ସ୍ୱାଭାବିକଠୁ କମ୍ ବର୍ଷା : ଗଞ୍ଜାମରେ ଗଜା ମରୁଡ଼ି ଆଶଙ୍କା

73

ଛତ୍ରପୁର : ଜ୍ୟେଷ୍ଠ ସରି ଆଷା ପଶିଲା । ହେଲେ ଗଞ୍ଜାମ ଜିଲ୍ଲାରେ ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ବର୍ଷା ହୋଇନି । ଜୁନ୍ ମାସରେ ସ୍ୱାଭାବିକଠୁ କମ୍ ବର୍ଷା ହୋଇଥିବା ବେଳେ ଏଭଳି ପରିସ୍ଥିତି ଜାରି ରହିଲେ ଜିଲ୍ଲାରେ ଗଜା ମରୁଡ଼ି ଆଶଙ୍କା ଏଡ଼ାଇ ଦେଇହେବ ନାହିଁ । ଗୋଟିଏ ପଟେ କରୋନା ମହାମାରୀର ପ୍ରାଦୁର୍ଭାବ ବେଳେ ଅନ୍ୟପଟେ ଖରିଫ ଆରମ୍ଭରୁ ସ୍ୱଳ୍ପବର୍ଷା ଯୋଗୁଁ ଚାଷ କାର୍ଯ୍ୟ ସଂପୂର୍ଣ୍ଣ ପ୍ରଭାବିତ ହୋଇଛି । ଫଳରେ ଚାଷୀକୁଳ ବର୍ତ୍ତମାନ ଚିନ୍ତାରେ ପଡ଼ିଛନ୍ତି ।
ପାଣିପାଗ ବିଭାଗର ଆକଳନ ଅନୁସାରେ, ଗଞ୍ଜାମ ଜିଲ୍ଲାରେ ଜୁନ୍ ମାସରେ ସାଧାରଣତଃ ୧୬୮.୩ ମିମି ବର୍ଷା ହେବା କଥା ।

କିନ୍ତୁ ଏହି ମାସକରେ ମାତ୍ର ୧୦୨.୧୮ ମିମି ବର୍ଷା ହୋଇଛି । ଫଳରେ ବେଗୁନିଆପଡ଼ା, ଦିଗପହଣ୍ଡି, ସାନଖେମୁଣ୍ଡି, ଶେରଗଡ଼, ପୋଲସରା, ଖଲ୍ଲିକୋଟ, ଛତ୍ରପୁର, ଗଞ୍ଜାମ ଓ ପୁରୁଷୋତ୍ତମପୁର ଭଳି ବିଭିନ୍ନ ବ୍ଲକ୍ ଇଲାକାରେ ତଳି ପୋଡ଼ି ଯାଇଥିବା ନଜରକୁ ଆସିଛି । ଅନେକ ସ୍ଥାନରେ ପାଣି ଅଭାବରୁ ଜମିରେ ବୁଣା ଧାନ ବି ଉଠୁ ନଥିବା ଦେଖିବାକୁ ମିଳିଛି । ବର୍ଷା ଅଭାବରୁ ତଳି ପୋଡ଼ି ଯାଉଥିବା ବିଭିନ୍ନ ବ୍ଲକର ଚାଷୀ ଏବଂ ଚାଷୀ ନେତାମାନେ କହିଛନ୍ତି । ଜିଲ୍ଲାରେ ଚାଷ କାର୍ଯ୍ୟ ଆଗୁଆ ଆରମ୍ଭ ହୋଇଥାଏ । ୪ ଲକ୍ଷ ୮ ହଜାର ୮୧୭ ହେକ୍ଟର୍ ଜମି ମଧ୍ୟରୁ ୧. ୯୯ ହଜାର ହେକ୍ଟରରେ ଧାନ ଚାଷ ହୋଇଥାଏ । ଜୁନ୍ ଶେଷ ସୁଦ୍ଧା୧୬୮ ମିମି ବର୍ଷା ହେବା କଥା । କିନ୍ତୁ ଅଦ୍ୟାବଧି ମାତ୍ର ୧୦୨ ମିମି ବର୍ଷା ହୋଇଛି । ଧାନତଳିଗୁଡ଼ିକ ମଧ୍ୟମ ବୁଢ଼ା ହେବାକୁ ବସିଲାଣି । ଫଳରେ ଆଗକୁ ପର୍ଯ୍ୟାପ୍ତ ବର୍ଷା ନ ହେଲେ ସ୍ଥିତି ସଙ୍ଗିନ୍ ହେବା ଆଶଙ୍କା ସୃଷ୍ଟି ହୋଇଛି ।

ଜୁନ୍ ୧ ତାରିଖରେ ଜିଲ୍ଲାରେ ମାତ୍ର ୬.୪୨ ମି.ମି. ବର୍ଷା ହୋଇଥିବା ବେଳେ ୨ରେ ଶୂନ ମିମି, ୩ରେ ୪୫.୩୨ ମିମି, ୪ରେ ୧.୦୬ ମିମି, ୫ରେ ଶୂନ, ୬ରେ ୦.୯୭ ମିମି, ୭ରେ ଶୂନ, ୮ରେ ୨.୮୨ ମିମି, ୯ରେ ୧.୮୮ ମିମି, ୧୦ରେ ୭.୫୨ ମିମି, ୧୧ରେ ଶୂନ, ୧୨ରେ ୫.୧୦ ମିମି, ୧୩ରେ ୮.୬୧ ମିମି ୧୪ରେ ୩.୩୮ ମିମି,୧୫ରେ ୦.୩୧ ମିମି, ୧୬ରୁ ୧୮ ଶୂନ, ୧୯ରେ ୧.୧୦ ମିମି ୨୦ ଓ ୨୧ରେ ଶୂନ, ୨୨ରେ ୧.୩୮ ମିମି, ୨୩ରେ ୮.୦୭ ମିମି,୨୪ରେ ୦.୭୫ ମିମି, ୨୫ରେ ୨.୮୫ ମିମି ୨୬ ଓ ୨୭ରେ ଶୂନ, ୨୮ରେ ୩.୫୫ ମିମି. ୨୯ରେ ୦.୦୯ ମିମି ଏବଂ ୩୦ରେ ୧.୦୦ ମିମି ବର୍ଷା ହୋଇଥିଲା । ଯାହାକି ସ୍ୱାଭାବିକଠୁ ଖୁବ୍ କମ୍ । ଜୁଲାଇରେ ୨୨୦.୮୦ ମିମି ସ୍ୱାଭାବିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଯଦି ଆକଳନ ଅନୁଯାୟୀ ବର୍ଷା କିମ୍ବା ତା’ଠାରୁ ଯଥେଷ୍ଟ ପରିମାଣର ବର୍ଷା ନ ହୁଏ ତେବେ ଗଞ୍ଜାମ ଜିଲ୍ଲାରେ କୃଷିର ସ୍ଥିତି ସଙ୍ଗୀନ୍ ହେବ । ତେଣୁ ପରିସ୍ଥିତିକୁ ଅନୁଧ୍ୟାନ କରି ଧନେଇ, ବାଘୁଆ, ହରଭଙ୍ଗା ଓ ଋଷିକୁଲ୍ୟା ଜଳସେଚନ ପ୍ରକଳ୍ପ ଗୁଡ଼ିକର ଜଳକୁ ନିୟନ୍ତ୍ରିତ କରି ·ଷ ଜମିରେ ଜଳସେଚିତ କରାଯିବା ଲାଗି ଗତକାଲି ଖରିଫ୍ କୃଷି ନିର୍ଦ୍ଧାରଣ କମିଟି ବୈଠକରେ ଆଲୋଚନା ହୋଇଥିଲା । ତେବେ ମେ’ ମାସରେ ୬୫.୪ ମିମି ବର୍ଷା ଆକଳନ କରାଯାଇଥିବା ବେଳେ ୭୮.୪୬ ମିମି ବର୍ଷା ହୋଇଥିଲା ।

Comments are closed.