ଦୁର୍ବ୍ୟବହାର ପାଇଁ ଘଟଗାଁ ଚିକିତ୍ସାଧିକାରୀଙ୍କୁ ଦୀର୍ଘ ୬ ଘଣ୍ଟା କାର୍ଯ୍ୟାଳୟ ମଧ୍ୟରେ ତାଲା ପକାଇ ରଖିଲେ ଯୁବଗୋଷ୍ଠୀ

58

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ଘଟଗାଁ ଚିକିତ୍ସା ଅଧିକାରୀ ମୁକ୍ତିକାନ୍ତ ନାୟକ ନିଜ ସ୍ବାର୍ଥରେ ଦୀର୍ଘ ଦିନ ଧରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅତିରିକ୍ତ ଦାୟିତ୍ବ ହାତରେ ରଖିଛନ୍ତି । ଏଠାକୁ ଅନେକ ଅଧିକାରୀ ଦାୟିତ୍ବ ନେଇ ଆସୁଥିଲେ ମଧ୍ୟ ସେ ସେମାନଙ୍କ ନାମରେ ମିଥ୍ୟା ଅଭିଯୋଗ ରଚି, ରାଜନୈତିକ ଚାପ ପକାଇ ସେମାନଙ୍କୁ ଏଠାରେ ରହିବାକୁ ଦେଇନାହାନ୍ତି । ଯାହାକୁ ନେଇ ନିଜ ସ୍ବାର୍ଥରେ ଦୀର୍ଘ ବର୍ଷ ହେବ ଏହି ସ୍ବାସ୍ଥ୍ୟକେନ୍ଦ୍ରର ଅତିରିକ୍ତ ଦାୟିତ୍ବକୁ ନିଜ ହାତରେ ରଖିବାରେ ସଫଳ ହୋଇଛନ୍ତି । ସ୍ବାସ୍ଥ୍ୟକେନ୍ଦ୍ରରେ ବାରମ୍ବାର ବିଭିନ୍ନ ଛୋଟ ବଡ଼ ସମସ୍ୟା ଉପୁଜୁଥିବା ବେଳେ ପ୍ରତ୍ୟେକ ଦିନ ମୂଖ୍ୟତଃ ଅନେକ ଆଦିବାସୀ ଶ୍ରେଣୀର ଲୋକେ ଠିକ୍ ଭାବେ ସ୍ବାସ୍ଥ୍ୟ ସେବା ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଯାହାକୁ ନେଇ ଏଠାକାର ସ୍ଥାନୀୟ ବୁଦ୍ଧିଜୀବୀ ବାରମ୍ବାର ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପାଖରେ ଦାବି କରିଆସୁଥିଲେ ।

ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାକୁ ଅନେକ ବଡ଼ ବଡ଼ ଡାକ୍ତରଙ୍କୁ ଅଧିକାରୀ ଦାୟିତ୍ବ ଦେଇ ପଠାଯାଇଛି । ହେଲେ ଦାୟିତ୍ବର ଚିଠି ଆସିଲେ ସେମାନଙ୍କ ନାମରେ ଅନେକ ମିଥ୍ୟା ଅଭିଯୋଗ ସହ ଅନେକ ପ୍ରକାରର ମିଥ୍ୟା ଧମକ ଦିଆଯାଇଥାଏ । ଯାହାକୁ ନେଇ ସେମାନେ ଏଠାକୁ ଆସି ଏଠାକାର ଦାୟିତ୍ବ ନେବାକୁ ଦୂରୁ ନମସ୍କାର କରିବା ସହ ଭୟକରି ଏଠାରୁ ପଳାୟନ କରିଥାନ୍ତି । ସରକାରୀ ଖାତା ଖୋଲିଲେ ଜଣାପଡ଼ିବ ଏହି ଅଧିକାରୀଙ୍କ ହାତରେ ଅତିରିକ୍ତ ଦାୟିତ୍ବ ରହିବା ପରେ କେତେ ଅବସର ପୂର୍ବରୁ ଡାକ୍ତର ଦାୟିତ୍ବ ପାଇଁ ମଧ୍ୟ ଦାୟିତ୍ବ ନେବା ପୂର୍ବରୁ ଏଠାରୁ ଛାଡ଼ି ପଳାଇଛନ୍ତି । ହରିଚନ୍ଦନପୁର ଏକ ଆଦିବାସୀ ଅଧ୍ୟୁଷିତ ସହ ବଡ଼ ବ୍ଲକ ଭାବେ ବେଶ୍ ପରିଲକ୍ଷିତ ଥିବା ବେଳେ ଏଠାରେ ଦୀର୍ଘ ବର୍ଷ ଧରି କାହିଁକି ଚିକିତ୍ସା ଅଧିକାରୀ ଶୂନ୍ୟ ହୋଇ ରହିଛି ତାହାକୁ ନେଇ ଅଞ୍ଚଳବାସୀ ସବୁଠୁ ବଡ଼ ପ୍ରଶ୍ନ ଉଠାଇଛନ୍ତି । ସ୍ଥାୟୀ ଅଧିକାରୀ ନଥିବା ସତ୍ବେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥା ଯଦି ଏହିଭଳି ତେବେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଅନ୍ୟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥା ନକହିବା ଭଲ ।

ବାରମ୍ବାର ଅବ୍ୟବସ୍ଥା ନେଇ ଶନିବାର ଦାୟିତ୍ବରେ ଥିବା ଚିକିତ୍ସା ଅଧିକାରୀ ଡ଼ଃ. ମୁକ୍ତିକାନ୍ତ ନାୟକଙ୍କୁ ଭଗାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଦିବାସୀ ଯୁବଗୋଷ୍ଠୀ ଅବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ । ହେଲେ ସମାଧାନର ବାଟ ଛାଡ଼ି ସେମାନଙ୍କ କଥା ନଶୁଣି ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ନେଇ, କାର୍ଯ୍ୟାଳୟ ମଧ୍ୟରେ ଅଧିକାରୀଙ୍କ ସହ ବିପିଓଙ୍କୁ ଦୀର୍ଘ ୫/୬ ଘଣ୍ଟା ଧରି ତାଲା ପକାଇ ରଖିଥିଲେ ଲୋକେ । ଖବର ପାଇ ହରିଚନ୍ଦନପୁର ପୋଲିସ ଓ ଘଟଗାଁ ନୂତନ ଏସଡିପିଓ ଏ. କେ. ମହାନ୍ତି ଘଟଣାସ୍ଥଳରେ ପହଞ୍ଚିଲେ । ଯୁବଗୋଷ୍ଠୀଙ୍କୁ ଅନେକ ବୁଝାସୁଝା କରିବା ସହ ଆବଶ୍ୟକୀୟ କର୍ମଚାରୀ ଯୋଗାଇ ଦେବାର ପ୍ରତିଶୃତି ଦେବାପରେ ଯୁବଗୋଷ୍ଠୀ ତାଲା ଖୋଲିଥିବା ଜଣାପଡ଼ିଛି । ହେଲେ ଏଠାକାର ଜନ ସାଧାରଣଙ୍କ ବଡ଼ ପ୍ରଶ୍ନ, ଏହି ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀ ଥିବା ବେଳେ ଏଠାରେ ଏହିଭଳି ଅସୁବିଧା ଉପୁଜୁବା ବଡ଼ ଦୁଃଖଦ ଘଟଣା । ତେଣୁ ଏଥିପ୍ରତି ସ୍ବାସ୍ଥ୍ୟ ସଚିବ ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ଦୃଷ୍ଟି ଦେଇ ଏ ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ସ୍ଥାୟୀ ସମାଧାନର ବାଟ ବାହାର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Comments are closed.