ହିନ୍ଦୀ ସିନେମାର ଭେଟରାନ୍ କଳାକାର ଦିଲୀପ କୁମାରଙ୍କ ପରଲୋକ

56

ମୁମ୍ବାଇ : ହିନ୍ଦୀ ସିନେମାର ଭେଟରାନ୍ କଳାକାର ଦିଲୀପ କୁମାର ଆଉନାହାଁନ୍ତି । ସେ ଆଜି(ବୁଧବାର) ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଆଜି ସକାଳେ ମୁମ୍ବାଇର ପିଡି ହିନ୍ଦୁଜା ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ଦିଲୀପଙ୍କ ନିଧନରେ ଶୋକରେ ଡୁବି ଯାଇଛି ମାୟାନଗରୀ । ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ପୂର୍ବରୁ ତାଙ୍କ ଶ୍ବାସକ୍ରିୟାରେ ସମସ୍ୟା ଉପୁଜିବା ହେତୁ ଜୁନ୍‌ ୨୯ ତାରିଖରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଜୁନ୍‌ ୩୦ ତାରିଖରେ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲ୍‌ ଆଇସିୟୁରେ ରଖା ଯାଇଥିଲା । ଗତ ମାସକ ମଧ୍ୟରେ ତାଙ୍କୁ ଦୁଇଥର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଜୁଲାଇ ୫ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଟ୍ୱିଟରରେ ସୂଚନା ଦିଆଯାଇଥିଲା । ଚିକିତ୍ସା କାଳ‌ରେ ତାଙ୍କ ପତ୍ନୀ ସାଇରା ବାନୁ ତାଙ୍କ ପାଖେପାଖେ ରହିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ପ୍ରଶଂସକଙ୍କୁ ସୂଚନା ଦେଇ ଆସୁଥିଲେ। ଶେଷରେ ସେ ଆଜି ସକାଳ ୭.୩୦ ସମୟରେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ଦିଲୀପ କୁମା‌ରଙ୍କ ପ୍ରକୃତ ନାମ ମହମ୍ମଦ ୟୁସୁଫ ଖାନ । ସେ ୧୧ ଡିସେମ୍ବର ୧୯୨୨ ରେ ଜନ୍ମଗ୍ରହଣ କରିଥିଲେ। ସେ ହିନ୍ଦି ସିନେମାରେ ପ୍ରଥମ ଖାନ ଭାବରେ ଜଣାଶୁଣା । ଦିଲୀପ କୁମା‌ର ୧୯୪୪ ମସିହାରେ ବମ୍ବେ ଟକିଜ୍ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ‘ଜ୍ବାର ଭଟ୍ଟା’ ଫିଲ୍ମରେ ଅଭିନୟର କ୍ୟାରିଅର ଆରମ୍ଭ କରିଥିଲେ । ପ୍ରାୟ ପାଞ୍ଚ ଦଶନ୍ଧିର ଅଭିନୟ କ୍ୟାରିୟରରେ ୬୫ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ । ସେ ନାସିକରେ ପାଠ ପଢ଼ିଥିଲେ । ପିଲାଟି ଦିନରୁ ରାଜ କୁମାରଙ୍କ ସାଙ୍ଗ ହୋଇଥିଲେ । ସେବେଠାରୁ ବଲିଉଡକୁ ଯାତ୍ରା ଆରମ୍ଭ କରିଥିଲେ ଦିଲୀପ । ୨୨ ବର୍ଷ ବୟସରେ ଦିଲୀପଙ୍କୁ ମିଳିଥିଲା ପ୍ରଥମ ଫିଲ୍ମରେ ଅଭିନୟ କରିବାର ସୁଯୋଗ ।୫ ଦଶନ୍ଧିର ଅଭିନୟ ଜୀବନରେ ଦିଲୀପ ୬୫ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେଥିମଧ୍ୟରୁ ୧୯୪୯ରେ ଅନ୍ଦାଜ, ୧୯୫୨ରେ ଆନ୍, ୧୯୫୫ରେ ଆଜାଦ, ୧୯୬୦ରେ ମୁଘଲ ଏ ଆଜମ, ୧୯୬୧ରେ ଗଙ୍ଗା ଯମୁନା ଓ ୧୯୬୭ରେ ରାମ ଔର ଶ୍ୟାମରେ ନିଚ୍ଛକ ଅଭିନୟ ଦର୍ଶକଙ୍କୁ ସବୁଦିନ ପାଇଁ ମନେ ରହିବ ।

୧୯୭୬ ମସିହାରେ ଦିଲୀପ କୁମା‌ର କାମରୁ ପାଞ୍ଚ ବର୍ଷର ବିରତି ନେଇଥିଲେ । ଏହା ପରେ ୧୯୮୧ ମସିହାରେ ସେ କ୍ରାନ୍ତି ଚଳଚ୍ଚିତ୍ର ସହିତ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହା ପରେ ୱୋ ଶକ୍ତି (୧୯୮୨), ମଶାଲ (୧୯୮୪), କରମା (୧୯୮୬), ସୌଦାଗର (୧୯୯୧) ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ‘କିଲା’ ଯାହା ୧୯୯୮ ରେ ମୁକ୍ତିଲାଭ କରିଥିଲା ​​।

Comments are closed.