ମୋଦୀ କ୍ୟାବିନେଟ୍ ର ନବକଳେବର : ୪୩ ନୂଆ ଚେହେରା, ୧୨ ବିଦା

69

-୧୫ଜଣଙ୍କୁ କ୍ୟାବିନେଟ୍ ପାହ୍ୟା, ୨୮ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ
-ଯୁବ-ମହିଳା ଓ ନବାଗତଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍
-ସବୁ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀ ସରକାରର ଦ୍ୱିତୀୟ ପାଳିରେ ପ୍ରଥମ ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ସନ୍ଧ୍ୟା ୬ଟାରେ ମନ୍ତ୍ରିମାନଙ୍କୁ ଶପଥ ପାଠ କରାଇଛନ୍ତି । ୧୫ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବା ବେଳେ ୨୮ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଛି । ରାଷ୍ଟ୍ରପତି ଭବନର ଦରବାଲ ହଲ୍ରେ ଆୟୋଜିତ ସ୍ୱତନ୍ତ୍ର ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ମନ୍ତ୍ରୀମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଉତ୍ସବରେ
ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ସିଡିଏସ୍ ବିପିନ କୁମାର ରାୱତଙ୍କ ସହ ଅନେକ ବରିଷ୍ଠ ମନ୍ତ୍ରୀ ଓ ନେତା ଉପସ୍ଥିତ ଥିଲେ ।

ପ୍ରଥମେ କ୍ୟାବିନେଟ୍ ପାହ୍ୟା ମିଳିଥିବା ମନ୍ତ୍ରୀ ଶପଥ ନେଇଛନ୍ତି । କ୍ୟାବିନେଟ୍ ମନ୍ତ୍ରୀ ଭାବେ ନାରାୟଣ ଟାଟୁ ରାଣେ, ସର୍ବାନନ୍ଦ ସୋନୋୱାଲ, ଡ.ବୀରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂହ, ଅଶ୍ୱିନ ବୈଷ୍ଣବ, ପଶୁପତି କୁମାର ପାରଶ, କିରେନ ରିଜିଜୁ, ରାଜ କୁମାର ସିଂହ, ହରଦୀପ ସିଂହ ପୁରୀ, ମନସୁଖ ପାଣ୍ଡଭିୟ, ଭୁପେନ୍ଦ୍ର ଯାଦବ ଶପଥ ନେଇଛନ୍ତି । ଏହାପରେ ୨୮ ରାଷ୍ଟ୍ରମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଶପଥ ପାଠ କରାଇଛନ୍ତି । ଏଥିରେ ଅଛନ୍ତି ପଙ୍କଜ
ଚୌଧୁରୀ, ଅନୁପ୍ରିୟା ପଟେଲ, ସତ୍ୟପାଲ ସିଂହ ବଘେଲ, ରାଜୀବ ଚନ୍ଦ୍ରଶେଖର, ଶୋଭା କରଣ୍ଡଲାଜେ, ଭାନୁପ୍ରତାପ ସିଂହ ବର୍ମା, ଦର୍ଶନ ବିକ୍ରମ ଜାରଦୋଶ, ମିନାକ୍ଷୀ ଲେଖି, ଅନ୍ନପୂର୍ଣ୍ଣା ଦେବୀ, ଏ ନାରାୟଣ ସ୍ୱାମୀ, କୌଶଲ କିଶୋର, ଅଜୟ ଭଟ୍ଟ, ବି.ଏଲ ବର୍ମା, ଅଜୟ କୁମାର, ଚୌହାନ ଦେବୁସିହ୍ନ, ଭଗୱନ୍ତ ଖୁବା, କପିଲ ମୋରେଶ୍ୱର ପାଟିଲ, ପ୍ରତୀମା ଭୌମିକ,ଡ. ସୁବାଷ ସରକାର, ଭଗୱତ କିଶନରାୟ କରାଡ, ରାଜକୁମାର ରଞ୍ଜନ ସିଂହ, ଭାରତୀ ପ୍ରବୀଣ ପାୱାର, ବିଶେଶ୍ୱର ଟୁଡୁ, ଶାନନ୍ତୁ ଠାକୁର, ମୁଞ୍ଜାପରା ମହେନ୍ଦ୍ରଭାଇ, ଜୋନ ବାର୍ଲା, ଏଲ ମୁରୁଗାନ ଓ ନିଶିଥ ପ୍ରମାଣିକ । କେନ୍ଦ୍ରର ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ୧୨ ମନ୍ତ୍ରୀଙ୍କୁ ଛୁଟି ଦିଆଯାଇଛି । ଏଥିରେ ଅଛନ୍ତି ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଓ ରବିଶଙ୍କର ପ୍ରସାଦୟ ପ୍ରକାଶ ଜାବଡେକର କେନ୍ଦ୍ର କ୍ୟାବିନେଟ୍ ରେ ଜଙ୍ଗଲ ଓ ପରିବେଶ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିଲେ ।

ସେହିପରି ରବିଶଙ୍କର ପ୍ରସାଦ ଆଇନ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଥିଲେ । ଏହିପରି କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, କେନ୍ଦ୍ରୀୟ ରସାୟନ ମନ୍ତ୍ରୀ ସଦାନନ୍ଦ ଗୌଡା,ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଦେବାଶ୍ରୀ ଚୌଧୁରୀ ଓ ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏହା ବ୍ୟତୀତ ଶିକ୍ଷା ରାଜ୍ୟ ମନ୍ତ୍ରୀ ସଂଜୟ ଧୌତ୍ରୋ, ଜଙ୍ଗଲ ଏବଂ ପର୍ଯ୍ୟାବରଣ ରାଜ୍ୟ ମନ୍ତ୍ରୀ ବାବୁଲ୍ ସୁପ୍ରିଓ, ରାୱ ସାହବ ଦାନବେ, ରତନ ଲାଲ୍ କାଟାରିଆ, ପ୍ରତାପ ଷଡ଼ଙ୍ଗୀ, ଦେବ ଶ୍ରୀ ବାନାର୍ଜୀ ମଧ୍ୟ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ସାରିଛନ୍ତି । ସମ୍ପ୍ରସାରଣ ପରେ ଯୁବ ବ୍ରିଗେଡ୍ ଏବଂ ବୟସ୍କଙ୍କୁ ନେଇ ମୋଦୀଙ୍କ ନୂଆ ଟିମ୍ ସନ୍ତୁଳିତ ହୋଇଛି । ନୂଆ କ୍ୟାବିନେଟ୍ରେ ଅଛନ୍ତି ୫୦ବର୍ଷରୁ କମ୍ ବୟସର ୧୪ଜଣ ମନ୍ତ୍ରୀ । ଜାତି, ଧର୍ମ ଏବଂ ଅଭିଜ୍ଞତାକୁ ନେଇ ସନ୍ତୁଳିତ ହୋଇଛି ନୂଆ ଟିମ୍ । ଯୁବମନ୍ତ୍ରୀଙ୍କୁ ମାର୍ଗଦର୍ଶନ କରିବେ ବରିଷ୍ଠ ମନ୍ତ୍ରୀ । ନୂଆ ଟିମ୍ ରେ ଅଛନ୍ତି ୪ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଭିନ୍ନ ରାଜ୍ୟରେ ମନ୍ତ୍ରୀପଦ ସମ୍ଭାଳିଥିବା ୧୮ ସାଂସଦ ଏହି ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । ୧୩ଜଣ ଆଇନଜୀବୀ,୬ଜଣ ଡାକ୍ତର, ୫ଜଣ ଇଞ୍ଜିନିୟର, ୭ଜଣ ପ୍ରଶାସନିକ ଅଧିକାରୀ ମଧ୍ୟ ଏହି ଟିମ୍ ରେ ଅଛନ୍ତି । ଏମାନଙ୍କ ଭିତରେ ୭ଜଣ ଗବେଷଣାରେ ଡିଗ୍ରୀ ହାସଲ କରିଥିବାବେଳେ ୩ଜଣ ବ୍ୟବସାୟରେ ଡିଗ୍ରୀ ହାସଲ କରିଛନ୍ତି । ୯ରାଜ୍ୟରୁ ୧୧ଜଣ ମହିଳା ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇଛନ୍ତି ।

ସେହିଭଳି ମନ୍ତ୍ରିମଣ୍ଡଳରେ ଅଛନ୍ତି ୧୨ଜଣ ଅନୁସୂଚିତ ଜାତିବର୍ଗର ନେତା । ଏମାନେ ୮ଟି ରାଜ୍ୟକୁ ପ୍ରତିନିଧିତ୍ୱ କରୁଛନ୍ତି । ୨୭ଜଣ ଓବିସି ବର୍ଗର ଥିବାବେଳେ ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଛି । ଅନୁସୂଚିତ ଜନଜାତି ବର୍ଗର ୮ଜଣ ନେତା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । ଧର୍ମକୁ ନେଇ ମୋଦୀ କ୍ୟାବିନେଟ୍ରେ ସନ୍ତୁଳନ ଦେଖିବାକୁ ମିଳିଛି । ଜଣେ ମୁସଲିମ୍, ଜଣେ ଶିଖ, ଜଣେ ଖ୍ରୀଷ୍ଟିଆନ ଏବଂ ଦୁଇଜଣ ବୌଦ୍ଧ ଧର୍ମବଲମ୍ବୀ ଥିବା ଜଣାପଡ଼ିଛି ।

Comments are closed.