୧୫ ପରେ ଗର୍ଭବତୀଙ୍କୁ ଟିକା !

52

ଭୁବନେଶ୍ୱର : ଭୁବନେଶ୍ୱରରେ କରୋନା ସଂକ୍ରମଣ ରୋକିବାକୁ ନୂଆ ରଣନୀତି ଆପଣାଇବ ସ୍ୱାସ୍ଥ୍ୟ ବିଭାଗ । ପଜିଟିଭ୍ ହାର ୫ ପ୍ରତିଶତ ଉପରେ ରହୁଥିବାରୁ ଏଣିକି ସର୍ଭେଲାନ୍ସ ଓ ଟେଷ୍ଟିଂ ଉପରେ ଫୋକସ୍ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । କେବଳ ସେତିକି ନୁହେଁ ବିଭିନ୍ନ ବସ୍ତି ଅଞ୍ଚଳ, ଯେଉଁଠି ସଂକ୍ରମଣ ବଢୁଛି,ସେସବୁ ସ୍ଥାନରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବିଭାଗ ଗୁରୁତ୍ୱ ଦେଇଛି । ଧୀରେ ଧୀରେ ରାଜ୍ୟରେ ସଂକ୍ରମଣ କମୁଥିବା ବେଳେ ଭୁବନେଶ୍ୱର, ମୟୂରଭଞ୍ଜ ଓ ଅନ୍ୟ ୩ଟି ଉପକୂଳ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇବା ଚିନ୍ତାର କାରଣ । ଆଜି ପଜିଟିଭ୍ ହାର ୩ ପ୍ରତିଶତକୁ କମିଥିବା ବେଳେ ମୟୂରଭଞ୍ଜରେ ସର୍ବାଧିକ ପଜିଟିଭ୍ ହାର ୧୭ ପ୍ରତିଶତ ରହିଛି । ସେପଟେ ଯେଉଁଠି କରୋନା ଅଧିକ ପରିମାଣରେ ଚିହ୍ନଟ ହୋଇଛି, ତାକୁ ସ୍ୱତନ୍ତ୍ର ଫୋକସ୍ କରିଛନ୍ତି ସରକାର ।

ସଂକ୍ରମଣ ବଢ଼ିବା ଓ କମିବା ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଡିଏମ୍ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି । ୫ଟି ଉପକୂଳ ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ୪ ମାସ ଧରି ଡୋର୍ ଟୁ ଡୋର୍ ସର୍ଭେ କରୁଛନ୍ତି ସରକାର । ରୋଗୀ ଚିହ୍ନଟ ସହ ସଂଗରୋଧର ବ୍ୟବସ୍ଥା କରାଯାଉଛି । ଅନ୍ୟପଟେ ୧୫ ତାରିଖ ପରେ ଗର୍ଭବତୀମାନଙ୍କୁ ଟିକାକରଣ ଆରମ୍ଭ ହେବ । ଯେଉଁ ଜିଲ୍ଲାରେ ଯେଉଁ ଟିକା ଦିଆଯାଉଛି ସେହି ଟିକା ଦିଆଯିବ । ଆଜି ଏ ନେଇ ଜାରି ହେବ ଗାଇଡଲାଇନ୍ । ୧୫ ତାରିଖ ପୂର୍ବରୁ ଏଏନ୍ଏମ୍,ଆଶା, ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ତାଲିମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଜି ସକାଳେ ୧ଲକ୍ଷ ୭୩ ହଜାର କୋଭାକ୍ସିନ ଟିକା ପହଞ୍ଚିଛି । ଟିକା ଅଭାବରୁ ୫ ଜିଲ୍ଲାରେ ଆଜି ଟିକାକରଣ ବନ୍ଦ ରହିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

Comments are closed.