୪୦ ଏକର ଜାଗାରେ ହେବ ୭୫୦ ଶଯ୍ୟା ବିଶିଷ୍ଟ କ୍ୟାନ୍ସର ହସ୍ପିଟାଲ

48

ଭୁବନେଶ୍ୱର : ସ୍ୱପ୍ନ ହେଉଛି ସତ । ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ଶ୍ରୀଗୁଣ୍ଡିଚା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ପଦକ୍ଷେପ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଇନ୍ଫୋଭ୍ୟାଲି ଚଣ୍ଡିହଦା ନିକଟରେ କ୍ୟାନ୍ସର ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୦ ଏକର ଜାଗାରେ ନିର୍ମାଣ ହେବ ୭୫୦ ଶଯ୍ୟା ବିଶିଷ୍ଟ ଶ୍ରୀଶଙ୍କର କ୍ୟାନ୍ସର ଆଣ୍ଡ ରିସର୍ଚ୍ଚ ସେଣ୍ଟର ଏବଂ ବାଗ୍ଚୀ କରୁଣାଶ୍ରୟ କେନ୍ଦ୍ର । ୨ ବର୍ଷ ଭିତରେ ଏହା ନିର୍ମାଣ ପାଇଁ ଲକ୍ଷ୍ୟ ରାଜ୍ୟ ସରକାର ରଖିଛନ୍ତି । ଯାହା ଆଗାମୀ ଦିନରେ ଏକ ଷ୍ଟେଟ ଅଫ ଆର୍ଟରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି ।

ରାଜ୍ୟକୁ ଖୁବ୍ ଶୀଘ୍ର ମିଳିବ ଆଉ ଏକ ବିଶାଳ ସ୍ୱାସ୍ଥ୍ୟ ଭିତ୍ତିଭୂମି । ପୂର୍ବ ପ୍ରତିଶ୍ରୁତି ପୂରଣ କରି ମୁଖ୍ୟମନ୍ତ୍ରୀ ଆଜି ସ୍ୱପ୍ନକୁ ଦେଇଛନ୍ତି ବାସ୍ତବ ରୂପ । ଘୋଷଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ଉପହାରରେ ଦେଇଛନ୍ତି ବିଶ୍ୱସ୍ତରୀୟ କର୍କଟ ହସ୍ପିଟାଲ ଓ ପାଲିଏଟିଭ କେୟାର ସେଣ୍ଟର । ଖୋର୍ଦ୍ଧା ଜଟଣୀ ନିକଟ ଇନ୍ଫୋଭ୍ୟାଲି ମୌଜାରେ କ୍ୟାନ୍ସର ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଆଗାମୀ ୨ବର୍ଷ ଭିତରେ ସମ୍ପୂର୍ଣ୍ଣ ହୋଇ ଏହା ରାଜ୍ୟବାସୀଙ୍କୁ ସେବା ଯୋଗାଇ ଦେବ । ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ କିଛିଦିନ ତଳେ ଏହି ହସ୍ପିଟାଲ ନିର୍ମାଣ ପାଇଁ ୩୪୦ କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲେ । ଏଥିପାଇଁ ଦରକାରୀ ଜମି ଏବଂ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ଏଠାରେ ଯେଉଁଦିନ ପ୍ରଥମ କ୍ୟାନ୍ସର ରୋଗୀ ଚିକିତ୍ସା ହୋଇ ସୁସ୍ଥ ହେବ ସେହିଦିନ ସ୍ୱପ୍ନ ସାକାର ହେବ ବୋଲି କହିଛନ୍ତି ବାଗ୍ଚୀ ଦମ୍ପତି ।

ଓଡ଼ିଶାର କ୍ୟାନ୍ସର ରୋଗୀଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ । ୪୦ ଏକର ଜାଗାରେ ବାଗ୍ଚୀ-ଶ୍ରୀଶଙ୍କର କ୍ୟାନ୍ସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର ଏବଂ ବାଗ୍ଚୀ କରୁଣାଶ୍ରୟ କେୟାର ସେଣ୍ଟର ନାମରେ ଦୁଇଟି ଅନୁଷ୍ଠାନ ଏଠି କାର୍ଯ୍ୟ କରିବ । ବାଗ୍ଚୀ କରୁଣାଶ୍ରୟ କେୟାର ସେଣ୍ଟରରେ ୧୧୦ଟି ବେଡ୍ ରହିବ । ଶ୍ରୀଶଙ୍କର ହସ୍ପିଟାଲର ମୁଖ୍ୟ ଡାକ୍ତର କରୁଣାନାଥ, କରୁଣାଶ୍ରୟ ଟ୍ରଷ୍ଟର ମୁଖ୍ୟ ଗୌମିତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Comments are closed.