ସପ୍ତାହେ ହେବ ବିଶ୍ୱରେ ସଂକ୍ରମଣ ବଢ଼ୁଛି : ବିପଦ ନେଇ ପୁଣି ଚେତାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

61

ନୂଆଦିଲ୍ଲୀ : ରୂପ ବଦଳାଉଛି କରୋନା ଭାଇରସ୍ । ସପ୍ତାହେ ସମଗ୍ର ବିଶ୍ୱରେ ସଂକ୍ରମଣ ଉପରମୁହାଁ ହୋଇଛି । ଏଭଳି ସ୍ଥିତିରେ ପୁଣି ବିପଦ ମାଡୁଆସୁଥିବା ନେଇ ଚେତାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏଥିସହିତ ଗୁରୁତର କୋଭିଡ୍ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ କୋର୍ଟିକୋ ଷ୍ଟେରଏଡ୍ ସହ ଆଣ୍ଟିବଡି ଆଇଏଲ-୬ ଦେବା ପାଇଁ ସୁପାରିସ୍ କରିଛି ହୁ । ଗୁରୁତର ଥିବା ରୋଗୀଙ୍କ ଉପରେ ବିଶେଷ କରି ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଏହି ଔଷଧ ଜୀବନଦାନ ଦେଇପାରିବ । ଏହାର
ବ୍ୟବହାର ମୃତ୍ୟୁସଂଖ୍ୟାକୁ ୨୮ ପ୍ରତିଶତ କମ୍ କରିପାରୁଛି । କୋର୍ଟିକୋ ଷ୍ଟେରଏଡ୍ ସହିତ ଆଇଏଲ୍-୬କୁ ମିଶାଇ ବ୍ୟବହାର କଲେ ମୃତ୍ୟୁସଂଖ୍ୟା କମିବ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରିୟେସସ୍ ।

ଅନ୍ୟପକ୍ଷରେ ଗତ ସପ୍ତାହରେ ସାରା ବିଶ୍ୱରେ ବଢ଼ିଛି ସଂକ୍ରମଣ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟକାରୀ ନିର୍ଦ୍ଦେଶକ ମାଇକ୍ ରିଆନ୍ କହିଛନ୍ତି ଗତ ସପ୍ତାହର ସଂକ୍ରମଣ ଗ୍ରାଫ୍ ସମତଳ ନୁହେଁ । ଏହା ଉପରମୁହାଁ । ଆଗକୁ ସଂକ୍ରମଣ ବଢ଼ିବନି ବୋଲି ବିଭିନ୍ନ ଦେଶ ଅନୁମାନ କରୁଛନ୍ତି । କିନ୍ତୁ କଟକଣା କୋହଳ ହେଉଥିବାରୁ ସଂକ୍ରମଣ ବଢ଼ିବ । ଏଥିପାଇଁ ତିନୋଟି କାରଣକୁ ଦର୍ଶାଇଛି ହୁ । ପ୍ରଥମ କାରଣଟି ହେଲା- ସମସ୍ତେ ଟିକା ନେଇନାହାନ୍ତି । ଦ୍ୱିତୀୟ କାରଣଟି ହେଉଛି ଟିକାକରଣର ହାର କମ୍ ରହିଛି । ତୃତୀୟ କାରଣଟି ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ହେଉଛି ଆମେ ଏବେ ବି ନିଶ୍ଚିତ ନୁହେଁ ଯେ, ସଂକ୍ରମଣଠାରୁ କେତେ ପରିମାଣରେ ସୁରକ୍ଷା ଦେଉଛି ଏହି ଟିକା । ଏହାର ଅର୍ଥ ପୁଣିଥରେ ସଂକ୍ରମଣ ବଢ଼ିଲେ ବିପଦ ବଢ଼ିବ ବୋଲି ରିଆନ୍ କହିଛନ୍ତି ।

ଅନ୍ୟପକ୍ଷରେ ଭାରତରେ ଥାର୍ଡ ୱେଭ୍ର ପଦଧ୍ୱନୀ ଦେଖାଦେଇଛି । ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ମହାରାଷ୍ଟ୍ର ଏବଂ କେରଳ ସ୍ଥିତି ଏମିତି କିଛି ଆଶଙ୍କା ଭିତରକୁ ଠେଲି ଦେଇଛି । ଦେଶରେ କୋଭିଡ୍ ସ୍ଥିତିରେ ଉନ୍ନତି ହୋଇଥିବା ବେଳେ କିଛି ଜିଲ୍ଲାରେ ଏବେ ବି ଉପରମୁହାଁ ରହିଛି କରୋନା ଗ୍ରାଫ୍ । ଗତ ସପ୍ତାହରେ ଦେଶରେ ଦୈନିକ ସଂକ୍ରମଣରେ ମହାରାଷ୍ଟ୍ର ଏବଂ କେରଳର ୫୦ ପ୍ରତିଶତ ମାମଲା ରହିଛି । ମହାରାଷ୍ଟ୍ରରେ ସବୁଠୁ ଚିନ୍ତାଜନକ କଥା ହେଉଛି ଦ୍ୱିତୀୟ ଲହରର ପୂର୍ବ ସ୍ଥିତିକୁ ଫେରିପାରୁନି ରାଜ୍ୟ । କେରଳରେ ପୁଣି ବଢ଼ିବା ଆରମ୍ଭ କରିଛି ସଂକ୍ରମଣ । କେରଳର ମୋଟ ୧୪ ଜିଲ୍ଲାରୁ ଅଧା ଜିଲ୍ଲାରେ ସଂକ୍ରମଣ ବଢ଼ୁଛି ।

ପ୍ରତିବର୍ଷ ଆସିବ କରୋନା ! ଥଣ୍ଡା-ଜ୍ୱର ବା ସର୍ଦ୍ଦି ରୂପରେ :

ଗୋଟିଏ ପରେ ଗୋଟିଏ କରୋନା ଲହର ଭୟ ବଢା଼ଉଥିବା ବେଳେ ଏହାର କେବେ ଅନ୍ତ ଘଟିବ, ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି । ତେବେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଆଇସିଏମଆରର ବିଶେଷଜ୍ଞ ଡାକ୍ତର ସମୀରଣ ପଣ୍ଡା । ସେ କହିଛନ୍ତି,ନିର୍ଦ୍ଦିଷ୍ଟ ଗୋଷ୍ଠୀ କିମ୍ବା ନିର୍ଦ୍ଦିଷ୍ଟ ଅଞ୍ଚଳରେ କରୋନା ରହିବ । ଥଣ୍ଡା ଜ୍ୱର ବା ସର୍ଦ୍ଦି ଭଳି ରୋଗରେ ପରିଣତ ହେବ । ଏଥିପାଇଁ ଅଧିକ ବିପଦ ଥିବା ଲୋକଙ୍କୁ ପ୍ରତିବର୍ଷ ଟିକା ନେବାକୁ ପଡ଼ିପାରେ । ଏପରି ଆକଳନ କରିଛନ୍ତି ମହାମାରୀ ସମ୍ପର୍କରେ ଗବେଷଣା କରୁଥିବା ବିଶେଷଜ୍ଞ ଡ.ସମୀରନ ପଣ୍ଡା ।

ସେ କହିଛନ୍ତି ଯେ ଭାଇରସ ନିଜର ରୂପ ପରିବର୍ତ୍ତନ କରେ ଏବଂ ଏହା ଏକ ସ୍ୱ୍ୱାଭାବିକ କଥା । ୧୦୦ ବର୍ଷ ପୂର୍ବରୁ ସାଧାରଣ ଥଣ୍ଡା ଜ୍ୱର ମଧ୍ୟ ଏକ ବିଶ୍ୱ ମହାମାରୀ ଥିଲା । କିନ୍ତୁ ଏହା ଏବେ ପ୍ରତିବର୍ଷ ଏକ ନିର୍ଦ୍ଧିଷ୍ଟ ସମୟରେ ଆସିଥାଏ । ଠିକ ସେହିପରି କରୋନା ମଧ୍ୟ ଏକ ଭୂତାଣୁଜନିତ ରୋଗ, ଏହା ଅନ୍ୟ ସଂକ୍ରାମକ ରୋଗ ଭଳି ପ୍ରତିବର୍ଷ ଏକ ନିର୍ଦ୍ଧିଷ୍ଟ ସମୟରେ ଆସିବ ଓ ଏଥି ନିମନ୍ତେ ପ୍ରତିବର୍ଷ ଟିକାର ଆବଶ୍ୟକତା ପଡ଼ିପାରେ । ଏଥିରେ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଡାକ୍ତର ଶ୍ରୀ ପଣ୍ଡା । କରୋନା ପାଇଁ ତିଆରି କରାଯାଇଥିବା ଟିକା ଭାଇରସର ସମସ୍ତ ରୂପ ପାଇଁ କାମ ନକରିପାରେ । ତେଣୁ ପ୍ରତିବର୍ଷ ଟିକାର ଜିନୋମକୁ ପରିବର୍ତ୍ତନ କରିବାକୁ ପଡ଼ିପାରେ ବୋଲି ସେ ମତ ଦେଇଛନ୍ତି ।

Comments are closed.