ଚେତାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ : ବିପଜ୍ଜନକ ସ୍ଥିତିରେ କରୋନା

71

ନୂଆଦିଲ୍ଲୀ : ବିଶ୍ୱ ଏବେ ବିପଦ ସଂକୁଳ ସ୍ଥିତିରେ ରହିଛି । କୋଭିଡ୍ ସଂକଟ ପୂର୍ବ ସ୍ଥିତିରେ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇ କୁହାଯାଇଛି ଯେ, ଟଳିନାହିଁ ସଂକଟ । ବିଶ୍ୱରେ କୋଭିଡ୍ ମୃତ୍ୟୁସଂଖ୍ୟା ୪୦ ଲକ୍ଷରୁ ଅଧିକ । କିଛି ଦେଶ ଅଧିକ ଟିକାକରଣ କରିଥିବାବେଳେ ମୃତ୍ୟୁସଂଖ୍ୟାକୁ କମ୍ ଆକଳନ କରିଛନ୍ତି । କେତେକ ଦେଶ ବୁଷ୍ଟର ଡୋଜ୍ ପାଇଁ ପ୍ରସ୍ତୁତ ହେବା ସହ ସାମାଜିକ କଟକଣାକୁ କୋହଳ କରିଛନ୍ତି । ସେମାନେ ଭାବୁଛନ୍ତି ମହାମାରୀ
ସରିଯାଇଛି । କିନ୍ତୁ ଭୂତାଣୁର ନୂଆ ଭାରିଆଣ୍ଟ ଓ ଟିକାକରଣର ଅସମାନତା ଯୋଗୁ ଅନେକ ଦେଶରେ ଅଧିକ ସଂଖ୍ୟାରେ ଲୋକେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ହାତଗଣତି କିଛି ଦେଶର ଭ୍ୟାକ୍ସିନ୍ ରାଷ୍ଟ୍ରବାଦ କୋଭିଡ୍ ମୁକାବିଲାକୁ ପ୍ରଭାବିତ କରୁଛି । ଟିକା ଉତ୍ପାଦନ ଓ ଟିକାକରଣର ଅସମାନତା ଯୋଗୁ ଭ୍ୟାକ୍ସିନ୍ ର ଭାଇରସ୍ ରେସ୍ ରେ ଭାଇରସ୍ ର ବିଜୟ ହେଉଛି ।

ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୪ଟି କାରଣକୁ ଦାୟୀ କରିଛି । ପ୍ରଥମଟି ହେଲା ଭାଇରସ୍ ଭାରିଆଣ୍ଟ, ଯାହାର ସଂକ୍ରମଣ ତୀବ୍ରତା ଅଧିକ । ବିଶ୍ୱରେ ଲୋକଙ୍କ ଚଳପ୍ରଚଳ ଓ ସାମାଜିକ ମିଶ୍ରଣ ବଢ଼ିଛି । ସାଧାରଣ ସ୍ୱାସ୍ଥ୍ୟସେବାର ଠିକ୍ ବ୍ୟବହାର ହେଉନାହିଁ । ଚତୁର୍ଥ କାରଣ ଯାହା ଅଧିକ ଚ୍ୟାଲେଞ୍ଜିଂ ତାହା ହେଉଛି ଟିକା ବଣ୍ଟନରେ ଅସମାନତା ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ୍ ଆଧାନୋମ ଘେବ୍ରିୟେସସ୍ କହିଛନ୍ତି । ସେ କହିଛନ୍ତି ଯେ, ଆଫ୍ରିକାରେ ଗତ ସପ୍ତାହରେ ଆଫ୍ରିକାରେ ୧୬.୭ ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଛି । ପୂର୍ବ ଭୂମଧ୍ୟ ଅଞ୍ଚଳରେ ୧୬.୪ ପ୍ରତିଶତ, ୟୁରୋପ୍ରେ ୩୩ ପ୍ରତିଶତ, ଦକ୍ଷିଣଏସିଆରେ ୮.୬ ପ୍ରତିଶତ, ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ୧୦ ପ୍ରତିଶତ ବୃଦ୍ଧି ହୋଇଛି । ବିଶ୍ୱର ପ୍ରାୟ ୨୪ଟି ଦେଶରେ ସଂକ୍ରମଣ ବୃଦ୍ଧି ଭର୍ଟିକାଲରେ ରହିଛି ।

ଭାରତର ୯୦ ଜିଲ୍ଲାରେ ୮୦% ସଂକ୍ରମଣ :

ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇ ଚାଲିଛି । କିନ୍ତୁ ଏହାର ସୁଯୋଗ ନେଇ ଆମେ ଆମର ସତର୍କତାକୁ ଢିଲା କଲେ ପୁଣି ସଂକ୍ରମଣ ମାଡ଼ିଆସିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି । ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଲୋକମାନଙ୍କ ସତର୍କତା ଢିଲା ହେବା ଫଳରେ ବ୍ରିଟେନ୍, ଋଷିଆ, ବାଂଲାଦେଶରେ ପୁଣି ସଂକ୍ରମଣ ବୃଦ୍ଧି ପାଇଛି ।

ସେହିପରି ଆମ ଦେଶର କେତେକ ପର୍ଯ୍ୟଟନସ୍ଥଳୀରେ ପ୍ରବଳ ଗହଳି ପରିଲକ୍ଷିତ ହେଉଛି । ଲୋକମାନଙ୍କର ଏପରି କାମ ପୁଣି ବିପଦକୁ ଡାକି ଆଣିବ । ସେ କହିଛନ୍ତି ଯେ, ଗତ ସପ୍ତାହରେ ଦୈନକ ସଂକ୍ରମଣରେ ୮ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି । ଦେଶରେ ଏବେ ଦେଖାଦେଉଥିବା ଦୈନିକ ସଂକ୍ରମଣର ୮୦ ପ୍ରତିଶତ ୯୦ଟି ଜିଲ୍ଲାରେ ଚିହ୍ନଟ ହୋଉଛି । ଅନ୍ୟପକ୍ଷରେ ଦେଶରେ ଆରୋଗ୍ୟ ହାର ୯୭.୨ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି । ଏହି ଅବସରରେ ନିତି ଆୟୋଗ ସଦସ୍ୟ ଡ.ଭି.କେ.ପଲ କହିଛନ୍ତି ଯେ, ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳାମାନେ କରୋନା ଟିକା ନେବା ବେଶ ନିରାପଦ । ଗର୍ଭବତୀ ମହିଳା ଟିକା ନେବା ସମ୍ପର୍କରେ ନିୟମାବଳୀ ଜାରି କରାଯାଇଛି । ଦେଶରେ ଏବେ ଦିଆଯାଉଥିବା ୩ ପ୍ରକାରର ଟିକା ଗର୍ଭବତୀମାନଙ୍କ ପାଇଁ ନିରାପଦ ବୋଲି ସେ କହିଛନ୍ତି ।

Comments are closed.