ଅନ୍ ଲାଇନ ପାଠପଢା ନେଇ ନାନା ମୁନୀଙ୍କ ନାନା ମତ : ଘାଣ୍ଟି ହେଉଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ

86

ରାଉରକେଲା : ମହାମାରୀ କରୋନା ସମୟରେ ରାଜ୍ୟ ଓ ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଶିକ୍ଷା ବ୍ୟବସ୍ଥା ତାହା ନିଶ୍ଚୟ ଗ୍ରହଣ ଯୋଗ୍ୟ । ହେଲେ ଏହି ବ୍ୟବସ୍ଥାକୁ ନେଇ ନାନା ମୁନୀଙ୍କର ନାନା ମତ ଏବେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ସୁନ୍ଦରଗଡ ଜିଲ୍ଲାରେ ନାନା ସମସ୍ୟାରେ ପକାଇବାରେ ଲାଗିଛି । ୫ ଆଙ୍ଗୁଳି ସମାନ ନୁହେଁ କିମ୍ବା ସବୁ ଅଂଚଳରେ ସମାନ ପ୍ରକାର ପରିବାରର ସମାନ ପିଲା ନାହାନ୍ତି । ସରକାର ଏହି ସମୟରେ ଅନଲାଇନ ପାଠ ପଢାକୁ ଗୁରୁତ୍ୱ ଦେବା ପରେ ତଳ ତଳିଆ ବାବୁ ବାବୁଆଣୀ ମାନଙ୍କର ନାନା ଆଦେଶ ଏହି ବ୍ୟବସ୍ଥାକୁ ଘାଣ୍ଟି ସମଗ୍ର ସୁନ୍ଦରଗଡ ଜିଲ୍ଲାରେ ଅଚଳା ଅବସ୍ଥା ସୃଷ୍ଟି କରିଥିବା ଖବର ମିଳିଛି ।

ଅନଲାଇନ ପାଠ ପଢା ଲାଗି ଇଂଟରନେଟ ସହ ଏକ ମୋବାଇଲର ଆବଶ୍ୟକତା ରହିଛି । ଏହି ବ୍ୟବସ୍ଥାକୁ ଦେଖିବାକୁ ଗଲେ ସହରାଂଚଳରେ ପଢୁଥିବା ୩୦ ପିଲାଙ୍କ ମଧ୍ୟରେ ୧୦ ପିଲା ମୋବାଇଲ ପାଉଛନ୍ତି । ଯଦିଓ ମୋବାଇଲ ପାଇଲେ ପାଠ ପଢା ଭିତରେ ସେମାନଙ୍କର ଡାଟା ସରିଯାଉଛି । କାହାର ବାପା ମା ମୋବାଇଲ ନେଇ କାମ କରିବାକୁ ଚାଲିଯାଉଛନ୍ତି । ତେଣୁ ଏଠାରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିର୍ଦ୍ଦିଷ୍ଟ ସମୟରେ ପାଠ ପଢାଇବାକୁ ବାହାରିବା ବେଳେ ସବୁ ପିଲା ଏଥିରେ ସାମିଲ ହୋଇପାରୁ ନାହାନ୍ତି ।

ଏହି କଥାକୁ ଯଦି ଦେଖାଯାଏ ତେବେ ଗ୍ରାମାଂଚଳରେ ପିଲାଙ୍କ ପାଖରେ କିଛି ମୋବାଇଲ ଥିବା ବେଳେ ନେଟୱାର୍କ ରହୁ ନାହିଁ ଓ ଅଭିଭାବକ ଡାଟା ଲାଗି ପଇସା ପକାଇ ପାରୁନାହାନ୍ତି । ତେଣୁ ଗ୍ରାମାଂଚଳରେ ଏହି ଅନଲାଇନ ଶିକ୍ଷା ଏକ ପ୍ରକାର ସ୍ୱପ୍ନ ହୋଇଛି । ସହରାଂଚଳରେ ସବୁ ବିଦ୍ୟାଳୟରେ ସମାନ ସ୍ଥିତି, କାରଣ ଆର୍ଥିକ ସ୍ୱଚ୍ଛଳତା ଥିବା ପରିବାରର ପିଲାମାନେ କେବେ ହେଲେ ସରକାରୀ ବିଦ୍ୟାଳୟକୁ ଆସୁନାହାନ୍ତି, ସେମାନଙ୍କ ପାଖରେ ଏସବୁ ସୁବିଧା ରହିବା ଅସମ୍ଭବ । ଏତିକି ବେଳେ ସହରାଂଚଳରେ ଶିକ୍ଷା ବିଭାଗ ଦାୟିତ୍ୱରେ ଥିବା ବାବୁ ବାବୁଆଣୀମାନେ ଶିକ୍ଷକ ମାନଙ୍କ ଉପରେ ଦାଉ ସାଧୁଥିବା ଖବର ମିଳିଛି , ଦରମା ଗଣ୍ଡେ ମିଳୁଥିବାରୁ ଏମାନେ ନିଜ ଘରୁ ଦେଉଥିବା ଭଳି ବ୍ୟବହାର କରୁଥିବାର ଅଭିଯୋଗ ହେଉଛି । ବାବୁମାନେ ନିଜେ କରୋନା ସମୟରେ ନାନା ଆଳରେ ଘରେ ରହୁଥିବା ବେଳେ ଶିକ୍ଷକମାନଙ୍କୁ ବସ୍ତି ଅଂଚଳ ବୁଲି ପିଲାଙ୍କୁ ପାଠ ପଢାଇବାକୁ ମୌଖିକ ଭାବେ କହୁଥିବାର ଅଭିଯୋଗ ହେଉଛି ।

ଅଫିସରେ ନାନା ଫାଇଲ ପଡି ରହୁଛି । ଫାଇଲ ସବୁ ବାବୁମାନଙ୍କ ଘରକୁ ଯାଉଛି, ଶିକ୍ଷକ ଶିକ୍ଷୟତ୍ରୀ ଓ ପିଲା ମାନଙ୍କର ନାନା ସୁବିଧା ସୁଯୋଗର ଫାଇଲ କାମ ହେଉ ନାହିଁ । ଶିକ୍ଷକମାନେ ବସ୍ତିକୁ ଯିବା ଲାଗି  ଲିଖିତ ଆଦେଶ ନାମା ଚାହୁଁଥିବାରୁ ତାହା ସେମାନେ ନଦେଇ ନାନା ଆଳ ସହ ବିଧାୟକ, ମନ୍ତ୍ରୀ ଚାହୁଁଛନ୍ତି କହି ନାଲି ଆଖି ଦେଖାଉଥିବା ଅଭିଯୋଗ ହୋଇଛି । ଏନେଇ କୌଣସି ବିଧାୟକ କିମ୍ବା ବିଭାଗୀୟ ମନ୍ତ୍ରୀ କହିଥିବା ଶୁଣା ଯାଇନଥିବା ବେଳେ ତଳ ସ୍ତରରେ ଏଭଳି କାରବାର ସମଗ୍ର ବ୍ୟବସ୍ଥାକୁ ବିଶୃଙ୍ଖଳିତ କରୁଥିବା ଦେଖାଯାଉଛି । ତେଣୁ ସରକାର ମଧ୍ୟାହ୍ନ ଭୋଜନ ଓ ନାନା ଭତା ଦେବା ଭଳି ପିଲାମାନଙ୍କୁ ମୋବାଲ ସହ ଡାଟା ଦେବାର ବ୍ୟବସ୍ଥା କରିପାରିଲେ ଏସବୁ ସମସ୍ୟାର କିଛିଟା ସମାଧାନ ହୋଇପାରନ୍ତା ବୋଲି ବୁଦ୍ଧିଜିବୀ ଓ ଅବିଭାବକ ମହଲରେ ମତ ପ୍ରକାଶ ପାଇଛି । 

Comments are closed.