ବଦଳିବ ବିଜେଡି ମୁଖ୍ୟାଳୟ ଚେହେରା

63

-କର୍ପୋରେଟ୍ ଢାଞ୍ଚାରେ ହେବ ଭବନ ନିର୍ମାଣ

ଭୁବନେଶ୍ୱର : ଖୁବଶୀଘ୍ର ବିଜେଡିର ରାଜ୍ୟ ମୁଖ୍ୟାଳୟ ନୂଆ ରୂପ ପାଇବ । କର୍ପୋରେଟ୍ ଅଫିସ୍ ଢାଞ୍ଚାରେ ହେବ ନୂଆ କୋଠା ନିର୍ମାଣ । ଏଥିପାଇଁ ଦଳ ସାଧାରଣ ପ୍ରଶାସନ ବିଭାଗ ନିକଟରେ ଆବେଦନ କରି ଜମି କିଣି ନେଇଛି । ଆସନ୍ତା ବର୍ଷେରୁ ଦୁଇ ବର୍ଷ ମଧ୍ୟରେ ଦଳର ରାଜ୍ୟ କାର୍ଯ୍ୟାଳୟର ରୂପ ବଦଳିଯିବ । ମିଳିଥିବା ସୂଚନା ଅନୁଯାୟୀ, ଭିଆଇଆର୍-୩ କ୍ୱାର୍ଟର୍ସ ବିଜେଡିର ରାଜ୍ୟ କାର୍ଯ୍ୟାଳୟ ପାଇଁ ଆବଣ୍ଟନ ହୋଇଥିବା ବେଳେ ବିଜେଡି ତାର ମୁଖ୍ୟାଳୟ ସମ୍ପ୍ରସାରଣ ଓ ନୂଆ
କାର୍ଯ୍ୟାଳୟ ପାଇଁ ୟୁନିଟ-୬ରେ କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କୁ ଆବଣ୍ଟନ ହେଉଥିବା କ୍ୱାର୍ଟର୍ସ ଭି୨/୧ଏବଂ ଭି୨/୨କୁ ନେଇଛି । ଏହି ଦୁଇଟି କ୍ୱାର୍ଟର୍ସର ଜମି ବିଜେଡିକୁ ଲିଜ୍ ଆକାରରେ ଦିଆଯିବା ପରେ ବିଜେଡି ଏହାକୁ ଫ୍ରି ହୋଲ୍ଡ କରିନେଇଛି । ଅର୍ଥାତ୍ ଏହି କ୍ୱାର୍ଟର୍ସ ଯେଉଁ ଜମିରେ ନିର୍ମାଣ ହୋଇଛି ତାହାକୁ ବିଜେଡି ସରକାରୀ ବେଞ୍ଚମାର୍କ ମୂଲ୍ୟ ଅନୁସାରେ ଟଙ୍କା ଜମା କରି କିଣି ନେଇଛି । ଏବେ ଏଠାରେ ନୂ୍ଆ କୋଠା ନିର୍ମାଣ ହେବ । ଏଥିପାଇଁ ଡିଜାଇନ୍ ପ୍ରସ୍ତୁତ
ହୋଇସାରିଛି ।

ଆସନ୍ତା ରଥଯାତ୍ରା ଅବସରରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ରାଜ୍ୟ ମୁଖ୍ୟାଳୟର ଶିଳାନ୍ୟାସ କରିବା ନେଇ ସମ୍ଭାବନା ରହିଛି । ଏହି ଜମି ବିମାନବନ୍ଦର ନିକଟବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏଠାରେ ଅଧିକ ଉଚ୍ଚ କୋଠା ନିର୍ମାଣ ପାଇଁ ଅନୁମତି ମିଳିବନି । ତେଣୁ ଏଠାରେ ବି+ଜି+୪ କୋଠା ନିର୍ମାଣ ପାଇଁ ପ୍ରଥମେ ଡିଜାଇନ୍ ପ୍ରସ୍ତୁତ ହୋଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଡିଜାଇନ୍ ଦେଖିବା ପରେ ଏହ।କୁ ବି+ଜି+୩ କରିବାକୁ କହିଥିଲେ । ସେହି ଅନୁଯାୟୀ ଡିଜାଇନ୍ ପ୍ରସ୍ତୁତ ହୋଇଛି । ଏଠାରେ ଯେଉଁ କୋଠା ନିର୍ମାଣ ହେବ ତାହାକୁ ଓଡ଼ିଶାର ଏକ ଠିକା ସଂସ୍ଥା ନିର୍ମାଣ କରିବେ । ବିଜେଡିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ପସନ୍ଦ ଅନୁଯାୟୀ ନୂଆ ରାଜ୍ୟ କାର୍ଯ୍ୟାଳୟର ଡିଜାଇନ୍ ପ୍ରସ୍ତୁତ ହୋଇଛି । ଏବେ ଥିବା କାର୍ଯ୍ୟାଳୟ ପଛ ପାର୍ଶ୍ୱରେ ଏହା ନିର୍ମାଣ ହେବ । କୋଠାର ବେସ୍ମେଣ୍ଟ ଓ ତଳ ମହଲା ପାର୍କିଂ ପାଇଁ ରହିବ । ବାକି ତିନି ମହଲା ଦଳୀୟ କାର୍ଯ୍ୟ ପାଇଁ ରହିବ । ଏଠାରେ ଦଳ ସଭାପତିଙ୍କର ସ୍ୱତନ୍ତ୍ର ପ୍ରକୋଷ୍ଠ ରହିବ । ଏହାବାଦ୍ ଦଳର ବିଭିନ୍ନ ସେଲ୍ ପାଇଁ କାର୍ଯ୍ୟାଳୟ ରହିବ । ପୂରା କୋଠା ୱାଇଫାଇ ହେବ । ଏକାଧିକ ସମ୍ମିଳନୀ କକ୍ଷ,ଗଣମାଧ୍ୟମ ପାଇଁ ସ୍ୱତନ୍ତ୍ର ରୁମ୍, ବିଜେଡି ଆଇଟି ସେଲ୍, ଷ୍ଟୁଡିଓ, କ୍ୟାଣ୍ଟିନ୍, ଲାଇବ୍ରେରୀ ଏବଂ ଅନ୍ୟାନ୍ୟ ସୁବିଧା ରହିବ ।

Comments are closed.