏକ ନୀତିକାନ୍ତି ହୋଇଥିବା ବେଳେ ରଥ ନିର୍ମାଣ ମଧ୍ୟ ଏକ ନୀତିକାନ୍ତି ପରିସରଭୁକ୍ତ । ରଥ ଟଣା ଓ ରଥ ନିର୍ମାଣ ଉଭୟ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ । ଗତ ବର୍ଷ ରଥଟଣାକୁ ବନ୍ଦ ରଖାଯାଇ ମନ୍ଦିର ବେଢ଼ା ମଧ୍ୟରେ ଦେବୋତର ବିଭାଗ ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାର ନୀତିକାନ୍ତି ପାଳନ କରାଯାଇଥିଲା । ଯାହାକି ଜଗନ୍ନାଥ ସଂସ୍କୃତିର ବିରୋଧାଚରଣ । ଫଳରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ମନ୍ଦିର ବେଢ଼ା ଭିତରେ ମହାପ୍ରଭୁଙ୍କ ନୀତିକାନ୍ତିରେ ସମ୍ପନ୍ନରେ ଜଡ଼ିତ ରହିଥିବା ସମସ୍ତ ସେବାୟତ ମାନଙ୍କୁ ପ୍ରାୟଶ୍ଚିତ କରିବାକୁ ପଡିଥିଲା । ଏଣୁ, ଚଳିତ ବର୍ଷ ରଥ ନିର୍ମାଣ କାର୍ଯ୍ୟ ବନ୍ଦ କରାନଯିବା ପାଇଁ ରାଜ୍ୟ ସରକାର କୌଣସି ନିର୍ଦ୍ଦେଶ ଦେଇନଥିବା ବେଳେ ବାରିପଦା ଦେବୋତର ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ନିଷ୍ପତି ଏକ ଚକ୍ରାନ୍ତ । ଏହାର ଉଚ୍ଚସ୍ତରିୟ ଓ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ସେବାୟତ ସଂଘ ସଭାପତି ଶ୍ରୀ ତ୍ରିପାଠୀ ।

Comments are closed.