ତୃତୀୟ ଲହର ମୁକାବିଲା ପ୍ରସ୍ତୁତି : ୧୫୦୦ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ ନିର୍ଦ୍ଦେଶ

43

ନୂଆଦିଲ୍ଲୀ : କରୋନାର ତୃତୀୟ ଲହର ଆଶଙ୍କା ମଧ୍ୟରେ କେନ୍ଦ୍ର ସରକାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଦେଶରେ ଅକ୍ସିଜେନର ଉପଲବ୍ଧତାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ଦିନ ଉଚ୍ଚସ୍ତରୀୟ ବୈଠକ ଡାକି ୧୫୦୦ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହିସବୁ ପ୍ଲାଣ୍ଟ ଦେଶର ବିଭିନ୍ନ ସ୍ଥାନରେ ସ୍ଥାପନ କରାଯିବ । ଏନେଇ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ ମୋଦୀ କହିଥିବା ଜଣାପଡ଼ିଛି । ଏହାସହ ହସ୍ପିଟାଲ କର୍ମଚାରୀଙ୍କୁ ଅକ୍ସିଜେନ ପ୍ଲାଣ୍ଟର ସଞ୍ଚାଳନ ଓ ଦେଖାଶୁଣା ପାଇଁ ଜରୁରି ଟ୍ରେନିଂ ଦେବାକୁ ମଧ୍ୟ ମୋଦୀ କହିଛନ୍ତି । ଅକ୍ସିଜେନ୍ ପ୍ଲାଣ୍ଟ ପାଇଁ ପିଏମ୍ କେୟାର ଫଣ୍ଡରୁ ଅର୍ଥ ଖର୍ଚ୍ଚ ହେବ ।

ଦେଶରେ ଆହୁରି ୪ ଲକ୍ଷ ଅକ୍ସିଜେନ ବେଡ ତିଆରି ହେବ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୋଦୀ କହିଛନ୍ତି ଯେ, ପ୍ରତ୍ୟେକ ଜିଲ୍ଲାରେ ଏମିତି କିଛି ଲୋକ ରହିବା ଆବଶ୍ୟକ ଯେଉଁମାନଙ୍କୁ ଅକ୍ସିଜେନ ପ୍ଲାଣ୍ଟ ସଞ୍ଚାଳନ ଓ ଦେଖାଶୁଣା ପାଇଁ ଟ୍ରେନିଂ ଦିଆଯାଇପାରିବ । ଭାରତରେ ମାର୍ଚ୍ଚରୁ ମେ’ ମଧ୍ୟରେ କରୋନାର ଦ୍ୱିତୀୟ ଲହରରେ ବହୁତ ଅଧିକ କରୋନା ମାମଲା ସାମ୍ନାକୁ ଆସିଥିଲା । ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହରରେ ଅକ୍ସିଜେନ ଅଭାବ ଦେଖାଦେଇଥିଲା । ଯଦିଓ ଏହା ଉପରେ ମୋଦୀ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି ତଥାପି ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ସମେତ ଦେଶର ତମାମ ସହରରେ ମେଡିକାଲ ଅକ୍ସିଜେନ, ଭେଣ୍ଟିଲେଟର, ବେଡ ଆଦି ସଙ୍କଟ ଦେଖାଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଏଥିପାଇଁ ସରକାରଙ୍କୁ ମଧ୍ୟ ଅନେକ ସମାଲୋଚନା କରାଯାଇଥିଲା ।

ସେଥିପାଇଁ ତୃତୀୟ ଲହର ଆଶଙ୍କା ମଧ୍ୟରେ ପିଏମ୍ ମୋଦୀ ଏହି ଉଚ୍ଚସ୍ତରୀୟ ବୈଠକ ଡାକି ଶୀଘ୍ର ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ମୋଦୀ କହିଛନ୍ତି କେନ୍ଦ୍ର ସରକାରଙ୍କ ଅଧିକାରୀ ରାଜ୍ୟ ସରକାରଙ୍କ ସହ ମିଶି କାମ କରିବା ଉଚିତ । ସରକାର ନୂଆ କୌଶଳ ବ୍ୟବହାର କରିବା ଉଚିତ ଯେପରି ସ୍ଥାନୀୟ ଓ ରାଷ୍ଟ୍ରୀୟ ସ୍ତରରେ ଅକ୍ସିଜେନ ପ୍ଲାଣ୍ଟ କାମର ତଦାରଖ କରାଯାଇପାରିବ । ଏହି ବୈଠକରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ ଦେଶରେ ୮ ହଜାର ଲୋକଙ୍କୁ ଟ୍ରେନିଂ ଦେବାକୁ ଟାର୍ଗେଟ କରାଯାଇଛି । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ କରୋନାକୁ ନେଇ ମୋଦୀଙ୍କ ଏହା ପ୍ରଥମ ଉଚ୍ଚସ୍ତରୀୟ ବୈଠକ । କ୍ୟାବିନେଟ ସଂପ୍ରସାରଣରେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ହଟାଇ ମନସୁଖ ମାଣ୍ଡଭିୟଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।

Comments are closed.