ବର୍ଷା ଦିନେ ଗ୍ରାମବାସୀଙ୍କ ଏକମାତ୍ର ଭରସା ପାଇଖାନା

0 67

ଅମ୍ବାଦଳା/ରାୟଗଡା: ଘର ଭିତରେ ଗାଈ ଛେଳି ରହୁଥିବା ବେଳେ ପାଇଖାନା ରେ ମଣିଷ।ଏ କଥା ଟି ଆଶ୍ଚର୍ଯ୍ୟ ଲାଗୁଥିଲେ ହିଁ ସମ୍ପୂର୍ଣ୍ଣ ସତ, ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳା ପଞ୍ଚାୟତ ର ଅନଯୋଡି ଗ୍ରାମ  ର ନୂଆ ସାହି।ଅମ୍ବାଦଳା ପଞ୍ଚାୟତ ହେଡ କ୍ୱାଟର ରୁ ମାତ୍ର ୧ କିଲୋମିଟର ଦୂରରେ ଅବସ୍ଥିତ ଏହି ଗ୍ରାମ ଟି,ଏହି ଗ୍ରାମରେ ୧୧ ପରିବାର ରେ ପ୍ରାୟ ୬୨  ଜଣ ବସ ବାସ କରୁଥିବା ବେଳେ ସମସ୍ତେ ଅନୁସୂଚିତ ଜନଜାତି ର ଅଟନ୍ତି। ୧୯୮୭-୮୮  ଆର୍ଥିକ ବର୍ଷରେ  ଅନୁଦାନ ରାଶି ୧୦.୫୦୦ରେ  ଗ୍ରାମ ବାସୀ ଙ୍କୁ ଇନ୍ଦିରା ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଥିଲା। ଦୀର୍ଘ ବର୍ଷ ହେବ ସେହି ଇନ୍ଦିରା ଆବାସ ଘର ଗୁଡ଼ିକ ର ଛାତ ରୁ ପାଣି ଗଳୁ  ଥିବା ବେଳେ କାଁଥ ଗୁଡିକ ଜରାଜୀର୍ଣ୍ଣ ହୋଇ ବିପଦ ସଂକୁଳ ଅବସ୍ଥାରେ ରହିଅଛି।ଯାହାକି ବର୍ଷା ଦିନ ଆସିଲେ ଗ୍ରାମ ବାସୀଙ୍କ ମନରେ ଛନକା ପଶୁଛି। ବର୍ଷା ଦିନେ  ଛାତ ରୁ ପାଣି ଗଳିବା ଦ୍ୱାରା ଘର ଭିତରେ କୃତିମ ବନ୍ୟା ସୃଷ୍ଟି ହୁଏ। ତେଣୁ ଲୋକମାନେ  ନିଜ ପରିବାର ସହିତ ଅତି ଦୟନୀୟ ଅବସ୍ଥାରେ ଗୃହପାଳିତ ପଶୁ ଗାଈ, ଛେଳି ମାନଙ୍କୁ ଘରେ ଛାଡ଼ି ଦେଇ ନିକଟରେ ଥିବା ପାଇଖାନା ଭିତରେ ଆଶ୍ରୟ ନେଇଥାନ୍ତି ବୋଲି ଗ୍ରାମବାସୀ ଜଣାଇଛନ୍ତି। ଆଜକୁ ଦୀର୍ଘଦିନ ହେବ ପଞ୍ଚାୟତ କାର୍ଯ୍ୟାଳୟ  ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ  ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କେହିହେଲେ କର୍ଣ୍ଣପାତ କରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଲୋକମାନଙ୍କୁ ବାସଗୃହ  ଯୋଗାଇ ଦେବା ନାଁରେ ମାଳ ମାଳ ଯୋଜନା କରିଛନ୍ତି । କିନ୍ତୁ ବ୍ଲକ  ଅଧିକାରୀ ଙ୍କ ଖାମଖିଆଲ ନୀତି ଓ  ଅଶିକ୍ଷିତ ସରଳ ଆଦିବାସୀ ମାନଙ୍କୁ ଅଣଦେଖା ନୀତି ଯୋଗୁଁ ହିତାଧିକାରୀ ମାନେ  ଏହି ଯୋଜନା ର ସୁଫଳ  ନପାଇ ବର୍ଷା ଦିନେ  ବାସଗୃହ ଛାଡି ପାଇଖାନା କୁ ଆଶ୍ରୟ ଗୃହ ରୂପେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି।  ଏହି ଗ୍ରାମ ବାସୀ ଙ୍କ ସମସ୍ୟା ବାରମ୍ବାର ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ଗ୍ରାମକୁ ଯାଇ ଅନୁଧ୍ୟାନ କରି ଘର ଯୋଗାଇଦେବା ଦୂରର କଥା ଖଣ୍ଡେ ଜରି ପାଲ ମଧ୍ୟ ମିଳିପାରିନାହିଁ ବୋଲି ଗ୍ରାମବାସୀ ବୁରୁନ୍ଦା ବଦଲିକା,ଲାଚ ବିଧର ବଦଳିକା,ଦନିଆ ବିଦ୍ରିକା,ପରମନ୍ଧ ଅନଙ୍କିଆ,ସିନ୍ଧୁ ଉଆଡେଲିକା, ମେନ୍ଦି ବିଦ୍ରିକା, କାଶୀ ତୁର୍ଳାକା ପ୍ରମୁଖ ଜଣାଇଛନ୍ତି। ୨୦୨୧ ସୁଦ୍ଧା ସବୁ କଚା ଘରକୁ ପକା ଘରରେ ରୂପାନ୍ତରିତ କରିବାକୁ ସରକାର ଯୋଜନା କରିଥିବା ବେଳେ ଏଠି ଯୋଜନା ପାଲଟିଛି ପ୍ରହସନ। ତେଣୁ ଏହି ସରଳ ନିରୀହ ଆଦିବାସୀ ମାନଙ୍କ ର ସମସ୍ୟା କୁ ହୃଦୟଗମ କରି ଯଥା ଶୀଘ୍ର  ସରକାର ଙ୍କ ଯୋଜନା ମାଧ୍ୟମରେ ଗ୍ରାମ ବାସୀଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି।

Leave A Reply

Your email address will not be published.