ବିପଦପୂର୍ଣ୍ଣ ପାହାଡ ଶିଖରରେ ୟୁଟ୍ୟୁବ ଦ୍ୱାରା ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

0 301

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଲକର ଅନେକ ଦୁର୍ଗମ ଗ୍ରାମ ରହିଛି ଯେଉଁ ଠାରେ କି ନେଟୱାର୍କର କୌଣସି ସୁବିଧା ନାହିଁ । ତେଣୁ ଏହି ଅଞ୍ଚଳର ଛାତ୍ରଛାତ୍ରୀମାନେ ନିଜ ଜୀବନକୁ ବାଜି ଲଗାଇ ବିପଦ ପୂର୍ଣ୍ଣ ପାହାଡ ଶିଖରରେ ବାଧ୍ୟ ହୋଇ ଛାତ୍ରଛାତ୍ରୀମାନେ ପାଠ ପଢୁଥିବା ଲକ୍ଷ୍ୟ କରାଯାଇଛି । କେଉଁଠି ତ ପାହାଡ ଉପରେ ଆଉ କେଉଁଠି ତ ପାହାଡ ଉପରେ ମଞ୍ଚା ବାନ୍ଧି ୟୁଟ୍ୟୁବ ଦ୍ୱାରା ଅତ୍ୟନ୍ତ ବିପଦଜନକ ଭାବେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଗଜପତି ଜିଲ୍ଲା ମୋହନା ବ୍ଲକର ଦୁର୍ଗମ ମଳାସପଦର ପଞ୍ଚାୟତ ଅନ୍ତର୍ଗତ ହୁରୁଗୁଡା, ଜାମଲିଙ୍ଗ ଓ ଜାନାଖାଲ ଗାଁ ସମେତ ପ୍ରାୟ ୧୮ରୁ ଉର୍ଦ୍ଧ ଗାଁ ଗୁଡିକରେ ନେଟୱର୍କ ସୁବିଧା ନଥିବାରୁ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ଗାଁ ଠାରୁ ପ୍ରାୟ ୫ରୁ୭ କିଲୋମିଟର ଦୂର ବାପିଗଣ୍ଡା ପାହାଡ ଉପରକୁ ଆସି ପାଠ ପଢୁଥିବା ଦେଖାଦେଇଛି । ସେହିପରି ଗଜପତି ଜିଲ୍ଲା ଆର୍.ଉଦୟଗରି ବ୍ଲକ ରାମଗିରି, ମଙ୍ଗରାଜପୁର ଓ ସୁବଲଡା ପଞ୍ଚାୟତର ଅଧିକାଂଶ ଗ୍ରାମରେ ନେଟୱାର୍କ ନଥିବାରୁ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମଙ୍ଗରାଜପୁର ପଞ୍ଚାୟତ ତରଳସିଂ ଗ୍ରାମର ଏକ ଉଚସ୍ଥାନରେ ନେଟୱାର୍କ ଆସୁଛି । ତେଣୁ ସେହି ସ୍ଥାନରେ ଏକ ମଞ୍ଚା ତିଆରି କରି ଛାତ୍ରଛାତ୍ରୀମାନେ ପାଠ ପଢୁଛନ୍ତି । ବର୍ଷା, ପବନ, କାଳବୈଶାଖୀ ହେଲେ ନେଟୱାର୍କ ବନ୍ଦ ହେବା ଯୋଗୁଁ ପାଠ ପଢା ମଧ୍ୟ ବନ୍ଦ ହେଉଛି । ହେଲେ ଏହି ସମୟରେ ବଜ୍ରାଘାତ ଯୋଗୁଁ କମୋଳମତୀ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ମଧ୍ୟ ଅଧିକ ବିପଦ ରହିଛି । ଅଧିକାଂଶ ଛାତ୍ରଛାତ୍ରୀଙ୍କ ପିତା ମାତା ଗରୀବ ଶ୍ରେଣୀର ହୋଇଥିବାରୁ ନିଜ ପିଲାମାନଙ୍କୁ ମୋବାଇଲ ଯୋଗାଇ ପାରୁନାହାନ୍ତି । ତେଣୁ ଗୋଟିଏ ମୋବାଇଲରେ ୪ରୁ୫ଜଣ ଲେଖାଏଁ ଛାତ୍ରଛାତ୍ରୀ ମିଶି ପାଠ ପଢୁଛନ୍ତି । ନିଜ ଗ୍ରାମ ଓ ଘର ଠାରୁ ୫ରୁ୭ କିମି ବିପଦପୂର୍ଣ୍ଣ ପାହାଡିଆ ଜଙ୍ଗଲୀ ରାସ୍ତାରେ ଛାତ୍ରଛାତ୍ରୀମାନେ ପାଠ ପଢିବା ପାଇଁ ଯିବା ଆସିବା ବେଳେ ବିଷାକ୍ତ ସାପ ଓ ହିଂସ୍ର ବନ୍ୟଜନ୍ତୁଙ୍କ ବିପଦ ମଧ୍ୟ ରହିଛି । ଏସବୁକୁ ବିଚାର କରି ପ୍ରଶାସନ ଓ ରାଜ୍ୟ ସରକାର ଏଭଳି ଦୁର୍ଗମ ଅଞ୍ଚଳରେ ପିଲାମାନେ ଘରେ ରହି ପାଠ ପଢିବା ପାଇଁ ଆବଶ୍ୟକୀୟ ନେଟୱାର୍କର ସୁବିଧା ଯୋଗାଇ ଦେବା ସହ ଗରୀବ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ମୋବାଇଲ ଯୋଗାଇ ଦିଆଯାଉ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.