୨୮ବର୍ଷ ପରେ ରାଜସ୍ଥାନ ଚାଷୀଙ୍କ ଲାଗି ଖୋଲିବ ବର୍ଡର

57

ରାଜସ୍ଥାନ : ରାଜସ୍ଥାନର ଚାଷୀ ଏବେ ସୀମା ସେପାଖକୁ ଯାଇ ଚାଷ କରିପାରିବେ । କେବଳ ଏତିକି ନୁହେଁ ସେମାନେ ବୋର ୱେଲରୁ ପାଇପରେ ପାଣି ନେଇ ନିଜ ଜମିରେ ମଧ୍ୟ ମଡାଇପାରିବେ । ଏଥିଲାଗି ବାଡମେର ସୀମାକୁ ବିଏସଏଫ ଖୋଲିବ । ସୀମାରେ ତାରବାଡ ଲଗାଯିବା ଯୋଗୁ ଚାଷୀମାନେ ୨୮ବର୍ଷ ହେଲା ନିଜ ଜମିକୁ ଯାଇଆସି ପରୁନଥିବାରୁ ଚାଷ କରିପାରୁନଥିଲେ । ପାକିସ୍ତାନ ଅନୁପ୍ରବେଶ ରୋକିବା ଲାଗି ଭାରତ ୧୯୯୨ ମସିହାରେ ସୀମାକୁ ତାରବାଡ ଲଗାଇ ବନ୍ଦ କରିଦେଇଥିଲା । ଏଥିରେ ପାକ୍ ସୀମାକୁ ଲାଗି ରହିଥିବା ବାଡମେର ଜିଲ୍ଲାର ଚାଷୀଙ୍କ ଶହ ଶହ ଏକର ଜମି ଜିରୋ ପଏଣ୍ଟ ଓ ତାରବାଡ ମଝିରେ ରହିଯାଇଥିଲା । ଏବେ ବିଏସ୍ଏଫ୍ ଚାଷୀଙ୍କୁ ସେମାନଙ୍କ ଖାତାରେ ଥିବା ଜମିକୁ ଯିବା ଆସିବା ଲାଗି ଅନୁମତି ଦେଇଛି । ଏଥିଲାଗି ସୀମାରେ ଚାଷୀଙ୍କ ନିମନ୍ତେ ସ୍ୱତନ୍ତ୍ର ଫାଟକ ଲଗାଯିବା ସହ ଚାଷୀଙ୍କୁ ପରିଚୟପତ୍ର ମଧ୍ୟ ଦେବାର ବ୍ୟବସ୍ଥା ହେଉଛି । ଚାଷୀ ପରିଚୟପତ୍ର ଦେଖାଇ ନିଜ ବିଲକୁ ଚାଷବାଷ କରିବାକୁ ଏବେ ଯାଇପାରିବେ ।

ସେହିପରି ଜମିର ପାଣି ଆବଶ୍ୟକତା ପୂରଣ ଲାଗି ନିଜ ଦେଶ ସୀମାରେ ବୋରୱେଲ କରି ପାଇପ ଓ ଜଳ ସେଚନ ମାଧ୍ୟମରେ ନିଜ ଜମି ପର୍ଯ୍ୟନ୍ତ ପାଣି ମଧ୍ୟ ନେଇପାରିବେ । ଭାରତ-ପାକ୍ ସୀମା ପଞ୍ଜାବରେ ଚାଷୀଙ୍କୁ ଜିରୋ ପଏଣ୍ଟରେ ଥିବା ନିଜ ଜମିରେ ଚାଷ କରିବାକୁ ଅନୁମତି ମିଳିଛି । ଏଣୁ ବାଡମେରର ଜାଟୋଂକେ ବେରା ଓ ଶରଳା ଅଞ୍ଚଳର ଚାଷୀ ଏହି ସୁବିଧା ପାଇପାରିବେ । ସୀମାରେ ତାରଘେରା ଓ ଜିରୋ ପଏଣ୍ଟ ମଧ୍ୟରେ ବାଡମେର ଜିଲ୍ଲାର ଚାଷୀଙ୍କ ପ୍ରାୟ ୧୧ ହଜାର ୪୬୮ ବିଘା ଜମି ରହିଯାଇଥିବା ବିଏସ୍ଏଫ୍ ଡିଆଇଜିଙ୍କ ସହ ଆଲୋଚନାରେ ଚାଷୀ ସୂଚିତ କରିଥିଲେ । ଏହି ଜମିର କ୍ଷତିପୂରଣ ସେମାନଙ୍କୁ ମିଳି ନଥିବା ବେଳେ ସେମାନେ ଜମିର ହକ୍ ମଧ୍ୟ ପାଇପାରୁନଥିଲେ । ତେବେ ବିଏସ୍ଏଫ୍ ଡିଆଇଜି ବିନିତ କୁମାରଙ୍କ ନିକଟରେ ଅଭିଯୋଗ କରିବା ପରେ ସେମାନଙ୍କ ସମସ୍ୟା ଏବେ ସମାଧାନ ହେବାକୁ ଯାଉଛି । ଡିଆଇଜି ଜିରୋ ପଏଣ୍ଟରେ ଜମି ଥିବା ଚାଷୀଙ୍କୁ ଚାଷ କରିବା ଲାଗି ଯିବା ନିମନ୍ତେ ଆବେଦନ କରିବାକୁ କହିଛନ୍ତି । ଏଥିରେ ପାସ୍ ନିମନ୍ତେ ନିବେଦନ କରିବାକୁ କୁହାଯାଇଥିବା ବେଳେ ନିର୍ଦ୍ଧାରିତ ଆଇନରେ ଚାଷୀ ପାସ୍ ଦେଖାଇ ତାରବାଡ ସେପାଖକୁ ଯାଇ ଚାଷ କରି ପୁଣି ନିଜ ଘରକୁ ଫେରିପାରିବେ ବୋଲି କହିଛନ୍ତି ।

Comments are closed.