ଲଭ୍ ଜିହାଦ୍ ର ଶିକାର ଓଡ଼ିଆ ଝିଅ : ସୁରକ୍ଷା ପାଇଁ ସୁପ୍ରିମ୍କୋର୍ଟରେ ବାପା-ମା’

72

ନୂଆଦିଲ୍ଲୀ : ବ୍ରହ୍ମପୁରର ଓଡ଼ିଆ ଝିଅ ଲଭ୍ ଜିହାଦ୍ ର ଶିକାର ହୋଇଛି । ଜାମ୍ମୁକାଶ୍ମୀରରୁ ଝିଅକୁ ତୁରନ୍ତ ଫେରାଇ ଆଣିବା ପାଇଁ ତାଙ୍କ ବାପା-ମା’ ସୁପ୍ରିମ୍କୋର୍ଟରେ ନିବେଦନ କରିଛନ୍ତି । ଆବେଦନକୁ ଗ୍ରହଣ କରି ସର୍ବୋଚ୍ଚ ଅଦାଲତ ଓଡ଼ିଶା, ଜାମ୍ମୁକାଶ୍ମୀର ଓ ଚଣ୍ଡୀଗଡ଼ ସରକାରଙ୍କୁ ନୋଟିସ୍ କରିଛନ୍ତି । ଜଷ୍ଟିସ୍ ୟୁ.ୟୁ.ଲଳିତ, ଜଷ୍ଟିସ୍ ଅଜୟ ରସ୍ତୋଗୀ ଓ ଜଷ୍ଟିସ୍ ଅନିରୁଦ୍ଧ ବୋଷଙ୍କ ଦ୍ୱାରା ଗଠିତ ତିନିଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ତିନି ରାଜ୍ୟଙ୍କୁ ନୋଟିସ୍ କରିବା ସହିତ ଜୁଲାଇ ୨୩ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ରହ୍ମପୁରର ଏହି ଦମ୍ପତିଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଝିଅ ବିଫାର୍ମା ପଢୁଥିବା ସମୟରେ ଜମ୍ମୁ-କାଶ୍ମୀରର ଜଣେ ଯୁବକ ତାକୁ ଭେଟିଥିଲା । ପଢା ସରିବା ପରେ ଉଭୟ ଚାକିରି ପାଇଁ ଉତ୍ତରପ୍ରଦେଶର ଲଖନଉ ଯାଇଥିଲେ । ପରବର୍ତ୍ତୀ ସମୟରେ ଉଭୟ ଚଣ୍ଡୀଗଡ ଯାଇଥିଲେ । ଏହାପରେ ଉଭୟ ବିବାହ କରିଥିଲେ । ହେଲେ ଏବେ ତାଙ୍କ ଝିଅର ଆଉ ପତ୍ତା ମିଳୁନି । ଝିଅର ଅନ୍ୟ ଧର୍ମରେ ବିବାହକୁ ସେମାନେ ବିରୋଧ କରୁନାହାଁନ୍ତି । ତେବେ ତାଙ୍କ ଝିଅକୁ ବଳପୂର୍ବକ ଧର୍ମ ପରିବର୍ତ୍ତନ କରି ବିବାହ ପାଇଁ ବାଧ୍ୟ କରାଯାଇଥିବା ବାପା-ମାଆ ଅଭିଯୋଗ କରିଛନ୍ତି ।ଝିଅକୁ ଫେରାଇ ଆଣିବାକୁ ବାପା-ମା’ ଚଣ୍ଡୀଗଡ଼ ଯାଇଥିଲେ । କିନ୍ତୁ ସେମାନେ ଝିଅକୁ ଭେଟିବାରେ ବିଫଳ ହୋଇଥିଲେ । ଏପରିକି ସଂପୃକ୍ତ ଯୁବକଜଣକ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଏବଂ ଲଭ୍ ଜିହାଦ୍ ନାଁରେ ଅନ୍ୟ କିଛି ହିନ୍ଦୁ ଝିଅଙ୍କୁବି ଫସାଇଥିବା ସେମାନେ ଜାଣିବାକୁ ପାଇଛନ୍ତି । ଫୋନ୍ ବନ୍ଦ ଥିବାରୁ ଯୋଗାଯୋଗ ହୋଇପାରୁନାହିଁ । ତେଣୁ ଝିଅକୁ ଶୀଘ୍ର ଫେରାଇ ଆଣିବାକୁ ବାପା-ମା’ ନିବେଦନ କରିଛନ୍ତି ।

Comments are closed.