‘ଡାକୋଟା’: ବିଜୁବାବୁଙ୍କ ଦୁଃସାହସିକତାର ସନ୍ତକ

79

ଭୁବନେଶ୍ୱର :ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ “ଡାକୋଟା’ ବିମାନକୁ ନେଇ ଚର୍ଚ୍ଚା । “ଡାକୋଟା’କୁ ଓଡ଼ିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଥିଲେ ତାହା ଫଳବତୀ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିବା ବିଷୟ କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି, ବିଜୁବାବୁଙ୍କ “ଡାକୋଟା’ଆଣିବା ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି । ଟେଣ୍ଡର ପାଇଁ ପୂର୍ତ୍ତ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ଡାକୋଟା ବିମାନ ଆସିଲେ ଏହାକୁ ଭୁବନେଶ୍ୱର ବିମାନ ବନ୍ଦରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ରଖାଯିବ । ଏଥିପାଇଁ ଭାରତ ସରକାରଙ୍କ ଅନୁମତି ମଧ୍ୟ ମଗାଯାଇଛି । ଡାକୋଟା ଆସିବା ପରେ ଏହାକୁ ବିଜୁବାବୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ରଖାଯିବ ବୋଲି ମନ୍ତ୍ରୀ କହିଛନ୍ତି । ବିଜୁବାବୁଙ୍କ “ଡାକୋଟା’ ଏବେ କୋଲକାତା ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରାଜୀର୍ଣ୍ଣ ଅବସ୍ଥାରେ ପ଼ଡି ରହିଛି ।

୧୯୪୭ ଅକ୍ଟୋବରରେ ଜାମ୍ମୁ ଓ କାଶ୍ମୀରରେ ଯେତେବେଳେ ଅସ୍ଥିରତା ଲାଗିରହିଥିଲା, ସେହି ସମୟରେ ମହାରାଜା ହରି ସିଂହଙ୍କ ଶାସନକୁ ଚ୍ୟାଲେଞ୍ଜ କରିଥିଲା ପାକିସ୍ତାନ । ମାତ୍ର ୨ମାସ ତଳେ ଜନ୍ମ ନେଇଥିବା ପାକିସ୍ତାନ ଜୋରଦାର ଚେଷ୍ଟା ଚଳାଇଥାଏ କାଶ୍ମୀରକୁ ନିଜ ଅକ୍ତିଆରକୁ ନେବା ପାଇଁ । ପାକିସ୍ତାନ ଆଗରେ ଦୁର୍ବଳ ହୋଇପଡୁଥାନ୍ତି ମହାରାଜା ହରି ସିଂହଙ୍କ ସୈନ୍ୟବାହିନୀ । ଧୀରେ ଧୀରେ ପରିସ୍ଥିତି ଏତେମାତ୍ରାରେ ଅଣାୟତ୍ତ ହୋଇପଡ଼ିଲା ଯେ, ରାଜଧାନୀ ଶ୍ରୀନଗର କବ୍ଜା କରିବାକୁ ପାକିସ୍ତାନ ସେନା ପାଇଁ ବାକିଥିଲା ଆଉ ମାତ୍ର ୩୦କିଲୋମିଟର । ଶେଷରେ ଭାରତ ସରକାରଙ୍କ ସାହାଯ୍ୟ ଲୋଡ଼ିଲେ ହରି ସିଂହ । ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଅନୁରୋଧ କଲେ ହରି ସିଂହ । ସେନା ପଠାଇ ଶ୍ରୀନଗର ରକ୍ଷା କରନ୍ତୁ ।

ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଦୁର୍ଦ୍ଧର୍ଷ ପାଇଲଟ୍ ବିଜୁ ପଟ୍ଟନାୟକଙ୍କ ଭୂମିକା ଥିଲା ଅତୁଳନୀୟ । ଭାରତୀୟ ସେନାଙ୍କୁ ଏୟାରଲିଫ୍ଟ କରି ପାକିସ୍ତାନୀ ଶତ୍ରୁବଳୟ ଭିତରେ ପଶି ଶ୍ରୀନଗରରେ ପହଞ୍ଚାଇବାର ଗୁରୁଦାୟିତ୍ୱ ନେଲେ ବିଜୁବାବୁ । ଅକ୍ଟୋବର ୨୭, ୧୯୪୭ରେ ସଂଘଟିତ ହେଲା ଏହି ଦୁଃସାହସିକ ଅଭିଯାନ । ସୂର୍ଯ୍ୟ ଉଇଁବା ଆଗରୁ ଡିସି-ଥ୍ରୀ ‘ଡାକୋଟା’ ବିମାନ ଧରି ଦିଲ୍ଲୀ ପାଲାମ୍ ଏୟାରପୋର୍ଟରୁ ଶ୍ରୀନଗର ଅଭିମୁଖେ ବାହାରିଲେ ବିଜୁବାବୁ । ପ୍ରତିପକ୍ଷର ରାଡ଼ାରକୁ ଚକ୍ମା ଦେଇ ଓ ଗୁଳିଗୋଳାକୁ ଖାତିର ନକରି ସଫଳତାର ସହ ଶିଖ୍ ରେଜିମେଣ୍ଟର ଯବାନଙ୍କୁ ଭୋରରୁ ବିଜୁ ପଟ୍ଟନାୟକ ଶ୍ରୀନଗରରେ ପହଞ୍ଚାଇ ଦେଇଥିଲେ । ଏହାପରେ ଭାରତୀୟ ସେନାର ମନୋବଳ ବଢ଼ି ଯାଇଥିଲା । ଆଉ ବିଜୁବାବୁଙ୍କ ଏହି ଅଭିଯାନ ଭାରତରେ ଜାମ୍ମୁ-କାଶ୍ମୀର ମିଶ୍ରଣ ପାଇଁ ବାଟ ଫିଟାଇଥିଲା ।

Comments are closed.