ଭିଜିଲାନ୍ସ ପଞ୍ଝାରେ ଭିଜିଲାନ୍ସ ଓକିଲ

72

ଭବାନୀପାଟଣା : ଭିଜିଲାନ୍ସ ପଞ୍ଝାରେ ଭିଜିଲାନ୍ସର ସ୍ୱତନ୍ତ୍ର ସରକାରୀ ଓକିଲ । ଲକ୍ଷେ ଟଙ୍କା ଲାଞ୍ଚ ନେଇ ବନ୍ଧା ହୋଇଛନ୍ତି ଭବାନୀପାଟଣା ଭିଜିଲାନ୍ସ ସରକାରୀ ଓକିଲ ଆଶୁତୋଷ ମିଶ୍ର । ଜଣେ ନିଲମ୍ବିତ ପୋଲିସ ଏଏସ୍ଆଇଙ୍କ ନାଁରେ ଥିବା ମାମଲା ରଫାଦଫା ପାଇଁ ସେ ଲାଞ୍ଚ ନେଉଥିଲେ । ଆଶୁତୋଷଙ୍କ ଘରେ ରେଡ୍ ବେଳେ ୧୫ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଜବତ ହୋଇଛି । ଆୟବହିର୍ଭୂତ ସମ୍ପତ୍ତି ସମ୍ପର୍କରେ ଖୋଳତାଡ଼ କରୁଛି ଭିଜିଲାନ୍ସ ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ମହୁଲପାଟଣା ଫାଣ୍ଡି ଏଏସ୍ଆଇ ମଳୟ କୁମାର ରଣା ଗତ ୧୮ତାରିଖ ଦିନ ଜନୈକ ବ୍ୟକ୍ତିଙ୍କ ଏକ କେସ୍ର ସମାଧାନ କରିଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭବାନୀପାଟଣା ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଥିଲେ । ଭିଜିଲାନ୍ସ କେସ ନମ୍ବର ୧୦/୨୦ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା । ସେହି ମାମଲା ଭବାନୀପାଟଣା ଭିଜିଲାନ୍ସ କୋର୍ଟରେ ବିଚାରାଧିନ ରହିଥିଲା । ଏଏସ୍ଆଇ ମଳୟ କୁମାର ରଣା ୩ଲକ୍ଷ ଟଙ୍କା ଲାଞ୍ଚ ଦେଲେ ସେହି ମାମଲାକୁ ରଫାଦଫା କରିଦେବା ପାଇଁ ଭବାନୀପାଟଣା ଭିଜିଲାନ୍ସ ସ୍ୱତନ୍ତ୍ର ପବ୍ଳିକ ପ୍ରସିକ୍ୟୁଟର ଆଶୁତୋଷ ମିଶ୍ର କହିଥିଲେ । ଏ ସମ୍ପର୍କରେ ଏଏସ୍ଆଇ ଶ୍ରୀ ରଣା କଟକସ୍ଥିତ ଭିଜିଲାନ୍ସ ସେଲକୁ ଜଣାଇଥିଲେ । ଭିଜିଲାନ୍ସ ବିଭାଗ ଶ୍ରୀ ରଣାଙ୍କ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପରେ ଭିଜିଲାନ୍ସ ସେଲ୍ କେସ୍ ନମ୍ବର ୨/ ତା.୧/୭/୨୧ରେ ଏକ ମାମଲା ରୁଜୁ କରିଥିଲେ ।

ଭିଜିଲାନ୍ସ ଡିଜିଙ୍କ ନିର୍ଦ୍ଦେଶକ୍ରମେ କଟକ ଭିଜିଲାନ୍ସ ସ୍ୱତନ୍ତ୍ର ସେଲର ଅତିରିକ୍ତ ଏସ୍ପି ପ୍ରକାଶ କୁମାର ନାୟକଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ୍ ଏବଂ ମାଲକାନଗିରି ଭିଜିଲାନ୍ସ ଡିଏସ୍ପି ସୁଶାନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଅନ୍ୟ ଭିଜିଲାନ୍ସ ଅଧିକାରୀମାନେ ୩ ତାରିଖ ଦିନ ଭବାନୀପାଟଣା ଭିଜିଲାନ୍ସ ସ୍ୱତନ୍ତ୍ର ପବ୍ଳିକ୍ ପ୍ରସିକ୍ୟୁଟର ଆଶୁତୋଷ ମିଶ୍ର ଭବାନୀପାଟଣା ରାଧାକୃଷ୍ଣ ନଗରସ୍ଥିତ ନିଜ ବାସ ବାସଭବନରେ ଭିଜିଲାନ୍ସ ସେଲର ନିର୍ଦ୍ଦେଶ ଅନୁଯାୟୀ ଏଏସ୍ଆଇ ମଳୟ କୁମାର ରଣାଙ୍କଠାରୁ କେମିକାଲ ବୋଳା ଏକଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ । କେମିକାଲ ବୋଳା ଏକଲକ୍ଷ ଟଙ୍କା ଭିଜିଲାନ୍ସ ପିପି ଶ୍ରୀ ମିଶ୍ରଙ୍କଠାରୁ ଭିଜିଲାନ୍ସ ସେଲ ଅଧିକାରୀମାନେ ଜବତ କରିଥିଲେ । ପରେ ଭିଜିଲାନ୍ସ ସେଲ୍ ଟିମ ଶ୍ରୀ ମିଶ୍ରଙ୍କ ବାସଭବନ ଓ କୋର୍ଟ ଅଫିସ ଚଢ଼ାଉ କରିଥିଲେ । ଏହି ଚଢାଉ ବେଳେ ୧୫ ଲକ୍ଷ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି । କଡା ସୁରକ୍ଷା ଭିତରେ ଶ୍ରୀ ମିଶ୍ରଙ୍କୁ ଭିଜିଲାନ୍ସ ବିଭାଗ ଅଧିକାରୀମାନେ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ଜେରା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଜଣେ ଭିଜିଲାନ୍ସ ସ୍ୱତନ୍ତ୍ର ପବ୍ଳିକ ପ୍ରସିକ୍ୟୁଟର ଭିଜିଲାନ୍ସ କୋର୍ଟରେ ବିଚାରାଧିନ ଥିବା ଏକ ଭିଜିଲାନ୍ସ ମାମଲାକୁ ରଫାଦଫା କରିଦେବା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡି ଜେଲ ଯିବା ଘଟଣା ରାଜ୍ୟରେ ପ୍ରଥମ ଘଟଣା ହୋଇଥିବାରୁ ଏନେଇ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି ।

Comments are closed.