ଭୀମଟାଙ୍ଗୀ ହତ୍ୟା ଘଟଣାର ଖୋଲୁଛି ଗୁମର :ଯାଜପୁରରେ ସ୍ୱତନ୍ତ୍ର ଟିମ୍ ର ଖୋଳତାଡ

66

ଭୁବନେଶ୍ୱର : ଭୁବନେଶ୍ୱର ଭୀମଟାଙ୍ଗୀରେ ମହିଳାଙ୍କୁ ହତ୍ୟା ଘଟଣାର ଗୁମର ଧୀରେ ଧୀରେ ଫିଟିବାରେ ଲାଗିଛି । ଏହି ହତ୍ୟା ଘଟଣା ଯୋଜନାବଦ୍ଧ ଥିଲା ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଅଭିଯୁକ୍ତ ଜଗନ୍ନାଥ ପ୍ରଥମେ ପ୍ରିୟଙ୍କାଙ୍କ ପୁଅ ଓ ପରେ ପ୍ରିୟଙ୍କାଙ୍କୁ ମାରି ନିଜେ ଜୀବନ ହାରିବ ବୋଲି ଯୋଜନା କରିଥିଲା । ପୋଲିସ ତଦନ୍ତକୁ ଅଧିକ ଶାଣିତ କରିବା ସହିତ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି । ହତ୍ୟାକାଣ୍ଡ ଘଟିଥିବା ଘରେ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ଖୋତଳାଡ଼ ସହ ଅଧିକ ତଥ୍ୟ ସଂଗ୍ରହ କରିଛନ୍ତି । ମୃତା ପ୍ରିୟଙ୍କାଙ୍କ ପରିବାର ସମେତ ଅଭିଯୁକ୍ତ ଜଗନ୍ନାଥର ପରିବାର ଓ ସମ୍ପର୍କୀୟଙ୍କୁ ମଧ୍ୟ ପଚରାଉଚରା କରୁଛି ସ୍ୱତନ୍ତ୍ର ଟିମ୍ ।

ଡିସିପି ଉମାଶଙ୍କର ଦାସ କହିଛନ୍ତି ଯେ, ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ପ୍ରଥମ ଟାର୍ଗେଟ୍ ଥିଲା ପ୍ରିୟଙ୍କାଙ୍କ ୩ ବର୍ଷର ପୁଅ । ତା’ପରେ ସେ ପ୍ରିୟଙ୍କାଙ୍କୁ ମାରି ନିଜେ ଆତ୍ମହତ୍ୟା କରିଥା’ନ୍ତା । ସେ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି ଉଭୟ (ଜଗନ୍ନାଥ ଓ ପ୍ରିୟଙ୍କା) ପରସ୍ପରକୁ ଜାଣିଥିଲେ । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ପ୍ରତିହିଂସା ପରାୟଣ ଜଗନ୍ନାଥର ମର୍ଡର ପ୍ଲାନ୍ ପ୍ରି ପ୍ଲାନ୍ ଥିଲା । ପ୍ରଥମେ ପୁଅ ଓ ପରେ ପ୍ରିୟଙ୍କାଙ୍କୁ ମାରି ନିଜକୁ ଶେଷ କରିଦେବ ବୋଲି ସେ ଯୋଜନା କରିଥିଲା । ଘଟଣା ସ୍ଥଳରୁ ମିଳିଥିବା ସୁଇସାଇଡ୍ ନୋଟ୍ରୁ ଯାଞ୍ଚ ପାଇଁ ଷ୍ଟେଟ୍ ଫରେନ୍ସିକ୍ ଲ୍ୟାବ୍କୁ ପଠାଯାଇଛି । ପ୍ରିୟଙ୍କାଙ୍କୁ ହରାଇ ଏବେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପ୍ରିୟଙ୍କାଙ୍କ ବାପଘର ଓ ଶାଶୂଘର ଲୋକେ । ଅଭିଯୁକ୍ତକୁ ଫାଶୀ ଦେବାକୁ ସେମାନେ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି ଜଗନ୍ନାଥଙ୍କ ମା’। ସେ କହିଛନ୍ତି ବିବାହ ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଥିଲା । ଗତବର୍ଷ ଲକ୍ଡାଉନ୍ ପରେ ପୁଣିଥରେ ଗଢ଼ିଉଠିଥିଲା ସମ୍ପର୍କ । ଜଗନ୍ନାଥ ଏବେ ବୟାନ ଦେବା ପରିସ୍ଥିତିରେ ନ ଥିବାରୁ ସେ ସୁସ୍ଥ ହେବା ପର୍ଯ୍ୟନ୍ତ ପୋଲିସ ଅପେକ୍ଷା କରିଛି । ଚିକିତ୍ସିତ ହେଉଥିବା ଜଗନ୍ନାଥ ତାର ମୋବାଇଲରୁ ଘର ଲୋକଙ୍କ ନିକଟକୁ ପଠାଇ ଥିବା ହ୍ୱାଟ୍ସଆପ୍ ବାର୍ତ୍ତା ଏବେ ପଦାକୁ ଆସିଛି । ସେ ତାର ଘର ଲୋକଙ୍କୁ କହିଛି ଯେ, ପ୍ରିୟଙ୍କା ମୋତେ ବରବାଦ କରିଦେଲା, ଆଉ ରାଗିବେନି ମୋ ଉପରେ, ମୁଁ ଦୁନିଆ ଛାଡି ଯାଉଛି । ପ୍ରିୟଙ୍କାକୁ ମୁଁ ବହୁତ ଭଲ ପାଉଥଲି, କିନ୍ତୁ ସେ ମୋତେ ବରବାଦ୍ କରିଦେଲା । ମୁଁ ମାନସିକ ଭାରସାମ୍ୟ ହରାଇ ବସିଛି, ମୁଁ ଆଉ ଫେରିବିନି । ମୋ ପାଖରେ ଆଉ କିଛି ରାସ୍ତା ନାହିଁ, ମୋତେ କ୍ଷମା କରିଦେବ । ନିଜ ଭାଇମାନଙ୍କୁ ସେ କ୍ଷମା ମାଗିବା ସହ ଫାଇନାନ୍ସରେ କିଣିଥିବା ବାଇକର ବଳକା ଅର୍ଥ ଦେବାକୁ ମଧ୍ୟ କହିଥିଲା ।

ପ୍ରିୟଙ୍କାଙ୍କ ହତ୍ୟାକାଣ୍ଡ ଏବେ ଅନେକ ଅସମାହିତ ପ୍ରଶ୍ନ ଭିତରେ ଛନ୍ଦି ହୋଇଯାଇଛି । ଏକତରଫା ପ୍ରେମର ବିଫଳତା ନା ପରକୀୟାପ୍ରୀତିରୁ ହତ୍ୟା ? ପ୍ରିୟଙ୍କାଙ୍କ ଉପରେ କ’ଣ ପାଇଁ ପ୍ରତିଶୋଧ ନେବାକୁ ଚାହୁଁଥିଲା ଜଗନ୍ନାଥ । ପ୍ରତିହିଂସା ପରାୟଣ ହେବାର କାରଣ କ’ଣ ? କେବେଠାରୁ ମର୍ଡର ପ୍ଲାନ୍ ପ୍ରସ୍ତୁତ କରିଥିଲା ସେ ? ପ୍ରିୟଙ୍କା ରହୁଥିବା ଭଡ଼ାଘରକୁ ସେ ଆଗରୁ କେବେ ଆସିଥିଲା ? କାହିଁକି ଛୋଟପିଲାକୁ ମାରିବାକୁ ଚାହୁଁଥିଲା ? ସେମାନଙ୍କ ସମ୍ପର୍କ ବାବଦରେ ପରିବାରର କେହି କିଛି ଜାଣିଥିଲେ କି ? ଏପରିକି ପ୍ରିୟଙ୍କାଙ୍କ ସ୍ୱାମୀ ରାକେଶ କ’ଣ ଜାଣିଥିଲେ ? ପ୍ରିୟଙ୍କା ଓ ଜଗନ୍ନାଥଙ୍କ ମୋବାଇଲରୁ ପୋଲିସକୁ ମିଳିପାରେ ଗୁରୁତ୍ୱପୂର୍ଣ୍ଣ ସୁରାକ୍ । ଶେଷଥର ଫୋନ୍ ରେ ଉଭୟ କେତେଥର କଥା ହୋଇଥିଲେ ? ଶେଷ ମୁହୂର୍ତ୍ତରେ ଏମିତି କ’ଣ ଘଟିଲା ଯେ, ପ୍ରିୟଙ୍କାଙ୍କୁ ହତ୍ୟା କରିବାକୁ ପଛାଇନଥିଲା ଜଗନ୍ନାଥ । ତେବେ ଅଭିଯୁକ୍ତକୁ ଜେରା ଏବଂ ପ୍ରିୟଙ୍କାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଅନେକ ରହସ୍ୟ ଉପରୁ ପରଦା ହଟିବ ବୋଲି ପୋଲିସ ଆଶା ରଖିଛି ।

Comments are closed.