‘ଅଲିମ୍ପିକ୍ସ ହେଉଛି ଜୀବନର ଶ୍ରେଷ୍ଠ ସ୍ୱପ୍ନ’

69

-କ୍ରୀଡ଼ାବିତଙ୍କ ପାଇଁ ନବୀନଙ୍କ ପୁରସ୍କାର ଘୋଷଣା
-ସ୍ୱର୍ଣ୍ଣ ଜିତିଲେ ୬ କୋଟି
-ରୌପ୍ୟ ପାଇଁ ୪ କୋଟି
-କାଂସ୍ୟ ଜିତିଲେ ୨.୫ କୋଟି
-ପ୍ରତି ଖେଳାଳିଙ୍କ ଅଲିମ୍ପିକ ପ୍ରସ୍ତୁତି ନିମନ୍ତେ ୧୫ ଲକ୍ଷ

ଭୁବନେଶ୍ୱର : ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲମ୍ପିକସରେ ଭାଗ ନେଉଥିବା ଓଡିଶାର ଅଲମ୍ପିୟାନ ମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଥା ହୋଇଛନ୍ତି । କ୍ରୀଡ଼ାବୀତଙ୍କୁ ଉତ୍ସାହିତ ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରତି ଖେଳାଳିଙ୍କ ପାଇଁ ଅଲମ୍ପିକସ ହେଉଛି ଜୀବନର ଶ୍ରେଷ୍ଠ ସ୍ୱପ୍ନ । ଏହି ଅବସରରେ ଅଲମ୍ପିୟାନ ଦୂତୀ ଚାନ୍ଦ, ପ୍ରମୋଦ ଭଗତ, ଦୀପ ଗ୍ରେସ ଏକ୍କା, ନମିତା ଟପ୍ପୋ, ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତୁମମାନେ ଓଡିଶାର ଯୁବ ସମାଜ ପାଇଁ ରୋଲମଡେଲ ପାଲଟିଯାଇଛି । ତୁମ ପରିବାର ପାଇଁ ଓ ଆମ ସମସ୍ତଙ୍କ ପାଇଁ ଗର୍ବ ଆଣିଛ । କଠୋର ପରିଶ୍ରମ, ନିଷ୍ଠା ଓ ଶୃଙ୍ଖଳା ଦ୍ୱାରା ତୁମେମାନେ ନିଶ୍ଚୟ ପଦକ ଜିତିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।

ଏହି ଅବସରରେ ଅଲମ୍ପିକସ ପଦକ ବିଜେତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆର୍ଥିକ ପୁରସ୍କାର ଘୋଷଣା କରିଥିଲେ । ଟୋକିଓ ଅଲମ୍ପିକସରେ ସ୍ୱର୍ଣ୍ଣ ପଦକ ଜିତିଲେ ୬ କୋଟି ଟଙ୍କା, ରୌପ୍ୟ ପଦକ ଜିତିଲେ ୪ କୋଟି ଟଙ୍କା ଏବଂ କାଂସ୍ୟ ପଦକ ଜିତିଲେ ୨.୫ କୋଟି ଟଙ୍କା ରାଜ୍ୟ ସରକାରଙ୍କ ପଷରୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।ଏହାସହିତ ଅଲମ୍ପିକସ ପାଇଁ ଯୋଗ୍ୟତା ହାସଲ କରିଥିବାରୁ ପ୍ରତି ଖେଳାଳିଙ୍କ ପାଇଁ ଅଲମ୍ପିକ ପ୍ରସ୍ତୁତି ନିମନ୍ତେ ୧୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି ।

କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଲମ୍ପିକରେ ସେମାନଙ୍କ ସଫଳତା କ୍ରୀଡା କ୍ଷେତ୍ରରେ ଓଡିଶାକୁ ଗୌରବ ମଣ୍ଡିତ କରିବ ବୋଲି ଆଶା ପ୍ରକାଶ କରିଥିଲେ । ଏହି ଅବସରରେ ସମସ୍ତ ଖେଳାଳି ବ୍ୟକ୍ତିଗତ ଭାବରେ ସେମାନଙ୍କର ମତାମତ ଦେଇ ଅଲମ୍ପିକରେ ଭଲ ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି କହିଥିଲେ ଏବଂ ରାଜ୍ୟ ସରକାରଙ୍କ ସହଯୋଗ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଥିଲେ । ଖେଳାଳିମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି)ଭି କେ ପାଣ୍ଡିଆନ ଖେଳାଳି ମାନଙ୍କ ଅଲମ୍ପିକସ ପ୍ରସ୍ତୁତି ଓ ଏଥିନିମନ୍ତେ ସେମାନଙ୍କର ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଛନ୍ତି । କ୍ରୀଡା ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ସ୍ୱାଗତ ଭାଷଣ ଦେଇଥିଲେ ଓ ସ୍ୱତନ୍ତ୍ର ସଚିବ ଆର ଭିନିଲ କ୍ରିଷ୍ଣା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି କେ ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ରହିଥିଲେ ।

Comments are closed.