ରଥ-ପଥ ପ୍ରସ୍ତୁତ : ଆସନ୍ତା କାଲି ବଡ଼ଦାଣ୍ଡକୁ ଓହ୍ଲାଇବେ ମହାପ୍ରଭୁ

64

-ସାଆନ୍ତେଙ୍କ ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର
-ରବିବାର ରାତି ୮ରୁ କର୍ଫ୍ୟୁ, ସୁରକ୍ଷା ବଳୟରେ ପୁରୀ
-ମୁତୟନ ହେବେ ୬୫ ପ୍ଲାଟୁନ୍ ପୋଲିସ ଫୋର୍ସ


ପୁରୀ : ସାଆନ୍ତେଙ୍କ ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର । କରୋନା କଟକଣା ଭିତରେ ରଥାରୁଢ ହେବେ ମହାବାହୁ । ଭାଇ-ଭଉଣୀଙ୍କୁ ସାଥିରେ ଧରି ଗୁଣ୍ଡିଚା ମନ୍ଦିରକୁ ଯିବେ କାଳିଆ ଠାକୁର । ଆସନ୍ତା କାଲି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଭକ୍ତ ବିନା ଖାଁ ଖାଁ ରହିବ ବଡ଼ଦାଣ୍ଡ । କଟକଣାରେ ଗଡ଼ିବ ମହାବାହୁଙ୍କ ରଥ । ଏଥିପାଇଁ ପ୍ରସ୍ତୁତି କରୁଛି ପୁରୀ ପ୍ରଶାସନ । ଆସନ୍ତା କାଲି ରଥାରୁଢ ହେବେ ଚତୁର୍ଦ୍ଧା ବିଗ୍ରହ । ଏଥିପାଇଁ ରଥ-ପଥ ପ୍ରସ୍ତୁତିରେ ଲାଗିଛନ୍ତି ପ୍ରଶାସନ ଓ ସେବାୟତ । ଆଜି ରାତି ୮ଟାରୁ ଦୁଇ ଦିନିଆ କର୍ଫ୍ୟୁ ଲାଗୁ ହେବ । ରବିବାର ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ଯାଏଁ ୪୮ ଘଣ୍ଟା ପାଇଁ କର୍ଫ୍ୟୁ କଟକଣା ବଳବତ୍ତର ରହିବ । ଆଜି ସଂଧ୍ୟା ସୁଦ୍ଧା ହୋଟେଲ, ଲଜ ଓ ଧର୍ମଶାଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି ପୁରୀ ଜିଲ୍ଲା ପ୍ରଶାସନ । ରଥଯାତ୍ରା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଏଡିଜି । ଅତିରିକ୍ତ ଡ଼ିଜି ରାଧାକୃଷ୍ଣ ଶର୍ମା ଓ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ପୁରୀରେ ପହଞ୍ଚି ସମୀକ୍ଷା ବୈଠକ କରିଛନ୍ତି ।

ପୁରୀ ସହରରେ ୬୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ସହରକୁ ୧୨ଟି ଜୋନ କରାଯିବା ସହ ସହରର ମୁଖ୍ୟ ପ୍ରବେଶ ପଥ ଓ ବଡ଼ଦାଣ୍ଡ ଛାତ ଉପରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ମୁତୟନ ହେବେ ବୋଲି ଏଡିଜି ଆର.କେ.ଶର୍ମା ସୂଚନା ଦେଇଛନ୍ତି । ରଥଯାତ୍ରା ସମୟରେ ୧୦ଜଣ ଅତିରିକ୍ତ ଏସ୍ ପି, ୩୧ ଡିଏସ୍ ପି, ୬୪ ସବ୍ଇନ୍ସପେକ୍ଟର, ୨୨୨ ଏଏସ୍ଆଇ ଓ ଏସ୍ଆଇ ମୁତୟନ ହେବେ । ସେପଟେ ରଥ ଟାଣିବା ପାଇଁ ଆଖଡା ଶାଳରେ ନିଜକୁ ପ୍ରସ୍ତୁତ କରୁଛନ୍ତି ସେବାୟତ । ଚଳିତ ବର୍ଷ କରୋନା ଯୋଗୁଁ ଭକ୍ତଙ୍କୁ ପୁରୀ ମନା ହୋଇଛି । କେବଳ ସେବାୟତମାନେ ରଥ ଟାଣିବେ । ରଥଯାତ୍ରା ପରଦିନଠାରୁ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ହେବ । ଆଜି ଏଏସ୍ଆଇର ୮ଜଣିଆ ଟିମ୍ ସ୍ଥିତି ଅନୁଧ୍ୟାନ କରିବା ପରେ ଏହା କହିଛନ୍ତି ।

ଏହାଛଡ଼ା ଶ୍ରୀଜଗନ୍ନାଥ ମନ୍ଦିରର ୮ଟି ଦୁଆର କବାଟରେ ଲଗାଯିବ ରୁପାଚଦର । ମୁମ୍ବଇର ଜଣେ ଜଗନ୍ନାଥପ୍ରେମୀ ଭକ୍ତ ଶୁକ୍ରବାର ଏଥିପାଇଁ ୧୩୪୫ କିଲୋ ରୁପାଚଦର ପଠାଇଛନ୍ତି । ୧୭ଟି ପେଟିରେ ରୁପାଚଦର ଆସି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି । ନୀଳାଦ୍ରି ଭକ୍ତ ନିବାସରେ ନୂଆ କାଠ କବାଟ ନିର୍ମାଣ କରାଯାଉଛି । ଶ୍ରୀମନ୍ଦିର ଜୟବିଜୟ ଦ୍ୱାର, କଳାହାଟ ଦ୍ୱାର, ସାତପାହାଚ ଦ୍ୱାର, ବେହେରଣ ଦ୍ୱାର, ଭୋଗମଣ୍ଡପ ଦ୍ୱାର ସମେତ ଆଦିନୃସିଂହ, ବିମଳା ଏବଂ ମହାଲକ୍ଷ୍ମୀ ମନ୍ଦିର କବାଟରେ ରୁପାଚଦର ପକାଯିବ । ପ୍ରଥମ ପର୍ଯ୍ୟାୟରେ ୪ଟି କବାଟ ନିର୍ମାଣ କରାଯାଉଛି । ଆଠଟି ଦୁଆର କବାଟରେ ରୁପାଚଦର ପକାଇବା ପାଇଁ ପ୍ରାୟ ୨୦୦୦ କିଲୋ ରୁପା ଆବଶ୍ୟକ ପଡିବ । ଏହାକୁ ଯୋଗାଇ ଦେବାପାଇଁ ଜଣେ ଭକ୍ତ ଆଗ୍ରହ ପ୍ରକାଶ କରିଛନ୍ତି । କଳିଙ୍ଗ ସ୍ଥାପତ୍ୟର ସୌଖୀନ କାରୁକାର୍ଯ୍ୟ ରୁପାଚଦରରେ ଦେଖିବାକୁ ମିଳିବ । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଓ ଶ୍ରୀମନ୍ଦିର ପରିଚାଳନା କମିଟି ତାହାକୁ ଅନୁମୋଦନ କରିଛନ୍ତି ।

Comments are closed.