ବିଶ୍ୱରେ ବଢ଼ୁଛି ‘କୋ-ୱିନ୍’ର ଚାହିଦା

53

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋୱିନ୍ ଗ୍ଲୋବାଲ୍ କନକ୍ଲେଭ୍କୁ ସମ୍ବୋଧନ କରିବା ସହ ମହାମାରୀ ବିରୋଧୀ ଲଢ଼େଇରେ ଡିଜିଟାଲ୍ ପ୍ଲାଟଫର୍ମ କୋୱିନ୍ ର ଭୂମିକା ସମ୍ପର୍କରେ କହିଛନ୍ତି । ଏହାସହ ଏହି ପ୍ଳାଟଫର୍ମକୁ ବିଶ୍ୱ ସ୍ତରରେ ପହଞ୍ଚାଯିବ ବୋଲି କହିଛନ୍ତି ମୋଦୀ । କନକ୍ଳେଭରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଏବଂ କୋୱିନ୍ ପୋର୍ଟାଲର ସିଇଓ ଆରଏସ୍ ଶର୍ମା ମଧ୍ୟ ସାମିଲ୍ ହୋଇଥିଲେ । ମହାମାରୀ କରୋନାରୁ ରକ୍ଷା ପାଇଁ ବ୍ୟବହାର ହେଉଥିବା ଡିଜିଟାଲ୍ ପ୍ଲାଟଫର୍ମ କୋୱିନ୍କୁ ଅନ୍ୟ ଦେଶରେ କାର୍ଯ୍ୟକ୍ଷମ କରାଇବା ଉପରେ କନକ୍ଲେଭ୍ରେ କହିଛନ୍ତି ମୋଦୀ ।

କାନାଡା, ମେକ୍ସିକୋ, ନାଇଜେରିଆ, ପାନାମା ଏବଂ ୟୁଗାଣ୍ଡା ସମେତ ପାଖାପାଖି ୫୦ ଦେଶରେ ଟିକାକରଣ ଅଭିଯାନ ପାଇଁ କୋୱିନ୍କୁ ବ୍ୟବହାର କରିବା ନିମନ୍ତେ ଇଚ୍ଛା ପ୍ରକାଶ କରିଛନ୍ତି । କନକ୍ଲେଭ୍ରେ ମୋଦୀ କହିଛନ୍ତି,ଭାରତୀୟ ସଭ୍ୟତା ସମଗ୍ର ବିଶ୍ୱକୁ ଏକ ପରିବାର ରୂପେ ଦେଖୁଛି । ମହାମାରୀ ସମୟରେ ଲୋକମାନେ ଏହାକୁ ଅନୁଭବ କରିଥିବେ । ତେଣୁ କୋଭିଡ୍ ଟିକାକରଣ ପାଇଁ ଆମ ଡିଜିଟାଲ୍ ପ୍ଲାଟଫର୍ମ କୋ-ୱିନ୍ ଓପନ୍ ସୋର୍ସ ଭାବେ ବିକଶିତ କରାଯାଉଛି । ଏହା ସହ ସେ ଆହୁରି କହିଛନ୍ତି, ମହାମାରୀରୁ ମୁକ୍ତି ପାଇବାକୁ ହେଲେ ଟିକାକରଣ ଏକ ଭଲ ବିକଳ୍ପ । ଏହାକୁ ନଜରରେ ରଖି କେବଳ ଭାରତରେ ଡିଜିଟାଲର ସାହାରା ନିଆଯାଇଛି । ଟିକାକରଣକୁ ଆହୁରି ଦୃଢ଼ କରିବା ପାଇଁ କୋୱିନ୍କୁ ଏକ ଓପନ ସୋର୍ସରେ ଖୁବ୍ଶୀଘ୍ର ପରିଣତ କରାଯିବ ବୋଲି ମୋଦୀ କହିଛନ୍ତି ।

ବିଶ୍ୱ ସ୍ତରରେ କୋୱିନ୍ ବ୍ୟବହାରକୁ ପ୍ରଧାନମନ୍ତ୍ରୀ ଅନୁମତି ଦେବା ପୂର୍ବରୁ ଏହାକୁ ନେଇ ବିଶ୍ୱରେ ଚର୍ଚ୍ଚା ଜୋର ଚାଲିଛି । ଏହାଦ୍ୱାରା ଜନସଂଖ୍ୟାରେ ଦ୍ୱିତୀୟ ବୃହତ୍ ଦେଶ ଭାରତରେ ଟିକାକରଣରେ କୌଣସି ପ୍ରକାର ଅସୁବିଧା ହେଉନଥିବା ନେଇ ଅନ୍ୟ ଦେଶ ଏହାକୁ ଖୁବ ପ୍ରଶଂସା କରୁଛନ୍ତି । ପାଖାପାଖି ୫୦ ଦେଶ ଏବେ କୋୱିନ୍ ଆପ୍କୁ ଟିକାକରଣ ଅଭିଯାନରେ ଉପଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । କିଛି ଦିନ ପୂର୍ବରୁ କୋୱିନ୍ ରେ ଓପନ ସୋର୍ସ ଭର୍ଜନ ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଯେଉଁ ଦେଶକୁ ଏହାର ଆବଶ୍ୟକତା ଅଛି ସେମାନଙ୍କୁ ମାଗଣାରେ ଏହାକୁ ଯୋଗାଇଦେବାକୁ କହିଥିଲେ ପ୍ରଧାନମନ୍ତ୍ରୀ । ସେତେବେଳେ ହିଁ ୫ ଜୁଲାଇରେ ଗ୍ଲୋବାଲ୍ କନକ୍ଲେଭ୍ ଆୟୋଜନ କରିବାକୁ ସ୍ଥିର କରିବା ସହ କୋୱିନ୍ ବ୍ୟବାହର କରିବାକୁ ଚାହୁଁଥିବା ଦେଶଗୁଡ଼ିକୁ ଓପନ ସୋର୍ସ ଭର୍ଜନର ବ୍ୟବହାର କେମିତି ହେବ ସେନେଇ ସବିଶେଷ ବିବରଣୀ ଦିଆଯିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

Comments are closed.