ଆଦିମ ଜନଜାତି ପରିବାରକୁ ସହାୟତା : ‘ଏ ବିପଦରେ ଆପଣ ଏକା ନୁହନ୍ତି’

69

-ପ୍ରତ୍ୟେକ ପରିବାରକୁ ୫ ହଜାର ଲେଖାଏଁ ସହାୟତା
-ଉପକୃତ ହେବେ ୬୪,୨୧୪ ଆପଦଗ୍ରସ୍ତ ଆଦିମ ଜନଜାତି
-୬୦ ହଜାର ଅନୁସୂଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀଙ୍କୁ ଛାତ୍ର ବୃତ୍ତି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୬୪,୨୧୪ଟି ଆପଦଗ୍ରସ୍ତ ଆଦିମ ଜନଜାତି ପରିବାରକୁ ୫୦୦୦ ଟଙ୍କା ଲେଖାଏଁ “ସ୍ୱତନ୍ତ୍ର କୋଭିଡ ସହାୟତା’ ପ୍ରଦାନ କରିଛନ୍ତି । କୋଭିଡର ଦ୍ୱିତୀୟ ଲହରୀରେ ଏହି ଆଦିମ ଜନଜାତି ପରିବାରମାନଙ୍କୁ ଆର୍ଥିକ ସୁରକ୍ଷା ଦେବା ପାଇଁ ଏହି ସହାୟତା ପ୍ରଦାନ କରାଯାଇଛି । ଏହା ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଛି । ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ମୁଁ ଜାଣେ କରୋନା ରୋଗ ଯୋଗୁଁ ଗରିବ ଲୋକଙ୍କ ରୋଜଗାର ଉପରେ ବହୁତ ପ୍ରଭାବ ପଢିଛି । ଆପଣମାନଙ୍କ ରୋଜଗାର ଉପରେ ମଧ୍ୟ ବହୁତ ପ୍ରଭାବ ପଡିଛି । ଏ ବିପଦ ସମୟରେ ଆପଣମାନେ ଏକା ନୁହନ୍ତି । ଆପଣଙ୍କ ସାଥିରେ ସରକାର ଅଛନ୍ତି । ଆପଣଙ୍କ କଲ୍ୟାଣ ପାଇଁ ସରକାର କାମ କରୁଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ୧୬୭୯ଟି ଆପଦଗ୍ରସ୍ତ ଆଦିମ ଜନଜାତି ଗାଁ ରହିଛି । କୋଭିଡ ସମୟରେ ରାଜ୍ୟ ସରକାର ମାସ୍କ, ସାନିଟାଇଜର ଓ ସାବୁନ ବଣ୍ଟନ ସହିତ ସଙ୍ଗରୋଧ କେନ୍ଦ୍ର ଏବଂ ଟିକାକରଣକୁ ପ୍ରାଥମିକତା ଦେଇ କୋଭିଡ ପରିଚାଳନା କରୁଛନ୍ତି । ଆଦିମ ଜନଜାତିଙ୍କ ମଧ୍ୟରୁ ୩୧୪ ଜଣ କୋଭିଡ଼ ପୀଡ଼ିତ ହୋଇଥିଲେ ମଧ୍ୟ ଗୋଟିଏ ବି ଜୀବନ ହାନି ହୋଇନାହିଁ ବୋଲି ଜଣାପଡିଛି । ଆଦିମ ଜନଜାତି ଗାଁ ମାନଙ୍କରେ୧୮ ଟି ଆମ୍ବୁଲାନ୍ସ ସହିତ କୋଭିଡ ପରିଚାଳନାକୁ ତ୍ୱରାନ୍ୱ୍ୱିତ କରାଯାଇଛି ବୋଲି ସୂଚନା ଦିଆଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରି କହିଛନ୍ତି, ମୁଁ ବହୁତ ଖୁସି ଯେ, ଆଜି ଆପଣଙ୍କ ବ୍ୟାଙ୍କଖାତାରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଭାବରେ ୫୦୦୦ ଟଙ୍କା ଜମା କରାଗଲା । ରାଜ୍ୟର ସବୁ ଆପଦଗ୍ରସ୍ତ ଆଦିମ ଜନଜାତି ଗାଁର ପରିବାର ଏହି ସହାୟତା ପାଇବେ । ଆମର ଆଦିମ ଜନଜାତି ଭାଇଭଉଣୀଙ୍କ ମଧ୍ୟରୁ ୩୦୦ରୁ ଅଧିକ ଲୋକ କରୋନାରେ ପୀଡିତ ଥିଲେ । ସେତେବେଳେ ସେମାନଙ୍କୁ ୨୫୦୦ ଟଙ୍କାର ରାସନ କିଟ୍ ଦିଆଯାଇଥିଲା । ତା’ସହିତ ମଜୁରି କ୍ଷତି ଭରଣା ପାଇଁ ୧୪୦୦ ଟଙ୍କା ଲେଖାଏଁ ଦିଅଯାଇଥିଲା ।

ସେହିପରି ଏସ୍ସି ଏବଂ ଏସ୍ଟି ଛାତ୍ରଛାତ୍ରୀଙ୍କ ବୃତ୍ତି ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କରୋନା ଯୋଗୁଁ ପିଲାମାନେ ଗତ ଏକ ବର୍ଷରୁ ଅଧିକ ସମୟ ହେଲା ହଷ୍ଟେଲ ଛାଡି ଘରେ ଅଛନ୍ତି । ମୁଁ ଆଶା କରୁଛି ତୁମେମାନେ ଘରେ ମଧ୍ୟ ନିଜ ପାଠ ପ୍ରତି ଧ୍ୟାନ ଦେବ । ମୁଁ ଚାହେଁ ତୁମେମାନେ ଭଲ ପାଠପଢ । ବଡ ମଣିଷ ହୁଅ । ତୁମ ପରିବାର, ତୁମ ଗାଁ, ତୁମ ସମାଜକୁ ବିକାଶ ସହ ଯୋଡି ପରିବର୍ତ୍ତନର ସାରଥି ହୁଅ । ଆଜି ମଧ୍ୟ ୬୦,୦୦୦ ଏସ୍ସି ଓ ଏସ୍ଟି ଛାତ୍ରଛାତ୍ରୀଙ୍କୁ ଏପ୍ରିଲ, ମେ ଓ ଜୁନ ଏ ତିନି ମାସ ପାଇଁ ଏକକାଳୀନ ପ୍ରାକ୍ ମାଟ୍ରିକ ଛାତ୍ରବୃତ୍ତି ଦିଆଯାଇଛି । ଏହା ପିଲାଙ୍କ ବାପା ମା’ଙ୍କ ବ୍ୟାଙ୍କଖାତାରେ ଜମା ହୋଇଛି । ଝିଅମାନଙ୍କ ପାଇଁ ୨୪୦୦ ଟଙ୍କା ଓ ପୁଅମାନଙ୍କ ପାଇଁ ୨୨୫୦ ଟଙ୍କା ଦିଆଯାଇଛି । ସମୁଦାୟ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ ।

ସୂଚନାଯୋଗ୍ୟ ଯେ, ଗତବର୍ଷ ମଧ୍ୟ କୋଭିଡ ଯୋଗୁଁ ଆଗୁଆ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅନୁସୂଚିତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । କୋଭିଡ ପରି·ଳନାରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଯୋଗୁଁ ରାଜ୍ୟର ଛବି ଉଜ୍ଜ୍ୱଳ ହୋଇଛି ବୋଲି ସେ କହିଥିଲେ । ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଏହି ସହାୟତା ଦ୍ୱାରା ଜନଜାତି ସମୁଦାୟଙ୍କ ଆର୍ଥିକ, ସାମାଜିକ ବିକାଶ ହେବା ସହିତ ସେମାନଙ୍କ ମନୋବଳ ମଧ୍ୟ ବୃଦ୍ଧି ପାଇବ । ଚିତ୍ରକୋଣ୍ଡା ଓ କରଞ୍ଜିଆର ବିଧାୟକ ମଧ୍ୟ ଉପସ୍ଥିତ ରହି ସେମାନଙ୍କର ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାୟଗଡା ଓ କଳାହାଣ୍ଡି ଜିଲ୍ଲାର କେତେକ ଆପଦଗ୍ରସ୍ତ ଆଦିମ ଜନଜାତି ପରିବାର ସହିତ ଆଲୋଚନା କରିଥିଲେ । ରାୟଗଡାର ଲହରୀ ଗୁଣ୍ଡିଆ, କଳାହାଣ୍ଡିର ରତନୀ ମାଝି ଏବଂ ଆଉ କେତେଜଣ ହିତାଧିକାରୀ ୫୦୦୦ ଟଙ୍କାର ସ୍ୱତନ୍ତ୍ର କୋଭିଡ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ସେମାନେ କୋଭିଡ ସମୟରେ ସରକାରଙ୍କଠାରୁ ଉତ୍ତମ ସେବା ପାଉଛନ୍ତି ବୋଲି ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଟିକା ନେଇଛନ୍ତି କି ନାହିଁ ପଚାରି ବୁଝିଥିଲେ । ସେମାନେ ସମସ୍ତେ ଟିକା ନେଇଛନ୍ତି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ.ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Comments are closed.