ବିଧାନସଭା ପରିସରରେ ଖୋଲିବ ଉନ୍ନତ ମାନର କ୍ୟାଂଟିନ

73

ଭୁବନେଶ୍ୱର : ବିଧାନସଭା ପରିସରରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ତରଫରୁ ଏକ ଉନ୍ନତ ମାନର କ୍ୟାଂଟିନ ପ୍ରତିଷ୍ଠା ପାଇଁ ନିଷ୍ପତି ନିଆଯାଇଛି । ଏ ସଙ୍କ୍ରାନ୍ତରେ ଶୁକ୍ରବାର ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର ନିଗମ କର୍ତୃପକ୍ଷ ଏବଂ ବିଧାନସଭା ସଚିବଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସୁଲଭ ମୂଲ୍ୟରେ ବିଧାନସଭା କର୍ମଚାରୀ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତମାନର ଖାଦ୍ୟ ଯୋଗାଣ ପାଇଁ ନିଗମ ତରଫରୁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯିବ । ବିଧାନସଭା ସଚିବାଳୟ ତରଫରୁ କ୍ୟାଂଟିନ ପାଇଁ ଆବଶ୍ୟକୀୟ ଗୃହ, ଆସବାବ ପତ୍ର, ବାତାନୁକୁଳିତ ଯନ୍ତ୍ରପାତି, ବିଦ୍ୟୁତ ଏବଂ ଜଳ ଯୋଗାଣ ବ୍ୟବସ୍ଥା, ଚେୟାର ଏବ ଟେବୁଲ ଇତ୍ୟାଦି ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବ । ଏତଦ ବ୍ୟତୀତ କ୍ୟାଂଟିନ ପାଇଁ ଷ୍ଟାଫ ଯଥା ରାନ୍ଧୁଣିଆ, ହୋଟେଲ ବୟ, ପରିଚାରକ, ଝାଡୁଦାର ଇତ୍ୟାଦିଙ୍କ ବାବଦରେ ହେବାକୁ ଥିବା ଖର୍ଚ୍ଚ ମଧ୍ୟ ବିଧାନସଭା ତରଫରୁ ବହନ କରାଯିବ ।

ପାରମ୍ପରିକ ଉନ୍ନତ ମାନତ ଓଡିଆ ଖାଦ୍ୟ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ ଏବଂ ନିଗମ ଲାଭଖୋର ମନବୃତି ନରଖି ପର୍ଯ୍ୟଟନ ବିକାଶ ଏବଂ ଗୁଣାତ୍ମକ ସେବା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ନିଗମ ପରିଚାଳନା ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ପ୍ରକାଶ କରିଛନ୍ତି । ଏକ ବର୍ଷ ପାଇଁ ଏହି ପାଇଲଟ ପ୍ରୋଜେକ୍ଟ ପରୀକ୍ଷାମୂଳକ ଭାବେ ଚାଲିବ ଏବଂ ପରେ ଏହାକୁ ବ୍ୟାପକ କରାଯିବ । ବିଧାନ ସଭା ଅଧିବେଶନ, ବିଧାନ ସଭାର ବିଭିନ୍ନ କମିଟି ବୈଠକ, ବିଧାନ ସଭା କର୍ମଚାରୀ ଓ ପର୍ଜ୍ୟତକମାନଙ୍କୁ ଉନ୍ନତ ମାନର ଖାଦ୍ୟପେୟ ଯୋଗାଇ ଦେବା ସହ ଗୁଣବତା ଉପରେ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଯିବ । ଉକ୍ତ ବୈଠକରେ ବିଧାନ ସଭା ସଚିବ ଦାଶରଥି ଶତପଥିଙ୍କ ସମେତ ନିଗମର ବିଭିନ୍ନ ପଢାଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments are closed.