୧୧ରେ ଖୋଲିବ ହୀରାକୁଦ ଗେଟ୍ : ସତର୍କ ରହିବାକୁ ପରାମର୍ଶ

44

-ଆଗକୁ ଦୁଇ ଦୁଇଟି ଲଘୁଚାପ !

ଭୁବନେଶ୍ୱର : ଆସନ୍ତା ୧୧ତାରିଖ ପୂର୍ବାହ୍ନ ୧୧ଟାରେ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ ଖୋଲିବ । ଚଳିତ ବର୍ଷ ପ୍ରଥମ ବନ୍ୟାଜଳ ନିଷ୍କାସନ ନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷଙ୍କ ଆଜି ସୂଚନା ଦେଇଛନ୍ତି । ବନ୍ୟାଜଳ ନିଷ୍କାସନ ଦ୍ୱାରା ମହାନଦୀ ଓ ଶାଖା ନଦୀର ଜଳସ୍ତର ବଢ଼ିବ । ତେଣୁ ନଦୀକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।

ସେହିପରି ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଲଘୁଚାପ ୧୧ ତାରିଖ ବେଳକୁ ସୃଷ୍ଟି ହେବାର ସମ୍ଭାବନା ରହିଛି । ବୁଧବାର ଓଡ଼ିଶାର ବିଭିତ୍ତ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଆସନ୍ତାକାଲିଠାରୁ ଅନେକ ଅଞ୍ଚଳରେ ବର୍ଷା ପରିମାଣ ବଢ଼ିପାରେ । ୧୧ ତାରିଖ ପର୍ଯ୍ୟନ୍ତ ବିଭିତ୍ତ ଅଞ୍ଚଳରେ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ କହିଛନ୍ତି । ସମୁଦ୍ର ପତ୍ତନରେ ଥିବା ପୂର୍ବ-ପଶ୍ଚିମ ନିମ୍ନ ଚାପରେଖା ଆଜି ଉତ୍ତର ପଶ୍ଚିମ ଉତ୍ତର ପ୍ରଦେଶରୁ ଦକ୍ଷିଣ ବିହାର,ଉତ୍ତର ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟକା ମଧ୍ୟ ଦେଇ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଯାଏଁ ଲମ୍ବିଛି । ତା’ଛଡା ଅନ୍ୟ ଏକ ନିମ୍ନ ଚାପରେଖା ଉତ୍ତର ଦକ୍ଷିଣ ସମୁଦ୍ର ପତ୍ତନରୁ ୧.୫ କିମି ଉପରେ ଝାଡ଼ଖଣ୍ଡରୁ ଆଭ୍ୟନ୍ତରୀଣ ଓଡ଼ିଶା ମଧ୍ୟ ଦେଇ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ପର୍ଯ୍ୟନ୍ତ ଲମ୍ବିଛି ।

ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ନୂଆପଡା, ବଲାଙ୍ଗୀର, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୋଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉପରୋକ୍ତ ଜିଲାଗୁଡିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ସୁନ୍ଦରଗଡ, ଝାରସୁଗୁଡା,ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡା, ବଲାଙ୍ଗୀର, ସୋନପୁର, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ । ରାଜ୍ୟରେ ଜୁନ୍ ପହିଲାରୁ ଜୁଲାଇ ୭ ସୁଦ୍ଧା ୨୨୪.୪ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୨୮୬.୯ ମିମିରୁ ୨୨ ପ୍ରତିଶତ କମ୍ । ୧୫ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ।

ଅବଶିଷ୍ଟ ୧୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଅନୁଭୂତ ହୋଇଛି । କୋରାପୁଟରେ ସର୍ବାଧିକ ବର୍ଷା ୩୨୯.୨ ମିମି ରେକର୍ଡ କରାଯାଇଛି । ଭଦ୍ରକରେ ସର୍ବନିମ୍ନ ୧୧୯.୩ ମିମି ବର୍ଷା ହୋଇଛି । ଆଜି ସୁଦ୍ଧା ରାଜଧାନୀରେ ୩୭୬.୩ ମିମି ବର୍ଷା ଅନୁଭୂତ ହୋଇଛି ।

Comments are closed.